ରାହୁଲ ଗାନ୍ଧୀଙ୍କୁ ବିଜେଡିର ପାଲଟା ଜବାବ : ବିନା ହୋମଵାର୍କରେ କାହିଁକି ଓଡ଼ିଶା ଆସୁଛନ୍ତି ରାହୁଲ

ଭୁବନେଶ୍ବର : ବରଗଡ଼ରେ ମହିଳା ସଶକ୍ତିକରଣ ଉପରେ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ବିଜେଡି ସମାଲୋଚନା କରିଛି। କଂଗ୍ରେସ ଅଧ୍ୟକ୍ଷ ଶ୍ରୀଗାନ୍ଧୀ ପୁଣିଥରେ ବିନା ହୋମଵାର୍କରେ ଓଡ଼ିଶା ଆସିଥିବାରୁ ବିଜେଡି ପକ୍ଷରୁ ତାଙ୍କ ବକ୍ତବ୍ୟକୁ ନାପସନ୍ଦ କରାଯାଇଛି। ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି ରାହୁଲ ଗାନ୍ଧୀ ଓଡ଼ିଶାକୁ ନିର୍ବାଚନୀ ପର୍ଯ୍ୟଟନରେ ଆସିବା ପୂର୍ବରୁ ଲୋକସଭାରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଦେବେ ନା ନାହିଁ ସେ ନେଇ ସ୍ପଷ୍ଟ କରନ୍ତୁ।

ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ସାଢ଼େ ୩ ବର୍ଷ କାଳ ଓଡ଼ିଶାକୁ ଭୁଲିଯାଇଥିବା ରାହୁଲ ଏବେ ନିର୍ବାଚନ ବେଳକୁ ପର୍ଯ୍ୟଟନ ଭ୍ରମଣରେ ଓଡ଼ିଶା ଆସିବାକୁ ମନା ନାହିଁ। ମାତ୍ର ଓଡ଼ିଶାରେ ବିକାଶ ସମ୍ପର୍କରେ ତାଙ୍କ ନେତାଙ୍କ ଠାରୁ ଆଗୁଆ ତଥ୍ୟ ବୁଝି ଏଠି ଭାଷଣ ଦେଲେ ତାଙ୍କ ପଦ ମର୍ଯ୍ୟାଦା ରକ୍ଷା ହୁଅନ୍ତା।

ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ବିଜେଡି ଆହୁରି କହିଛି, ଓଡ଼ିଶାକୁ ପର୍ଯ୍ୟଟନ ଭ୍ରମଣରେ ଆସିଥିବା ରାହୁଲ ଗାନ୍ଧୀ ଏଠି ବିକାଶ ସମ୍ପର୍କରେ ପ୍ରତିଶ୍ରୁତିର ଭାଷଣ ଦେବା ପୂର୍ବରୁ ତାଙ୍କ ନେତାମାନଙ୍କ ଠାରୁ ତଥ୍ୟ ଅବଗତ ହୋଇନାହାନ୍ତି। ତା ହୋଇଥିଲେ ଆଜି ବରଗଡ଼ରେ ଏମିତି କହି ନଥାନ୍ତେ। ଓଡ଼ିଶା ସରକାରଙ୍କ କାଳିଆ ଯୋଜନାରେ ୫୦ ଲକ୍ଷ ଚାଷୀ ଉପକୃତ ହେବା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାକୁ ୭ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ମିସନ ଶକ୍ତି ଜରିଆରେ ଓଡ଼ିଶାର ୭୦ ଲକ୍ଷ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରାଯାଇ ପାରିଛି। ସେହିପରି ୪୧ ହଜାର କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ ହେବା ସହ ୨୦ ଲକ୍ଷ ପକ୍କାଘର ନିର୍ମାଣ କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୫ ଲକ୍ଷ ଲୋକ ଉପକୃତ ହୋଇଛନ୍ତି। ୯ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ କରାଯାଇଛି। ଖାଲି ସେତିକି ନୁହେଁ ଓଡ଼ିଶାରେ ୨୫% ଦାରିଦ୍ର୍ୟ ଦୂରୀକରଣ ହୋଇଛି ସର୍ବଭାରତୀୟ ସ୍ତରଠାରୁ ଉପରେ ରହିଛି।

ସମ୍ବନ୍ଧିତ ଖବର