ଅନୁଗୁଳ: ୩ ପୌରାଞ୍ଚଳ ଦଖଲ ଲକ୍ଷ୍ୟରେ ବିଜେଡି,ବିଜେପି

ଅନୁଗୁଳ ପୌରାଞ୍ଚଳରେ ଅଧିକ ଭୋଟ ପାଇଛି ବିଜେପି

ଅନୁଗୁଳ: ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ପୌର ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଅନୁଗୁଳ ଜିଲ୍ଲା ଯଦିଓ ୫ଟି ବିଧାନସଭା କ୍ଷେତ୍ରରେ ବିଜେଡିକୁ ଜିତେଇ ଆସୁଛି, ପୌର ନିର୍ବାଚନରେ କିନ୍ତୁ ସେଭଳି ଘଟୁ ନାହିଁ। ଜିଲ୍ଲାର ତିନିଟି ପୌରାଞ୍ଚଳ ମଧ୍ୟରୁ ତାଳଚେରକୁ ଛାଡ଼ି ଦେଲେ ଅନୁଗୁଳ ପୌର ପରିଷଦ ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦ(ଏନ୍‌ଏସି)ରେ କଂଗ୍ରେସର ରାଜୁତି ଚାଲିଆସିଛି। ବିଜେପି ଓ ବିଜେଡି ଏହି ଦୁଇ ପୌରାଂଚଳ ଦଖଲ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ କଂଗ୍ରେସ ଗଡ଼ ରକ୍ଷା ନିମନ୍ତେ ପ୍ରୟାସ କରୁଛି । ‌ତେବେ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଏଥର କଂଗ୍ରେସ ଏହି ଦୁଇ ପୌର ସଂସ୍ଥା ଦଖଲ କରିବା ସେତେଟା ସହଜ ହେବ ନାହିଁ। ଏହା ବାଦ୍‌ ଏଥର ନଗରପାଳ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ଦଳୀୟ ଚିହ୍ନ ସାଂଗକୁ ପ୍ରାର୍ଥୀଙ୍କର ବ୍ୟକ୍ତିତ୍ବ ଉପରେ ଅନେକ କିଛି ନିର୍ଭର କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଗତ ୪ଟି ପୌର ନିର୍ବାଚନରେ ଅନୁଗୁଳ ପୌର ପରିଷଦ କଂଗ୍ରେସ କବ୍‌ଜା‌ରେ ରହି ଆସିଛି। ହେଲେ ଚଳିତ ବିଧାନସଭା ‌ନିର୍ବାଚନରେ ଏହି ପୌରାଞ୍ଚଳରେ କଂଗ୍ରେସ ସ୍ଥିତି ଦୋହଲି ଯାଇଛି। ପୂର୍ବ ବିଧାନସଭା ନିର୍ବାଚନରେ ଏଠାରେ ବିଜେଡି ବେଶୀ ଭୋଟ ଟାଣୁଥିବା ବେଳେ ଏଥର କିନ୍ତୁ ବିଜେପି ଅଧିକ ଭୋଟ ହାତେଇଛି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଜ୍ଞାପିତ ଅଂଚଳ ପରିଷଦ/ପୌର ପରିଷଦର ଅଧ୍ୟକ୍ଷ (ନଗରପାଳ) ପଦ ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ ହୋଇଥିଲା। ସେତେବେଳେ ଜନତା ଦଳର ପ୍ରାର୍ଥୀ ଶକ୍ତି ପଟ୍ଟନାୟକ ଅନୁଗୁଳ ବିଜ୍ଞାପିତ ଅଂଚଳ ପରିଷଦ(ଏନ୍‌ଏସି)ର ନଗରପାଳ ନିର୍ବାଚିତ ହୋଇଥିଲେ। ବିଧାନସଭା ନିର୍ବାଚନରେ ୨୦୦୯ରେ ଅନୁଗୁଳ ପୌରାଂଚଳରେ କଂଗ୍ରେସ ଠାରୁ ବିଜେଡି ପ୍ରାୟ ୧୮୦୦ ଓ ୨୦୧୪ରେ ୨୨୦୦ ଭୋଟ୍ ଅଧିକ ପାଇଥିଲା। ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଠାରୁ ଅଧିକ ଭୋଟ ଟାଣିଛି ବିଜେପି। ଏଥର କଂଗ୍ରେସର‌ ସ୍ଥିତି ଦୋହଲି ଯାଇଛି।

୨ ପୌରାଞ୍ଚଳ ଦଖଲରେ ଥିବା କଂଗ୍ରେସର ସ୍ଥିତି ଦୋହଲିଯାଇଛି

ଆଠମଲ୍ଲିକ ଏନଏସି ଗତ ୧୯୯୬ ମସିହାରେ ୧୧ଟି ୱାର୍ଡକୁ ନେଇ ଗଠିତ ହୋଇଛି। ବରିଷ୍ଠ ବିଜେଡି ନେତା ସଂଜୀବ ସାହୁ ଗତ ୨ଟି ବିଧାନସଭା ନିର୍ବାଚନରେ ଆଠମଲ୍ଲିକ ବିଧାନସଭା ‌କ୍ଷେତ୍ରରୁ ଜିତିଥିବା ବେଳେ ତାଙ୍କ ସମୟରେ ହୋଇଥିବା ୨ଟି ଯାକ ପୌର ନିର୍ବାଚନରେ ବିଜେଡି ଏଠାରୁ ହାରିଛି। ଏଠାରେ ୧୦ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ରାଜୁତି କରିଛି। ଏକକ ସଂଖ୍ୟା ଗରିଷ୍ଠତା ଥାଇ କଂଗ୍ରେସ ଏହି ଏନ୍‌ଏସିରେ ଶାସନ କରୁଥିବା ବେଳେ ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ଗତ ଥର କଂଗ୍ରେସ ନେତାଙ୍କ ମଧ୍ୟରେ କ୍ଷମତା ଅକ୍ତିଆର ପାଇଁ ଟଣାଓଟରାରେ ୫ ବର୍ଷିଆ କାର୍ଯ୍ୟକାଳ ‌େଶଷ ହୋଇଛି। ଏହାକୁ ନେଇ କଂଗ୍ରେସ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଥିବା ଅସନ୍ତୋଷ ବିଜେପି ଓ ବିଜେଡି ପାଇଁ ଏଥର ଏକ ସୁଯୋଗ ସୃଷ୍ଟି କରିଛି। ପୌର ନିର୍ବାଚନରେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି। ତାଳଚେର ପୌର ପରିଷଦ ଅକ୍ତିଆର କରିବା ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ମୋଟ ୨୧ଟି ୱାର୍ଡକୁ ନେଇ ଗଠିତ ତାଳଚେର ପୌର ପରିଷଦ ଅଂଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ତାଳଚେର ବିଧାୟକ ବ୍ରଜ ପ୍ରଧାନ ଓ ‌େଢଙ୍କାନାଳ ସାଂସଦ ମହେଶ ସାହୁଙ୍କ ଘର। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଠାରୁ ଅଧିକ ଭୋଟ ଟାଣିଛି ବିଜେଡି। ଏହାକୁ ନେଇ ବେଶ୍ ଉତ୍ସାହିତ ଥିବା ବିଜେଡି ପୌର ନିର୍ବାଚନରେ ବି ଦୋହରାଇବ ବୋଲି ଆଶା ରଖିଛି। କେବଳ ୨ଟି ୱାର୍ଡରେ ବିଜେଡି ଠାରୁ ଅଧିକ ଭୋଟ ପାଇଥିବା ବିଜେପି କିନ୍ତୁ ବିଧାନସଭା ନିର୍ବାଚନ ସମୟର ତ୍ରୁଟି ସୁଧାରି ତାଳଚେର ପୌର ପରିଷଦକୁ ଅକ୍ତିଆର କରିବାକୁ ଯୋଜନା ରଖିଛି। ତାଳଚେର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଥିବାରୁ କର୍ମୀଙ୍କ ମଧ୍ୟରେ ପୌର ନିର୍ବାଚନକୁ ନେଇ ଏ ପର୍ଯ୍ୟନ୍ତ ସେତେଟା ଉତ୍ସାହ ଦେଖିବାକୁ ମିଳି ନାହିଁ। ଅପରପକ୍ଷରେ ବିଜେଡି ୱାର୍ଡ କମିଟି ଗଠନ କରି ନଗରପାଳ ଓ କାଉନସିଲର ପଦ ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ କରି ଦେଇଛି। ନଗରପାଳ ପଦ ପାଇଁ କେଉଁଠି କେଉଁ ବର୍ଗର ପ୍ରାର୍ଥୀଙ୍କ ସଂରକ୍ଷିତ ରହିବ ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ୩ଟି ଯାକ ପୌରାଂଚଳରେ ଆଶାୟୀଙ୍କ ମଧ୍ୟରେ ଲବି ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର