‘ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌’: ବିଜେଡିର ସାଂଘାତିକ ଅଭିଯୋଗ; ରାଜ୍ୟର ପ୍ରଗତି ଓ ସ୍ୱାର୍ଥ ବିରୋଧରେ ଚାଲିଛି ଷଡଯନ୍ତ୍ର

ଭୁବନେଶ୍ୱର: ‘ମେକ୍‌ ଇନ୍‌ ଓଡିଶା କନକ୍ଲେଭ’ରୁ ସିଆଇଆଇ ଓହରିଯିବା ପ୍ରସଙ୍ଗରେ ବୁଧବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେଡି। ଦଳ ଅଭିଯୋଗ କରି କହିଛି ଯେ ଓଡିଶାର ପ୍ରଗତି ଓ ସ୍ୱାର୍ଥ ବିରୋଧରେ ଏକ ବଡ଼ ଷଡ୍‌ଯନ୍ତ୍ର ଚାଲିଛି। ମେକ୍‌ ଇନ ଓଡିଶାରୁ ସିଆଇଆଇ ଓହରିବାର ରହସ୍ୟ କ’ଣ ବୋଲି ଦଳ ପ୍ରଶ୍ନ କରିଛି। ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେୀ ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷ ଜାଗି ମଙ୍ଗତ ପଣ୍ଡାଙ୍କ ନାଁ ବି ଉଠାଇଛି ବିଜେଡି।

ଦଳ ଅଭିଯୋଗ କରି କହିଛି, ଘଟଣା ପଛରେ କୌଣସି ବ୍ୟକ୍ତିଗତ ଚାପ ରହିଛି। ବ୍ୟକ୍ତିଗତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି କଲେ ଦଳ ଆଦୌ ବରଦାସ୍ତ କରିବନି। ମେକ ଇନ ଓଡିଶାରୁ ଓହରିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ବିଜେଡି ସିଆଇଆଇକୁ ଅନୁରୋଧ କରିଛି। ଏହା ନହେଲେ ମେକ ଇନ ଓଡିଶା ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ବିବେଚନା କରାଯିବ।
ତେବେ ସହଯୋଗ ନ ମିଳିଲେ ବି କନକ୍ଲେଭ ବନ୍ଦ ହେବନି ଓ ରାଜ୍ୟ ସରକାର ଏହାକୁ ଆଗେଇ ନେବେ ବୋଲି ସ୍ପଷ୍ଟ କରିଛି ବିଜେଡି। ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ହେବାକୁ ଥିବା ମେକ ଇନ ଓଡିଶାର ଦ୍ୱିତୀୟ ସଂସ୍କରଣ ଆୟୋଜନରୁ ଭାରତୀୟ ଶିଳ୍ପ ମହାସଂଘ ଓହରିଯିବା ଫଳରେ ଏହି ବିବାଦ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ ୨୦୧୮ର ଆୟୋଜନରୁ ସିଆଇଆଇ ଓହରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ କନଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି- ସିଆଇଆଇର ପୂର୍ବାଞ୍ଚଳ ଅଧ୍ୟକ୍ଷ ଜାଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଥିଲା ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ, ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୧୮ ଆୟୋଜନ ପାଇଁ ସିଆଇଆଇକୁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର। ତେବେ ଗତ ଫେବ୍ରୁଆରି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହ ସମ୍ପୂର୍ଣ୍ଣ ବୁଝାମଣାରେ ଥିବା ସିଆଇଆଇ, ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ ପାଇଁ ସହଯୋଗ କରିବାକୁ ହଠାତ୍‌ ମନା କରି ଦେଇଛନ୍ତି।

ବିଜେଡିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା, ସିଆଇଆଇ ପୂର୍ବାଞ୍ଚଳର ଅଧ୍ୟକ୍ଷା ହେବା ପରେ, ସିଆଇଆଇର ନିଷ୍ପତ୍ତିରେ ପରିବର୍ତନ ଆସିଥିବା ବିଜେଡି ଅଭିଯୋଗ କରିଛି। ୨୦୧୬ରେ ସିଆଇଆଇ ସହ ସହଭାଗିତାରେ ରାଜ୍ୟ ସରକାର ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ କରିଥିଲେ। ସେଥିରୁ ପାଖାପାଖି ସାଢେ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିଲା। ଚଳିତ ବର୍ଷ ନଭେମ୍ବର ୧୧ରୁ ୧୫ ଯାଏଁ ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ -୨୦୧୮ କରିବାକୁ ସ୍ଥିର ହୋଇଛି। ସେପଟେ ସିଆଇଆଇ ମେକ୍‌ ଇନ୍‌ ଓଡିଶା କନକ୍ଲେଭରୁ ଓହରିବା ପରେ ଓଡିଶା ଷ୍ଟେଟ୍‌ କାଉନସିଲ୍‌ ଅଧ୍ୟକ୍ଷ ଅରୁଣ ମିଶ୍ର ଓ ଉପାଧ୍ୟକ୍ଷ ସୁବ୍ରତ ତ୍ରିପାଠୀ ନିଜ ନିଜ ପଦବିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର