ରାଜଧାନୀରେ ହରିଚନ୍ଦନ ଇନିଂସ ଶେଷ

ସଫଳ ହେଲେନି ପୃଥ୍ବୀରାଜ, ଚିଲିକାକୁ ସୁରକ୍ଷିତ ଭାବିଲେ

ଭୁବନେଶ୍ବର : ଏକଦା ଭୁବନେଶ୍ବର ରାଜନୀତିରେ ଦବ୍‌ଦବା‌ ରଖୁଥିବା ବିଶ୍ବଭୂଷଣ ହରିଚନ୍ଦନ ଏବେ ଏଠାରେ ଏକରକମ ପତିଆରାଶୂନ୍ୟ ହୋଇଯାଇଛନ୍ତି। ନା ସେ ରାଜଧାନୀ ରାଜନୀତିରେ ସକ୍ରିୟ ଅଛନ୍ତି ନା ତାଙ୍କ ନାମରେ ଭୋଟ୍ ଅଛି। ୮୫ ବ‌‌‌ର୍ଷୀୟ ଏହି ନେତାଙ୍କୁ ବୟସାଧିକ କାରଣରୁ ଏଥର ଟିକେଟ୍ ମିଳି ନ ଥିବା ବେଳେ ସେ ଗତ ନିର୍ବାଚନରେ ବି ପ୍ରାର୍ଥୀ ହୋଇ ନ ଥିଲେ। ଦୁଇଟି ନିର୍ବାଚନରେ ବିଶ୍ବଭୂଷଣ ଭୁବନେଶ୍ବର ରାଜନୀତିରୁ ଦୂରେଇ ରହିଥିବାରୁ ତାଙ୍କର ଅନୁଗତ ଓ ସମର୍ଥକଙ୍କ ସଂଖ୍ୟା ବି ରାଜଧାନୀରେ କମିବାରେ ଲାଗିଛି।

ତିନି ତିନି ଥର ଭୁବନେଶ୍ବରରୁ ବିଧାୟକ ଜିତିବା ପରେ ୨୦୦୯ରେ ପ୍ରାୟ ୩୫ହଜାର ଭୋଟ୍‌ରେ ବ‌ିଜେଡି ପ୍ରାର୍ଥୀ ବିଜୟ ମହାନ୍ତିଙ୍କ ଠାରୁ ହାରି ଯାଇଥିଲେ ବିଶ୍ବଭୂଷଣ। ଏହାପରେ ପୁଅ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭୁବନେଶ୍ବର ଲୋକସଭା ଆସନରେ ପ୍ରାର୍ଥୀ କରି ନିଜେ ନିର୍ବାଚନ‌ରୁ ଓହରି ଯାଇଥିଲେ। କିନ୍ତୁ ପୃଥ୍ବୀରଜ ବି ପ୍ରାୟ ୧ ଲକ୍ଷ ୯୦ ହଜାର ଭୋଟ୍‌ରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀଙ୍କ ଠାରୁ ହାରିଲେ। ବାପ-ପୁଅଙ୍କ ଲଗାତାର ପରାଜୟ ଏବଂ ଏଠାରେ ବିଜେପିର ବିକଳ୍ପ ନେତା ସୃଷ୍ଟି ହେବା ପରେ ରାଜଧାନୀ ରାଜନୀତିରେ ବିଶ୍ବଭୂଷଣ ହରିଚନ୍ଦନଙ୍କ ଇନିଂସ ଏକପ୍ରକାର ଶେଷ ବୋଲି କୁହାଯାଉଛି।

୧୯୭୭ରେ ଜନତା ପାର୍ଟିରୁ ଏବଂ ୧୯୯୦ରେ ଜନତା ଦଳରୁ ଚିଲିକା ବିଧାୟକ ହୋଇଥିବା ବିଶ୍ବଭୂଷଣ ହରିଚନ୍ଦନ ପରବର୍ତ୍ତୀ ସମୟରେ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୧୯୯୬ ମସିହାରେ ଭୁବନେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିବା ଉପନିର୍ବାଚନରେ ସେ ବିଜେପି ଟିକେଟ୍‌ରେ ବିଜୟୀ ହୋଇ। ଏହା ପରେ ବିଜେଡି-ବିଜେପି ମେଣ୍ଟ ହେବା ପରେ ଭୁବନେଶ୍ବର ବିଧାନସଭା ଆସନଟି ବିଜେପି ଭାଗରେ ପଡ଼ିଲା। ୨୦୦୦ ଓ ୨୦୦୪ ନିର୍ବାଚନରେ ଲଗାତର ଭାବେ ବିଶ୍ବଭୂଷଣ ଏଠାରୁ ନିର୍ବାଚିତ ହେଲେ। ଏହି ସମୟରେ ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ବେଶ୍‌ କ୍ଷମତାଶାଳୀ ମନ୍ତ୍ରୀ ଥିଲେ ବିଶ୍ବଭୂଷଣ। ରାଜଧାନୀରେ ଉଭୟ ବିଜେଡି ଓ ବିଜେପି ସଂଗଠନରେ ତାଙ୍କର ଭୀଷଣ ପ୍ରଭାବ ରହିଥିଲା। ଏପରିକି ୨୦୦୩ରେ ବିଏମ୍‌ସି ନିର୍ବାଚନରେ ନିଜ ପୁଅ ପୃଥ୍ବୀରାଜଙ୍କୁ ମେୟର କରିବା ଉଦ୍ଦେଶ୍ୟରେ ତାଙ୍କୁ ବିଜେପି ଟିକେଟ୍‌ରେ କର୍ପୋରେଟର୍ ପ୍ରାର୍ଥୀ ଭାବେ ଲଢ଼ାଇଥିଲେ। କିନ୍ତୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଠାରୁ ସେ ହାରିଯାଇଥିଲେ।

କିନ୍ତୁ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଶ୍ବଭୂଷଣଙ୍କ ହାତରୁ ଭୁବନେଶ୍ବର ଆସନ ଖସି ଯାଇଥିଲା। ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବି‌ଜୟ ମହାନ୍ତିଙ୍କ ଠାରୁ ୩୫ ହଜାର ଭୋଟ୍‌ରେ ହାରିଲେ। ସେହି ନିର୍ବାଚନରୁ ହିଁ ବିଶ୍ବଭୂଷଣଙ୍କୁ ଦଳ ଭିତରେ ବିରୋଧ ଆରମ୍ଭ ହୋଇଯାଇଥିଲା। ଏଠାରେ ଯୁବନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ବର ମଧ୍ୟ ଆସନରୁ ବିଧାୟକ ହେବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ ହେଁ ତାଙ୍କୁ ଦଳୀୟ ଟିକେଟ୍‌ ମିଳିନଥିଲା। ଏହାପରେ ଜଗନ୍ନାଥ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୮ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ। ବିଜେପିର ଗୋଷ୍ଠୀ କନ୍ଦଳ ହିଁ ବିଶ୍ବଭୂଷଣଙ୍କ ପରାଜୟର ଏକ ପ୍ରମୁଖ କାରଣ ଥିଲା।

୨୦୧୪ ବେଳକୁ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଜଗନ୍ନାଥ ପ୍ରଧାନଙ୍କ ସଂଗଠନ ବଢ଼ିବା ଏବଂ ଦଳରେ ତାଙ୍କର ପତିଆରା ବଢ଼ିବାରୁ ବିଶ୍ବଭୂଷଣ ଏହି ସିଟ୍‌ ଛାଡ଼ି ଦେଇଥିଲେ। ଭୁବନେଶ୍ବର ମଧ୍ୟରେ ଜଗନ୍ନାଥ ଲଢ଼ିଲେ, ଆଉ ପୂର୍ବ ନିର୍ବାଚନ ତୁଳନାରେ ଅଧିକ ଭୋଟ୍‌ ବି ପାଇଲେ। ଜଗନ୍ନାଥଙ୍କ ଭୋଟ୍‌ ହାର ବଢ଼ିବା ଏବଂ ପୂର୍ବ ଅପେକ୍ଷା ଅଧିକ ସଂଗଠନ କରିବା ଦେଖି ଦଳ ତାଙ୍କୁ ଏଥର ବିନା ଦ୍ବନ୍ଦ୍ବରେ ଟିକେଟ୍‌ ଦେଇଛି।

କିନ୍ତୁ ୨୦୧୪‌େର ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ କରିଥିବା ଦଳ ଏଥର ତାଙ୍କୁ ଏଠାରେ ପ୍ରାର୍ଥୀ କରିନି। ବିଶ୍ବଭୂଷଣଙ୍କ ପ୍ରଚାର, ସଂଗଠନ, ଦଳର ହାୱା ସତ୍ତ୍ବେ ବି ପୃଥ୍ବୀରାଜ ବହୁ ଭୋଟ୍‌ ବ୍ୟବଧାନରେ ହାରିବାରୁ ଦଳ ତାଙ୍କୁ ପୁଣି ଭରସା କରି ଭୁବନେଶ୍ବରରେ ରିସ୍କ ନେବାକୁ ଚାହୁଁନଥିଲା। ଏସବୁ ଭିତରେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀଙ୍କ ବିଜେପିରେ ଯୋଗଦାନ ଏବଂ ଭୁବନେଶ୍ବର ରାଜନୀତିରେ ପ୍ରତ୍ୟକ୍ଷ ସଂପୃକ୍ତି ଦେଖି ପୃଥ୍ବୀରାଜ ସ୍ବଇଚ୍ଛାରେ ଭୁବନେଶ୍ବରରୁ ଦୂରେଇ ଯାଇଥିଲେ।

ପୃଥ୍ବୀରାଜ ଏବେ ବାପାଙ୍କ ପୂର୍ବ ଆସନ ଚିଲିକାରେ ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବା‌ଚନରେ ମଧ୍ୟ ଚିଲିକାରୁ ବିଶ୍ବଭୂଷଣଙ୍କ ଭାଇ ବିଭୂତି ଭୂଷଣ ହରିଚନ୍ଦନ ବିଜୟୀ ହୋଇଥିଲେ। ତେଣୁ ସେଠାରେ ପୈତୃକ ଘର ଏବଂ ବାପା ଓ ଦାଦାଙ୍କର ଥିବା ସଂଗଠନକୁ ନଜରରେ ରଖି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତ କିଛି ମାସ ହେଲା ହରିଚନ୍ଦନ ବାପ-ପୁଅ ଚିଲିକା ନିର୍ବାଚନ ମଣ୍ଡଳୀରେ ମନୋନିବେଶ କରିଥିବାରୁ ଭୁବନେଶ୍ବରରୁ ପୂରା ଦୂରେଇ ଯାଇଛନ୍ତି।

ସମ୍ବନ୍ଧିତ ଖବର