ବିଶ୍ୱଭୂଷଣଙ୍କ ମନ୍ତବ୍ୟକୁ ଐତିହାସିକଙ୍କ ବିରୋଧ

ଭୁବନେଶ୍ୱର: କଳିଙ୍ଗ ଯୁଦ୍ଧ ଏକ ମନଗଢ଼ା କାହାଣୀ ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଐତିହାସିକମାନେ ଖୋଲାଖୋଲି ଭାବେ ତାଙ୍କର ଏଭଳି ବକ୍ତବ୍ୟକୁ ବିରୋଧ କରିଛନ୍ତି। ଓଡ଼ିଶା ଇତିହାସ ସମ୍ପର୍କରେ କୌଣସି ମତ ଦେବା ପୂର୍ବରୁ ତାହା ଉପରେ ଗବେଷଣା କରିବାର ଆବଶ୍ୟକତା ରହିଛି। କଳିଙ୍ଗ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକଙ୍କ ସଂଖ୍ୟାକୁ ନେଇ ଶ୍ରୀ ହରିଚନ୍ଦନ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ଗବେଷଣାସାପେକ୍ଷ ହୋଇପାରେ। କିନ୍ତୁ ଇତିହାସକୁ ବିକୃତ କରିବା ଭଳି ବକ୍ତବ୍ୟ ଦେବା ଠିକ୍‌ ନୁହେଁ ବୋଲି ଐତିହାସିକ ଓ ଗବେଷକମାନେ ମତ ବ୍ୟକ୍ତ କରିଛନ୍ତି।

ଶ୍ରୀ ହରିଚନ୍ଦନଙ୍କ ଯୁକ୍ତି ଅନୁଯାୟୀ କଳିଙ୍ଗ ଯୁଦ୍ଧରେ ଏତେ ସଂଖ୍ୟକ ସୈନିକ ଯୁଦ୍ଧ କରିଥିବା କୁହାଯାଉଥିଲେ ହେଁ ସେତେବେଳେ କଳିଙ୍ଗର କେହି ରାଜା ନ ଥିଲେ। ତେଣୁ ରାଜା ନଥାଇ ଏତେ ବଡ଼ ଯୁଦ୍ଧ ହେବା ଅସମ୍ଭବ। ମାତ୍ର ନୂଆଦିଲ୍ଲୀର କୋସ୍‌ମୋ ପବ୍ଲିକେସନ୍‌ ପକ୍ଷରୁ ପ୍ରକାଶିତ ପୁସ୍ତକ ‘ମିଲିଟାରି ହିଷ୍ଟ୍ରି ଅଫ୍‌ ଓଡ଼ିଶା’ ପୁସ୍ତକରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ରାଜ୍ୟ ଏବଂ ମୌର୍ଯ୍ୟ ସାମ୍ରାଜ୍ୟ ମଧ୍ୟରେ କଳିଙ୍ଗ ଯୁଦ୍ଧ ସଂଘଟିତ ହୋଇଥିଲା। ସମ୍ରାଟ ଅଶୋକ ମୌର୍ଯ୍ୟଙ୍କର ନେତୃତ୍ୱ ନେଇଥିଲେ ଏବଂ ଯୁଦ୍ଧରେ ବିଜୟୀ ବି ହୋଇଥିଲେ। ଅପରପକ୍ଷରେ କଳିଙ୍ଗର ରାଜା ଅନନ୍ତ ପଦ୍ମନାଭନ୍‌ କଳିଙ୍ଗ ସୈନ୍ୟବାହିନୀର ନେତୃତ୍ୱ ନେଉଥିଲେ। ଯୁଦ୍ଧର ୮ ବର୍ଷ ପୂର୍ବରୁ କଳିଙ୍ଗକୁ ମୌର୍ଯ୍ୟ ସାମ୍ରାଜ୍ୟ ସହ ମିଶାଇଦେବା ଲାଗି ସମ୍ରାଟ ଅଶୋକ କଳିଙ୍ଗ ରାଜାଙ୍କ ନିକଟକୁ ପତ୍ର ଲେଖିଥିଲେ। କିନ୍ତୁ ରାଜା ଅନନ୍ତ ପଦ୍ମନାଭନ୍‌ଙ୍କ ତାହାକୁ ପ୍ରତ୍ୟାଖାନ କରିଥିଲେ। ଫଳରେ ଯୁଦ୍ଧ ହୋଇଥିଲା। ଧଉଳି ପାଦଦେଶରେ ସଂଘଟିତ ଏହି ଭୟଙ୍କର ଯୁଦ୍ଧରେ କଳିଙ୍ଗର ଦେଢ଼ ଲକ୍ଷ ଏବଂ ମୌର୍ଯ୍ୟ ବାହିନୀର ଏକ ଲକ୍ଷ ସୈନ୍ୟ ସାମିଲ ହୋଇଥିଲେ ବୋଲି ଉଲ୍ଲେଖ କରାଯାଇଛି।

ଐତିହାସିକ ଗୋଷ୍ଠୀଙ୍କ ଯୁକ୍ତି ହେଲା ଯେ ଯଦି ବିଶ୍ୱଭୂଷଣ ବାବୁଙ୍କର ଇତିହାସ ଉପରେ ଏତେ ଜ୍ଞାନ ରହିଛି ତେବେ ସେ ସଂସ୍କୃତି ଓ ରାଜସ୍ୱ ମନ୍ତ୍ରୀ ଥିବା ବେଳେ କଳିଙ୍ଗ ଯୁଦ୍ଧର ଇତିହାସ ସଂପର୍କରେ ସରକାରୀ ଭାବେ ଗବେଷଣାର ବ୍ୟବସ୍ଥା କରି ସତ୍ୟ ଉଦ୍‌ଘାଟନର ଉଦ୍ୟମ କଲେନାହିଁ କାହିଁକି? ଏବେ ଅଚାନକ ଏଭଳି ମତ ଦେଇ ଏକ ସର୍ବଜନ ସ୍ୱୀକୃତ ଇତିହାସକୁ ବଦଳାଇବାକୁ ଅପଚେଷ୍ଟା କରୁଛନ୍ତି। ଏହାପଛରେ ରାଜନୈତିକ ଅଭିସନ୍ଧି ରହିଛି ଏବଂ ତାଜମହଲ ପରି କଳିଙ୍ଗ ଯୁଦ୍ଧ ସମ୍ପର୍କରେ ମନ୍ତବ୍ୟ ଦିଆଯାଇ ଇତିହାସକୁ ବିକୃତ କରିବାକୁ ଚେଷ୍ଟା କରାଯାଉଛି ବୋଲି କେତେକ ବୁଦ୍ଧିଜୀବୀ ମତ ଦେଇଛନ୍ତି।

ବିଶିଷ୍ଟ ଐତିହାସିକ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅମିୟ ପଟ୍ଟନାୟକ କହିଛନ୍ତି ଯେ ବିଭିନ୍ନ ତଥ୍ୟକୁ ନେଇ ଇତିହାସ ପର୍ଯ୍ୟବସିତ। ତାହାକୁ ଏତେ ହାଲୁକା ଭାବେ ଗ୍ରହଣ କରାଯାଇ ନ ପାରେ। ଯେଉଁ କଥା କୁହାଯାଉଛି ତାହା ପାଇଁ ସେତିକି ଯୁକ୍ତି ଉପସ୍ଥାପନ କରିବାର ଆବଶ୍ୟକତା ରହିଛି।

