‘ଉଜ୍ଜଳା’କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ହିତାଧିକାରୀ ଚୟନରେ ଅନିୟମିତତା ହୋଇଛି: ବିଜେଡି, କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତି ବିଜେଡିର ଅସୂୟା ଭାବ: ବିଜେପି

ଭୁବନେଶ୍ୱର : ‘ଉଜ୍ଜଳା’ ଯୋଜନାରେ ୫ କୋଟି ହିତାଧିକାରୀଙ୍କୁ ସିଲିଣ୍ଡର୍‌ ପ୍ରଦାନ କରିଛି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନାର ସଫଳତାକୁ ଜୋର୍‌ଦାର୍‌ ପ୍ରଚାର କରାଯାଉଥିଲା ବିଜେଡି ଏହାକୁ ଗ୍ରହଣ କରିନି। ଉଜ୍ଜଳା ଯୋଜନାର ବିଭିନ୍ନ ତ୍ରୁଟିକୁ ପଦାକୁ ଆଣିବା ସହ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି। ଅପର ପକ୍ଷରେ ବିଜେଡିର ଏହି ଆଭିମୁଖ୍ୟକୁ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତି ଅସୂୟା ଭାବ ବୋଲି କହିଛି ବିଜେପି।

ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଲେ, ସଂସଦରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁଯାୟୀ ଯୋଜନା ଆରମ୍ଭ ହେବା ଦିନ ଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍‌ କରାଯାଇଛି। ଏହା ମଧ୍ୟରୁ ୨୦୧୬-୧୭ ଆର୍ଥିକ ବର୍ଷରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ରିଫିଲ୍‌ ନେଇଛନ୍ତି ଓ ୨୦୧୭-୧୮ରେ ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଞ୍ଚିଛି। ପ୍ରତି ବର୍ଷ ଏହି ସଂଖ୍ୟା ହ୍ରାସ ପାଉଥିବାର ଦେଖାଯାଉଛି। ଯଦି ହିତାଧିକାରୀ ରିଫିଲ୍‌ ନେବାକୁ ଆସୁ ନାହାନ୍ତି, ତେବେ ଯୋଜନା ବିଫଳ ବୋଲି ଧରାଯିବ। ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍‌ କରାଯାଇ ଦ୍ୱିତୀୟ ରିଫିଲ୍‌ ବଜାର ଦର ଅନୁସାରେ ନେବାକୁ କୁହାଯାଉଛି। ସବ୍‌ସିଡି ଠିକ୍‌ ଭାବେ ହିତାଧିକାରୀଙ୍କୁ ଖାତାକୁ ଆସୁ ନାହିଁ। ଉଜ୍ଜଳା ଯୋଜନାର ହିତାଧିକାରୀ ଚୟନକୁ ନେଇ ଅତୀତରେ ଅନେକ ତର୍କବିତର୍କ ସୃଷ୍ଟି ହୋଇଛି। ପ୍ରଥମେ କୁହାଯାଇଥିଲା ଯେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ମାଧ୍ୟମରେ ସିଲିଣ୍ଡର୍‌ ବଣ୍ଟାଯିବ। କିନ୍ତୁ ତାହା କରାଗଲା ନାହିଁ। ବିଜେପି ନେତାମାନେ ନିଜେ ହିତାଧିକାରୀ ଚୟନ କଲେ। ଆଇଓସିଏଲ୍‌ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ କରାଗଲା ଓ ସେମାନେ ବାଣ୍ଟିଲେ। ତେଣୁ ଏହି ଯୋଜନାକୁ ସଫଳ ବୋଲି ଆଦୌ କୁହାଯିବ ନାହିଁ। ଏହାକୁ ସଫଳ କରିବା ପାଇଁ ଯେଉଁ ଆନୁଷଙ୍ଗିକ ପଦକ୍ଷେପ ନିଆଯିବା କଥା, ତାହା କରାଯାଇ ନାହିଁ। କେନ୍ଦ୍ର ମନ୍ତ୍ରୀ ଓଡ଼ିଶାର ଜନତାଙ୍କୁ ବାସ୍ତବ ଚିତ୍ର ଦିଅନ୍ତୁ ବୋଲି ଶ୍ରୀ ଦେବ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର ଓ ବିଜୟ ନାୟକ ଉପସ୍ଥିତ ଥିଲେ।

ବିଜେଡିର ଏହି ଆରୋପର ଜବାବ ଦେଇଛି ବିଜେପି। ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଉଜ୍ଜଳା ଯୋଜନା ସାରା ବିଶ୍ୱରେ ଆଦୃତ ହୋଇଛି। ବିଜେଡି କେବଳ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ଭିତ୍ତିହୀନ ମନ୍ତବ୍ୟ ଦେଉଛି। ଗ୍ୟାସ୍‌ ସିଲିଣ୍ଡର୍‌ ନେବାର ଦୁଇ ତିନି ଦିନ ମଧ୍ୟରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସବ୍‌ସିଡି ଅର୍ଥ ଆସିଥାଏ। ସ୍ୱାଧୀନତା ପର ଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ରାଜ୍ୟରେ ଏଲ୍‌ପିଜି ଉପଭୋକ୍ତା ସଂଖ୍ୟା ମାତ୍ର ୨୦ ଲକ୍ଷ ଥିଲା। କିନ୍ତୁ ଗତ ୪୮ ମାସରେ ତାହା ୬୯ ଲକ୍ଷ ୨୪ ହଜାରରେ ପହଞ୍ଚିଛି। ୨୦୧୬ ଜୁନ୍‌ରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଉଜ୍ଜ୍ୱଳା ଯୋଜନା କାର୍ଯ୍ୟକାରୀ କରାଇଥିଲେ। ଏହା ପରେ ରାଜ୍ୟରେ ୨୫ ମାସରେ ୩୦ ଲକ୍ଷ ଉପଭୋକ୍ତାଙ୍କୁ ମାଗଣାରେ ଗ୍ୟାସ୍‌ ସଂଯୋଗ ଯୋଗାଇ ଦିଆଯାଇଛି। ୧୮ ବର୍ଷ ଶାସନ କଲା ପରେ ବିଜେଡି ନିଜ ଅପାରଗତାକୁ ଘୋଡ଼ାଇବା ପାଇଁ ଏପରି ନାଟକ କରୁଛି। କେନ୍ଦ୍ରୀୟ ଯୋଜନାଗୁଡ଼ିକୁ କିପର ହଡ଼ପ କରାଯିବ, ତାହା ବିଜେଡି ସରକାରର ଏକମାତ୍ର ଉଦ୍ଦେଶ୍ୟ।

ସମ୍ବନ୍ଧିତ ଖବର