ଗାଁ ଉତ୍ସବରେ ଅତିଥି ଚୟନକୁ ନେଇ ବିବାଦ : ବିଜେଡି-ବିଜେପି ପିଟାପିଟି

ବିଜେପି ସରପଞ୍ଚ ପାର୍ଥିନୀଙ୍କ ମୁଣ୍ଡ ଫାଟିଲା, ଗାଁ ଦାଣ୍ଡ ରଣକ୍ଷେତ୍ର, ୭ ଆହତ

ବିଂଝାରପୁର : ଗାଁ ଉତ୍ସବରେ ନେତାଙ୍କୁ ନିମନ୍ତ୍ରଣ ଘେନି ବିଜେଡି-ବିଜେପି ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ସଦ୍ୟ ବିଜେପିରେ ଯୋଗଦେଇଥିବା ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କୁ ପିଟି ମୁଣ୍ଡ ଫଟାଇ ଦେଇଛନ୍ତି। ଗଣ୍ଡଗୋଳରେ ୭ ଜଣ ଆହତ ହୋଇଛନ୍ତି। ପ୍ରୀତିପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ ଛାଡ଼ି ଦିଆଯାଇଛି। ଘଟଣାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ବିଂଝାରପୁର ପୁଲିସ ଗାଁରେ ପହଞ୍ଚି ପରସ୍ଥିତି ପ୍ରତି ସଜାଗ ଦୃଷ୍ଟି ରଖିଛି। ତେବେ ଏନେଇ ଉଭୟ ପକ୍ଷ ଉଭୟଙ୍କ ବିରୋଧରେ ଅଳକୁଣ୍ଡ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ଏଯାଏ ମାମଲା ରୁଜୁ କରିନାହିଁ। ପରିସ୍ଥିତି ପ୍ରତି ସଜାଗ ଦୃଷ୍ଟି ରଖିଥିବା ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ବିଂଝାରପୁର ଥାନା ଅଳକୁଣ୍ଡ ପଞ୍ଚାୟତ କାଂଜିଆପାଟଣା ଦଳିତ ସାହି ମଙ୍ଗଳା ଦାଣ୍ଡରେ ବାର୍ଷିକ ଭାଗବତ ପାରାୟଣ ଅନୁଷ୍ଠିତ ହୋଇଥିଲା। ଏହି କାଯ୍ୟର୍କ୍ରମରେ ବିଧାୟିକା ପ୍ରମିଳା ମଲ୍ଲିକ ଗୋଟିଏ ଦିନ ଅତିଥି ଥିଲେ । ଏହା ପରଦିନ କେତେକ ବିଜେପି ସମର୍ଥକ ବିଜେପି ନେତା ଅମିୟ ମଲିକ, ନାରୀନେତ୍ରୀ ବବିତା ମଲିକ ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରବଣ ଯେନାଙ୍କୁ ଅତିଥି କରିଥିଲେ । ଏହି ଘଟଣାକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଆଜି ଅଷ୍ଟପ୍ରହରୀ ନଗର କୀର୍ତନ ସାହି ବୁଲିବା ସମୟରେ ବିଜେଡି ଓ ବିଜେପି ଦଳର ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ନିର୍ବାଚନରେ ପରାଜିତ ହୋଇ ବିଜେପିରେ ମିଶିଥିବା ସୁଦର୍ଶନ ମଲିକଙ୍କ ପତ୍ନୀ ରୀନା କୁମାରୀଙ୍କୁ କେତେକ ବିଜେଡି କର୍ମୀମାନେ ଟାର୍ଗେଟ କରିଥିଲେ । ଆଜି ନଗର କୀର୍ତନ ବେଳେ କେତେକ ବିଜେଡି କର୍ମୀ ରୀନା କୁମାରୀଙ୍କୁ ଗାଁ ଦାଣ୍ଡରେ ଘୋଷାରି ନେଇ ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ପରେ ଗାଁ ଦାଣ୍ଡରେ ପୋତା ଯାଇଥିବା ବାଡ଼ ଉପାଡ଼ି ଉଭୟ ପକ୍ଷ ପିଟାପିଟି ଆରମ୍ଭ କରିଦେଇଥିଲେ। ଏଥିରେ ଉଭୟ ପକ୍ଷର ପ୍ରାୟ ୭ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର