ଓଟିଭିକୁ ବଜେଡିର ବୟକଟ୍‌, ପ୍ୟାନେଲ ଡିସକସନରେ ପକ୍ଷପାତିତା ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା ଟେଲିଭିଜନ୍‌(ଓଟିଭି)କୁ ବିଜୁ ଜନତା ଦଳ ବୁଧବାର ବୟକଟ୍‌ କରିଛି। ପ୍ୟାନେଲ ଡିସକସନ ବେଳେ ପକ୍ଷପାତିତା କରୁଛି ବୋଲି ବିଜେଡି ଅଭିଯୋଗ ଆଣିଛି। ସାଂସଦ ବୈଜୟନ୍ତଙ୍କ ଚ୍ୟାନେଲ ହୋଇଥିବାରୁ ଏହା ସବୁ ବେଳେ ପକ୍ଷପାତିତା କରି ଆସୁଛି। ଏହି ଚ୍ୟାନେଲରେ କେବଳ ଜଣେ ସାଂସଦଙ୍କ ଖବରକୁ ଗୁରୁତ୍ୱ ଦିଆଯାଉଛି ବୋଲି ବିଜେଡି ଅଭିଯୋଗ ଆଣିଛି। ପକ୍ଷପାତିତାରୁ ନିବୃତ୍ତ ରହିଲେ ପୁଣି ଡିସକସନକୁ ଫେରିବୁ ବୋଲି ବିଜେଡି କହିଛି।

ଏ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଓଟିଭି ନିରପେକ୍ଷ ଖବର ପରିବେଷଣ କରୁନାହିଁ। ସେ କହିଛନ୍ତି, ଏହି ଚ୍ୟାନେଲ ରାଜ୍ୟ ସରକାର ଓ ବିଜେଡିକୁ କାଠଗଡ଼ାରେ ଛିଡ଼ା କରିବାକୁ ଉଦ୍ୟମ କରୁଛି। ବିତର୍କ ସମୟରେ ବିଜେଡିକୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉ ନାହିଁ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ପରେ ଓଟିଭି ରାଜ୍ୟ ସରକାର ଓ ବିଜେଡିକୁ କାଠ ଗଡ଼ାରେ ଛିଡା କରିବାକୁ ଉଦ୍ୟମ କରୁଛି। ସେଥିପାଇଁ ଓଟିଭି ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରୁ ବିଜେଡି ନିବୃତ୍ତ ରହିବ।

ଅନ୍ୟପକ୍ଷରେ ବିଜେଡିର ଅଭିଯୋଗ ଉପରେ ଓଟିଭି ସ୍ପଷ୍ଟୀକରଣ ଦେଇଛି। ଓଟିଭି ସର୍ବଦା ନିରପେକ୍ଷତା ଅବଲମ୍ବନ କରିଥାଏ। ବିଜେଡିକୁ ମଧ୍ୟ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯାଇଛି କିନ୍ତୁ ବିଜେଡି ପ୍ୟାନେଲିଷ୍ଟ ବିତର୍କକୁ ଆସିନଥାନ୍ତି।

ସମ୍ବନ୍ଧିତ ଖବର