ଓଡ଼ିଶା ମହାବୁଦ୍ଧି ସୋସାଇଟି ସଭାପତି ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି କହିଛନ୍ତି ଯେ ଆଗରୁ ଥରେ ଗୌତମବୁଦ୍ଧଙ୍କ ଜନ୍ମ ସ୍ଥାନକୁ ନେଇ ବିବାଦ ଉଠିଥିଲା। ପରବର୍ତ୍ତୀ ସମୟରେ ଏହା ହାସ୍ୟାସ୍ପଦ ସାବ୍ୟସ୍ତ ହୋଇଛି। ରାଜନୈତିକ ଫାଇଦା ଉଠାଇବାକୁ ଯାଇ କଳିଙ୍ଗ ଯୁଦ୍ଧ ଉପରେ ଏଭଳି ମତପ୍ରକାଶ ପାଉଛି। ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଆଲୋଚନା କରୁ କରୁ ବିଶ୍ୱଭୂଷଣବାବୁ ଅନ୍ୟ ଆଡ଼େ ଚାଲିଯାଉଛନ୍ତି। ଇଣ୍ଡିଆନ୍‌ ହିଷ୍ଟ୍ରିକାଲ ରିସର୍ଚ୍ଚ କାଉନସିଲ୍‌ଠାରୁ ଆରମ୍ଭ କରି ବହୁ ଐତିହାସିକଙ୍କ ଦ୍ୱାରା ରଚିତ ପୁସ୍ତକରେ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯୁଦ୍ଧର ଭୟାବହତା ଦେଖି ସମ୍ର୍ରାଟ ଅଶୋକ ଏଠାରେ ହିଁ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ବିଶ୍ୱର ଅନେକ ଦେଶକୁ ବୌଦ୍ଧ ଧର୍ମର ପ୍ରଚାର ଲାଗି ଦୂତଙ୍କୁ ପଠାଇଥିଲେ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଐତିହାସିକ ତଥା ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟଙ୍କ କହିବାନୁଯାୟୀ, ଶ୍ରୀ ହରିଚନ୍ଦନଙ୍କ ମନ୍ତବ୍ୟର କୌଣସି ଆଧାର ନାହିଁ। କଳିଙ୍ଗ ଯୁଦ୍ଧରେ କେତେ ଲୋକ ଆହତ ହୋଇଥିଲେ କେତେ ମରିଥିଲେ ସେହି ସଂଖ୍ୟାକୁ ନେଇ ପ୍ରଶ୍ନ ହୋଇପାରେ। ଏ ସମ୍ପର୍କରେ ଅଶୋକଙ୍କ ଶିଳାଳିପିରେ ଉଲ୍ଲେଖ ହୋଇଛି। ଯୁଦ୍ଧରେଏକ ଲକ୍ଷ ଲୋକ ମରି ନ ଥାଇ ପାରନ୍ତି। କିନ୍ତୁ ଯୁଦ୍ଧ ହୋଇ ନ ଥିବା କହିବା ଯୁକ୍ତିଯୁକ୍ତ ନୁହେଁ।

ବିଶିଷ୍ଟ ଐତିହାସିକ ଅତୁଲ ଚନ୍ଦ୍ର ପ୍ରଧାନଙ୍କ କହିବାନୁଯାୟୀ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଐତିହାସିକମାନେ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଶିଳାଲିପିରେ ବି ଉଲ୍ଲେଖ ହୋଇଛି। ତେଣୁ ଏହାକୁ ନେଇ ପ୍ରଶ୍ନ ଉଠାଇବା କଥା ନୁହେଁ। ଅନୁରୂପ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପୂର୍ବତନ ପ୍ରଫେସର ଅଶୋକ ପରିଡ଼ା କହିଛନ୍ତି ଯେ ଇତିହାସରେ କଳିଙ୍ଗ ଯୁଦ୍ଧ ନେଇ ଉଲ୍ଲେଖ ହୋଇଛି। ଐତିହାସିକମାନେ ଏହାକୁ ଲେଖିଛନ୍ତି। କିଛି ମନକୁ ଲେଖାଯାଇ ନାହିଁ।

ସମ୍ବନ୍ଧିତ ଖବର