କେନ୍ଦ୍ରୀୟ ପିଏସ୍‌ୟୁ ସାମ୍ନାରେ ବିଜୁ ଯୁବ-ଛାତ୍ର ଜନତା ଦଳର ବିକ୍ଷୋଭ

ଓଡ଼ିଶା ଯୁବଶକ୍ତିଙ୍କୁ ନିଯୁକ୍ତି ଦେଉ ନ ଥିବା ଅଭିଯୋଗ

ଭୁବନେଶ୍ବର: ଓଡ଼ିଶାର ଯୁବଶକ୍ତିକୁ ନିଯୁକ୍ତି ସୁଯୋଗ ନ ଦେଇ ପ୍ରତାରଣା କରୁଥିବା ପ୍ରତିବାଦରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍‌ୟୁ) ସାମ୍ନାରେ ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ବରର ନାଲ୍‌କୋ ଅଫିସ୍, ଆଇଓସିଏଲ୍ ଓ ରେଳ ସଦନ, ପାରାଦୀପସ୍ଥିତ ତୈଳ ବିଶୋଧନାଗାର, ସମ୍ବଲପୁରର ଏମ୍‌ସିଏଲ୍ ଅଫିସ୍ ଓ ରାଉରକେଲାର ଆର୍‌ଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳର ନେତାମାନେ ଅଭିଯୋଗ କରିଥିଲେ, ଓଡ଼ିଶାରେ ୩୦ରୁ ଅଧିକ କେନ୍ଦ୍ରୀୟ ପିଏସ୍‌ୟୁ ଥିଲା ବେଳେ ସେଥିରେ ଓଡ଼ିଆ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ନାହିଁ। କେନ୍ଦ୍ର ସରକାର ଏହି ପିଏସ୍‌ୟୁଗୁଡ଼ିକରେ ଅନ୍ୟ ରାଜ୍ୟରୁ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଉ ନାହାନ୍ତି। ଓଡ଼ିଶାରେ ଶିଳ୍ପର ପ୍ରଗତି ପାଇଁ ଶିଳ୍ପ କରିଡର୍‌ର ଆବଶ୍ୟକତା ରହିଛି। ବାରମ୍ବାର ବିଜେଡି ସରକାରଙ୍କ ଅନୁରୋଧ ସ‌େତ୍ତ୍ବ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଓଡ଼ିଶାର ଦାବିକୁ ଅଗ୍ରାହ୍ୟ କରି ଆସୁଛନ୍ତି। ଯୁବଶକ୍ତିଙ୍କ ପାଇଁ ନିଯୁକ୍ତି କ୍ଷେତ୍ର‌େର ଜିଏସ୍‌ଟିର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରିତା ଯୋଗୁ ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ହଟହଟା ହେଉଛନ୍ତି। ଏହା ଯୋଗୁ ଅନେକ କ୍ଷୁଦ୍ର ବ୍ୟବସାୟୀ ନିଜ ବ୍ୟବସାୟ ବନ୍ଦ କରିସାରିଲେଣି। ପାରାଦୀପଠାରେ ଥିବା ତୈଳ ବିଶୋଧନାଗାରରେ ଓଡ଼ିଆ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏଠାରେ କାହିଁକି ଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ବୋଲି ବାରମ୍ବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରାଯାଉଥିଲେ ବି ସେ ତାହାର ଜବାବ ଦେଉ ନାହାନ୍ତି। କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତିଙ୍କ ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଏହି କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକରେ ଯେଉଁ ଖାଲି ସ୍ଥାନ ଅଛି, ସେଥିରେ ଓଡ଼ିଶାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ମିଳୁ ବୋଲି ସେମାନେ ଦାବି କରିଥିଲେ। ଭୁବନେଶ୍ବରଠାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ସଞ୍ଜୟ ଦାସବର୍ମା, ପ୍ରଭାତ ବିଶ୍ବାଳ, ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ରାଜ୍ୟ ସମ୍ପାଦକ ବିଜୟ ନାୟକ, ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ମେୟର ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର