ବିଶ୍ବଭୂଷଣ ହେଲେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ବର: ବରିଷ୍ଠ ବିେଜପି େନତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ସେହିପରି ସୁଶ୍ରୀ ଅନସୂୟା ଉକେ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏ ସଂକ୍ରାନ୍ତ ଫାଇଲକୁ ଅନୁମୋଦନ ଦେବା ପରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ େନତୃତ୍ବରେ ବିଜେପି ଶାସନକୁ ଆସିବା ପରେ ପ୍ରଥମ ପାଳିରେ ପୂର୍ବତନ ମନ୍ତ୍ରୀ ଦ୍ରୌପଦ୍ରୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଏବେ ଦ୍ବିତୀୟ ପାଳିରେ ବିଶ୍ବଭୂଷଣଙ୍କୁ ଏହି ସମ୍ମାନଜନକ ନିଯୁକ୍ତି ମିଳିଥିବାରୁ ରାଜ୍ୟ ବିଜେପି ଶିବିରରେ ଆନନ୍ଦ ପ୍ରକାଶ ପାଇଛି।

୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମ େନଇଥିବା ୮୫ ବର୍ଷୀୟ ଶ୍ରୀ ହରିଚନ୍ଦନ ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା ଭାବେ ଜଣାଶୁଣା। ୧୯୭୧ ମସିହାରେ ସେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ୧୯୭୭ ମସିହାରେ ସେ ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନରେ ଗିରଫ ହୋଇ ଜେଲ ଯାଇଥିଲେ। ପରେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ସେ ବିଜେପିର ରାଜ୍ୟ ସଭାପତି ହୋଇଥିଲେ। ବିଜେପି ଛାଡ଼ି ଜନତା ପାର୍ଟିକୁ ଚାଲିଯାଇଥିବା

ଶ୍ରୀ ହରିଚନ୍ଦନ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ। ସେବେଠୁ ସେ ରାଜ୍ୟ ବିଜେପିରେ ଅଛନ୍ତି। ଚିଲିକା ନିର୍ବାଚନମଣ୍ଡଳୀରୁ ୨ ଥର ଓ ଭୁବନେଶ୍ବର ଆସନରୁ ୩ଥର ଏହିଭଳି ୫ ଥର ବିଧାନସଭାକୁ ନିର୍ବାଚିତ େହାଇଥିବା ଶ୍ରୀ ହରିଚନ୍ଦନ ବିଭିନ୍ନ ସରକାରରେ ବରିଷ୍ଠ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି। ପ୍ରଥମ ଥର ଗୃହକୁ ନିର୍ବାଚିତ େହବା ପରେ ୧୯୭୭ରେ ସେ ଖାଦ୍ୟଯୋଗାଣ, ଆଇନ, ଶ୍ରମ ଓ ନିଯୁକ୍ତି, ସଂସ୍କୃତି ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ। ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନଙ୍କୁ ଖାଦ୍ୟ େଯାଗାଣ ଓ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଶ୍ରୀ ହରିଚନ୍ଦନ ଆଇନ, ମତ୍ସ୍ୟ ଓ ପଶୁସଂପଦ, ରାଜସ୍ବ, ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ମାତୃଭାଷା, ଶେଷ ଝଲକ, ରାଣାପ୍ରତାପ, ଅସ୍ତଶିଖା ଓ ମାନସୀ ଭଳି ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି।

ଗତ ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ ଆେଲାଚନା ପରେ ଶ୍ରୀ ହରିଚନ୍ଦନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦ ମିଳିବ େବାଲି ଚର୍ଚ୍ଚା ଚାଲିଥିଲା। ସେହିଦିନ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ। ତେବେ ଏହି ପଦବି ମିଳିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଡ଼ ଭୂମିକା ରହିଥିବା ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ୍ କରିଥିଲେ ଏବଂ ‘ଆପଣଙ୍କୁ ଓଡ଼ିଶା ବାହାରକୁ ଯିବାକୁ ପଡ଼ିବ’ ବୋଲି କହିଥିଲେ। ତେବେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇବା ପରେ ସେ ତାଙ୍କ ନୂଆ ନିଯୁକ୍ତି ବିଷୟରେ ଜାଣିବାକୁ ପାଇଥିଲେ। ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି, ପୂର୍ବରୁ ରାଜ୍ୟର ଆଇନମନ୍ତ୍ରୀ ଭାବେ ସିଧାସଳଖ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ବିବାଦ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼େଇ କରିଥିଲେ। ଏବେ ନୂଆ ଦାୟିତ୍ୱ େନବା ପରେ ସେ ବିବାଦର ସମାଧାନ ପାଇଁ ଚେଷ୍ଟା କରିବେ। ଦୁଇ ରାଜ୍ୟର ସମ୍ପର୍କ କିଭଳି ବଢ଼ିବ ଏବଂ ବିଭିନ୍ନ ସମସ୍ୟାର କିଭଳି ସମାଧାନ ହେବ, ସେଥିପ୍ରତି ଦୃଷ୍ଟି ଦେବେ। ପୋଲାଭରମ୍‌ ପରି ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଯଥା ସମ୍ଭବ ମଧ୍ୟ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ଆନ୍ଧ୍ରପ୍ରଦେଶ ଭଳି ଏକ ବଡ଼ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଥିବାରୁ ଶ୍ରୀ ହରିଚନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର