ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମର ମାତ୍ରା ବଢ଼ୁଛି : ବିଶ୍ବଭୂଷଣ

ଭୁବନେଶ୍ବର : ବିଜେପି ଓ କେନ୍ଦ୍ର ସରକାରଙ୍କୁ ‘ବିରାଡ଼ି ବୈଷ୍ଣବ’ ବୋଲି ଗତକାଲି ଆ‌କ୍ଷେପ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ନିର୍ବାଚନ ବଢ଼ିବା ସହ ମୁଖ୍ୟମନ୍ତ୍ରୀଙ୍କର ମତିଭ୍ରମର ମାତ୍ରା ବି ବଢ଼ୁଛି ବୋଲି ଦଳ ଆ‌କ୍ଷେପ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି, ବିରାଡ଼ି ବୈଷ୍ଣବର ଅର୍ଥ ବୋଧହୁଏ ମୁଖ୍ୟମନ୍ତ୍ରୀ ବୁଝି ନାହାନ୍ତି। ଯିଏ ମିଛ କହି ଅନ୍ୟକୁ ଠକେ ଓ ଫାଇଦା ଉଠାଏ, ଲୋକେ ତାଙ୍କୁ ବିରାଡ଼ି ବୈଷ୍ଣବ ବୋଲି କୁହନ୍ତି। ୧୯ ବର୍ଷ ଧରି ଓଡ଼ିଆ ଜାତିକୁ ନବୀନ ବାବୁ ଠକି ଚାଲିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନିଜେ ବିରାଡ଼ି ବୈଷ୍ଣବ।

ଶ୍ରୀ ହରିଚନ୍ଦନ କହିଲେ, ବିଜେଡିର ବିିଭିନ୍ନ ବିଜ୍ଞାପନରେ ଏବେ ମିଥ୍ୟା ପ୍ରଚାର ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଖବରକାଗଜଗୁଡ଼ିକରେ ପୂରା ପୃଷ୍ଠା ବିଜ୍ଞାପନ ଦେଇ ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଶାବାସୀ ତାଙ୍କ ପରିବାର ବୋଲି କହୁଛନ୍ତି। ତାଙ୍କରି ପାଇଁ ସେ ଦିନ ରାତି କାମ କରି ଚାଲିଛନ୍ତି। ସେ ଏତେ କାର୍ଯ୍ୟ କରୁଛନ୍ତି ଯେ ନିଜ ପରିବାର ଲୋକଙ୍କୁ ତାଙ୍କ ଭାଷା ଓଡ଼ିଆରେ କଥା ପଦେ କହି ପାରୁ ନାହାନ୍ତି। ୨୨ ବର୍ଷ ହେଲା ଓଡ଼ିଶାରେ ରହିବା ପରେ ବି ଓଡ଼ିଆ ଭାଷା ଶିଖିପାରିଲେ ନାହିଁ। ମୁଖ୍ୟମନ୍ତ୍ରୀ ନିଜକୁ ସ୍ବାଭିମାନୀ ଓଡ଼ିଆ ବୋଲି ଗର୍ବ କରୁଥିଲା ବେଳେ ଓଡ଼ିଆ ଜାତିର ଗର୍ବର ଗାଥା‌ କହୁଥିବା ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ କାହିଁକି ଜମି ଦେଲେ ନାହିଁ ? ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପରେ କେଉଁ ଭୟରେ ମୁଖ୍ୟମନ୍ତ୍ରୀ ତା’କୁ ଖୋଲୁ ନାହାନ୍ତି ? ମୁଖ୍ୟମନ୍ତ୍ରୀ ବିରାଡ଼ି ବୈଷ୍ଣବ ସାଜି ଓଡ଼ିଆ ଲୋକଙ୍କୁ ଯେପରି ଠକି ଚାଲିଛନ୍ତି, ତାହାର ଅନ୍ତ ଘଟିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର