ଚାପ ନାହିଁ, ତଥାପି କଷ୍ଟସାଧ୍ୟ : ୩ ରାଜ୍ୟସଭା ଆସନ ପାଇଁ ବିଜେଡିରେ କସରତ, ଆଶାୟୀ ୫୦ରୁ ଅଧିକ, ନବୀନଙ୍କ ଉପରେ ନଜର

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ପ୍ରତିଶ୍ରୁତି େଦଇଥିଲେ। ସେ ଯାହା କୁହନ୍ତି, ତାହା କରନ୍ତି। ନିର୍ବାଚନ ସମୟରେ ବିଜେଡି ସୁପ୍ରିମୋ ତଥା‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା କଥାକୁ ଏମିତି ଢଙ୍ଗରେ ଗଣମାଧ୍ୟମ ସାମ୍ନାରେ ମନେ ପକାଇ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଦୃଢ ନିଶ୍ଚିତ ଅଛନ୍ତି େଯ ସେମାନଙ୍କୁ ଏଥର ରାଜ୍ୟସଭାକୁ ପଠାଯିବ। େକବଳ ଏଇ ଦୁଇଜଣ ନୁହନ୍ତି, ଓଡ଼ିଶାର ଖାଲି ପଡୁଥିବା ତିନିଟି ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିେଜଡି ଶିବିରରେ ପାଖାପାଖି ପଚାଶରୁ ଅଧିକ େନତା ରାଜ୍ୟସଭା ପାଇଁ ଲବି ଆରମ୍ଭ କରିଦେଇଛନ୍ତି।

ଯିଏ ଗତ ନିର୍ବାଚନରେ ହାରିଛନ୍ତି ସେ ଚାହୁଛନ୍ତି, ତାଙ୍କୁ ରାଜ୍ୟସଭା ପଠାଯାଉ। ଯିଏ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ, ସେମାନେ ବି ଏହି ଦୌ଼ଡରେ। ସଂଗଠନ ଦାୟିତ୍ବ ତୁଲାଉଥିବା େନତାଙ୍କ ଆଖି ଏହି ତିନିଟି ଆସନ ଉପରେ ରହିଛି। କିଛି ପ୍ରଶାସକ ନିର୍ବାଚନ ପୂର୍ବରୁ ହଠାତ୍ ରାଜନୀତିକୁ ଲମ୍ଫ ମାରିଥିଲେ। େସମାନଙ୍କ ମଧ୍ୟରୁ କେତେଜଣଙ୍କୁ ଦଳୀୟ ଟିକେଟ୍ ମିଳିଥିଲା। ସଫଳତା କମ ପାଇଛନ୍ତି। ଅନ୍ୟମାନେ ଖାଲି ପଡୁଥିବା ରାଜ୍ୟସଭା ଆସନ ଉପରେ ସେବେଠାରୁ ନଜର ରଖିଥିଲେ। ଏବେ ଲବି େଜାରଦାର କରିଦେଇଛନ୍ତି। ସମାଜସେବା ସହିତ େଯାଡି େହାଇ ରହିଥିବା କିଛି ବ୍ୟକ୍ତି ବିେଶଷ, ଦଳୀୟ ଟିେକଟରୁ ବଞ୍ଚିତ ଆଶାୟୀ େନତାମାେନ ବି ରାଜ୍ୟସଭା ଟିକେଟ୍ ହାତେଇବା ଲାଗି ଛାମୁଆ େନତାମାନଙ୍କ ସହିତ େଯାଗାେଯାଗ ଆରମ୍ଭ କରିଦେଲେଣି।

ଏବେ ପ୍ରଶ୍ନ ଉଠୁଛି, ତିନିଟି ରାଜ୍ୟସଭା ଆସନ ଲାଗି ଏମାନଙ୍କ ମଧ୍ୟରୁ ନବୀନ କାହାକୁ ବାଛିବେ? େଦଇଥିବା ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକାରୀ କରିବେ ନା ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ପଠାଯିବ େବାଲି କହି ଟାଳିଦେବେ? ଶ୍ରୀ ଚ୍ୟାଉ ପଟ୍ଟନାୟକଙ୍କ ସ୍ଥାନରେ ବିେଜଡି ଭଲ ପ୍ରଦର୍ଶନ କରିଛି। କିନ୍ତୁ ଭୁବନେଶ୍ବର େଲାକସଭା େକ୍ଷତ୍ର ଦଳ ଗଠନ ପରଠାରୁ ପ୍ରଥମ ଥର ପାଇଁ ହରାଇଛି। ଏଥିପାଇଁ ପ୍ରସନ୍ନଙ୍କୁ ମୂଲ୍ୟ ଦେବାକୁ ପଡିବନି ତ? ରାଜ୍ୟସଭା ନିର୍ବାଚନରେ ନବୀନ ସବୁବେଳେ କିଛି ଚକମା େଦଇଛନ୍ତି। ଚର୍ଚ୍ଚା େହଉଥିବା ପ୍ରାର୍ଥୀଙ୍କୁ ବାଦ ଦେଇ ହଠାତ୍ କିଛି େନତାଙ୍କୁ ଟିକେଟ୍ ଦେଇଥାନ୍ତି। ଏଥର ସେମିତି କରିବେ?

ଏମିତି ଅନେକ ପ୍ରଶ୍ନ ବିେଜଡି ଶିବିରରେ ଆେଲାଚନାର ବିଷୟ େହାଇଛି।

ରାଜନୈତିକ ମହଲରେ ମଧ୍ୟ। ନବୀନଙ୍କ ମତିଗତି କେହି ଠଉରାଇ ପାରୁନାହାନ୍ତି।

ନିର୍ବାଚନ କମିସନ୍‌ଙ୍କ ଘୋଷଣା ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ ଜୁନ୍ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୫ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ ହେବ। ପ୍ରାର୍ଥିପତ୍ରଗୁଡ଼ିକୁ ୨୬ ତାରିଖରେ ଯାଞ୍ଚ୍ କରାଯିବ ଓ ଆଗ୍ରହୀ ପ୍ରାର୍ଥୀ ୨୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ।

ଏହି ଉପନିର୍ବାଚନର ସ୍ବତନ୍ତ୍ରତା ହେଲା, ପ୍ରତିଟି ଖାଲିପଡିଥିବା ଆସନ ସ୍ବତନ୍ତ୍ର ଆସନ ଭାବେ ବିବେଚନା କରାଯିବ। ବିଧାନସଭାରେ ବିଜେଡିର ୧୧୧, ବିଜେପିର ୨୩, କଂଗ୍ରେସର ୯, ସିପିଏମ ୧ ଓ ସ୍ୱାଧୀନ ୧ ସଦସ୍ୟ ଅଛନ୍ତି। ନିର୍ବାଚନ ସୂତ୍ର ଅନୁସାରେ, ୭୩ ଜଣ ସଭ୍ୟଙ୍କ େଭାଟ ମିଳିଲେ, ଜଣେ ପ୍ରାର୍ଥୀ ବିଜୟୀ ହେବେ। ସଂଖ୍ୟା ଦୃଷ୍ଟିରୁ ବିଚାର କଲେ ୩ଟି ଯାକ ଆସନ ବିେଜଡି ହାତକୁ ଯିବା ସୁନିଶ୍ଚିତ। କଂଗ୍ରେସ (ଏକାକୀ) ହାତରେ ପ୍ରସ୍ତାବକ ପାଇଁ ଆବଶ୍ୟକ ସଦସ୍ୟ ମଧ୍ୟ ନାହାନ୍ତି। ଅବଶ୍ୟ ସେମାନେ ସିପିଏମ୍ ବା ସ୍ବାଧୀନ ସଭ୍ୟଙ୍କ ସମର୍ଥନ େନଇପାରନ୍ତି। ବିେଜପି ପ୍ରାର୍ଥୀ ଦେଇପାରିବ। କିନ୍ତୁ େଯହେତୁ ଜିତିବା ସମ୍ଭାବନା ଆଦୌ ନାହିଁ, ଏଣୁ ଦଳ ପ୍ରାର୍ଥୀ ନିର୍ବାଚନରୁ ଦୂରେଇ ରହିପାରେ। ଏପରିସ୍ଥଳେ ନବୀନ ଯାହାର ନାମ େଘାଷଣା କରିବେ, ଯଦି ପ୍ରାର୍ଥିପତ୍ର ବୈଧ ରହେ, ତେବେ ସେ ରାଜ୍ୟସଭା ଯିବେ।

ଶ୍ରୀ ଚ୍ୟାଉ ପଟ୍ଟନାୟକ ଓ ଶ୍ରୀ ପାଟ୍ଟଶାଣୀଙ୍କ ବ୍ୟତୀତ ବିେଜଡିରେ ମିଶିଥିବା ପୂର୍ବତନ ପ୍ରଶାସକ ଅମର ପଟ୍ଟନାୟକ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ସଂଜୟ ଦାସବର୍ମା, ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ େନଇ ବିେଜଡି ଶିବିରରେ ଚର୍ଚ୍ଚା ଚାଲିଛି। ବଲାଙ୍ଗୀର ରାଜନୀତିରେ ନିଜର ଦବଦବା ରଖିବା ପାଇଁ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମଧ୍ୟ ଆଶାୟୀ ଥିବା କୁହାଯାଉଛି। ଏମାନଙ୍କ ବ୍ୟତୀତ ସଂଖ୍ୟାଲଘୁ ବର୍ଗରୁ ମୁଖପାତ୍ର ଡ. ସସ୍ମିତ ପାତ୍ର, ମହିଳା କାର୍ଡରେ ଶ୍ରୀମୟୀ ମିଶ୍ର ପ୍ରମୁଖଙ୍କ ନାମ ହାଇକମାଣ୍ଡ ବିଚାର କରିପାରନ୍ତି େବାଲି ଦଳୀୟ େନତାମାନେ ଆେଲାଚନା କରୁଛନ୍ତି।

ବିେଜଡିର ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ନିର୍ବାଚନ େଶଷ େହାଇଥିବା ପରିପ୍ରେକ୍ଷୀରେ ନବୀନଙ୍କ ଉପରେ ଚାପ ଆଉ ବିେଶଷ ନାହିଁ। ଆଉ ଏକ କାରଣ େହଉଛି, ସାଂସଦ ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ ବର୍ଷକରୁ କମ୍ ସମୟ ଥିବାରୁ ସେଠାରେ ନିର୍ବାଚନ କମିସନ ଉପନିର୍ବାଚନ ପାଇଁ ଚାହିନାହାନ୍ତି। ୨୦୨୦ ଏପ୍ରିଲ ୨ ତାରିଖରେ ତାଙ୍କ କାର୍ଯ୍ୟକାଳ ସରିଥାନ୍ତା। ସେ ସମୟରେ ଏହି ଆସନ ବ୍ୟତୀତ ବିେଜଡି ସାଂସଦ ସରୋଜିନୀ େହମ୍ବ୍ରମ୍ ଓ କଂଗ୍ରେସ ସାଂସଦ ରଂଜୀବ ବିଶ୍ବାଳଙ୍କର କାର୍ଯ୍ୟକାଳ େଶଷ େହଉଛି। ଅର୍ଥାତ୍ ସେବେ ପୁଣି ୩ଟି ଆସନ ପାଇଁ ନିର୍ବାଚନ ହେବ। ଏଣୁ ଏଥର ଯିଏ ବାଦ୍ ପଡିବେ, ନବୀନ ତାଙ୍କୁ ଆଉ ୮ ମାସ ପରେ ପୂରା ୬ ବର୍ଷପାଇଁ ପଠାଇ ପାରନ୍ତି। ଏଣୁ ପ୍ରାର୍ଥୀ ଚୟନକୁ ନେଇ ଦଳରେ ଅସନ୍ତୋଷ ପ୍ରକାଶ କଲେ, େକାଣଠେସା ସମ୍ଭାବନା ଅଧିକ। ଏମିତିରେ ବି ନବୀନ ଏଯାଏ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଗମରେ ନିଯୁକ୍ତି ଦେଇନାହାନ୍ତି। ଦକ୍ଷତା ମିସନ, ରାଜ୍ୟ େଯାଜନା େବାର୍ଡ ଉପାଧ୍ୟକ୍ଷ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପଦବି ଗତ ସରକାର ସମୟରେ ସୃଷ୍ଟି କରାଯାଇଛି, େଯଉଁଠାରେ କ୍ୟାବିନେଟ ପାହ୍ୟାର ସୁବିଧା ବିଭିନ୍ନ ବ୍ୟକ୍ତିବିେଶଷ ଉପଭୋଗ କରିଛନ୍ତି। ଏଣୁ ସେଠାରେ ବି ପାଞ୍ଚବର୍ଷିଆ ଥଇଥାନ ସୁେଯାଗ ରହିଛି। ଦଳର ସାଂଗଠନିକ ପୁନର୍ବିନ୍ୟାସ ଚାଲିଛି ଓ ଅପେକ୍ଷାକୃତ ଅଧିକ କ୍ଷମତା େନତାମାନଙ୍କୁ ଦେବା ଲାଗି େଯାଜନା ଚାଲିଥିବାରୁ କିଛି େନତାଙ୍କୁ ସେଠାରେ ନିଯୁକ୍ତି ଦିଆଯାଇପାରେ।

ରାଜନୈତିକ ମହଲର କହିବା କଥା, ରାଜନୈତିକ ଚାପ ବା ବାଧ୍ୟବାଧକତା ଆଦୌ ନବୀନଙ୍କ ଉପରେ ନାହିଁ। ଏଥର ପାଳିରେ ରାଜ୍ୟର ବିକାଶର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଣୁ ରାଜ୍ୟସଭା ଚୟନ ପ୍ରକ୍ରିୟାରେ ଆପାତତଃ ସ୍ବଚ୍ଛ, ଦକ୍ଷ ତଥା ଓ ନାମକରା ବ୍ୟକ୍ତିଙ୍କୁ ବିେଜଡି ସୁପ୍ରିମୋ ପଠାଇବେ େବାଲି ଆଶା କରାଯାଉଛି। ଆଉ କିଛି ନ ହେଲେ ନାହିଁ, ବିେଜପି ଓ କଂଗ୍ରେସ ସଂଖ୍ୟା ଉଭୟ େଲାକସଭା ଓ ବିଧାନସଭାରେ ବଢିଥିବା କାରଣରୁ ନବୀନଙ୍କ ପାଇଁ ବିଧାନସଭା ବାହାରେ ଓ ଭିତରେ ଚ୍ୟାଲେଞ୍ଜ ବଢିପାରେ। ଏସବୁ ଦୃଷ୍ଟିରୁ ନବୀନଙ୍କ ପ୍ରତିଟି ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିବ।

ସମ୍ବନ୍ଧିତ ଖବର