ଭୁବନେଶ୍ୱର: ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ଗ୍ରାମରେ ସାଂସଦ ପାଣ୍ଠିରେ (୨୦ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ) ନିର୍ମିତ ଜଳଯୋଗାଣ ପ୍ରକଳ୍ପ ଉଦ୍ଘାଟନ ନେଇ ସୃଷ୍ଟି ହୋଇଥିବା ବିବାଦ ଆଜି ନୂଆ ମୋଡ଼ ନେଇଛି। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ତାଙ୍କର ରାଜନୈତିକ ସଚିବ ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଛନ୍ତି। ସେପଟେ ସ୍ଥାନୀୟ ସରପଞ୍ଚ ସରୋଜିନୀ ଦାସ ପ୍ରକଳ୍ପକୁ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ୧୧ ତାରିଖ କାର୍ଯ୍ୟକ୍ରମକୁ ବନ୍ଦ ନ କରିବା ଲାଗି ନିବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ୧୧ ତାରିଖରେ ସାଂସଦ ଶ୍ରୀ ପଣ୍ଡା ବୁହାଳୋ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରଖିଛନ୍ତି। ହେଲେ ସାଂସଦ-ସ୍ଥାନୀୟ ନେତାଙ୍କ ମଧ୍ୟରେ ରହିଥିବା ବିବାଦ କାରଣରୁ ମାହାଙ୍ଗା ଭଳି ଏଠାରେ ବି ପରିସ୍ଥିତି ସୃଷ୍ଟି ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା କଥା ସୂଚାଇ ଗତକାଲି ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ଠାରୁ ଆରମ୍ଭ କରି ଦଳର କିଛି ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ଉଦ୍ଘାଟନ ଉତ୍ସବକୁ ବାତିଲ୍ କରିବା ଲାଗି ଦାବି ଜଣାଇଥିଲେ। ଆଜି ତାଙ୍କ ରାଜନୈତିକ ସଚିବ ଜ୍ୟୋତିପ୍ରକାଶ ଘୋଷଙ୍କ ଦସ୍ତଖତରେ ଆସିଥିବା ବିବୃତି ଜରିଆରେ ସାଂସଦ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ କରି ଘଟଣା ପାଇଁ ପରୋକ୍ଷରେ ଦାୟୀ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ରଖି କୁହାଯାଇଛି, ଦଳର ରାଜ୍ୟ ସଭାପତି ଘଟଣା ପଛର ସତ୍ୟତା ଉପଲବ୍ଧି କରିବେ ଓ ଦଳ ଏବଂ ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଠିକଣା ପଦକ୍ଷେପ ନେବେ। ଏକଥା ବି କୁହାଯାଇଛି ଯେ ମାହାଙ୍ଗାର ସ୍ଥାନୀୟ ଲୋକେ ଗୁଣ୍ଡାଗିରି ରାଜନୀତିକୁ ଘୃଣା କରିବା ଆରମ୍ଭ କଲେଣି। ସେମାନେ ଠିକ୍ ସମୟରେ ଠିକଣା ଲୋକଙ୍କୁ ଉଚିତ୍ ଶିକ୍ଷା ଦେବେ। ଶ୍ରୀ ଘୋଷଙ୍କ ଦସ୍ତଖତରେ ଆସିଥିବା ଏହି ସ୍ପଷ୍ଟୀକରଣରେ ଏକଥା ଲେଖାଯାଇଛି ଯେ ଏହି ଉଦ୍ଘାଟନ କାର୍ଯ୍ୟକ୍ରମକୁ ଲିଖିତ ଭାବେ ପତ୍ର ପଠାଯାଇ ସ୍ଥାନୀୟ ନେତାଙ୍କୁ ବ୍ୟକ୍ତିଗତ ନିମନ୍ତ୍ରଣ ଦିଆଯାଇଛି। ଏହା ଏକ ରାଜନୈତିକ କାର୍ଯ୍ୟକ୍ରମ ନୁହେଁ। ବରଂ ଏକ ସରକାରୀ କାର୍ଯ୍ୟକ୍ରମ। ପାଣିଟାଙ୍କି ପ୍ରକଳ୍ପ ସ୍ଥାନୀୟ ହଜାର ହଜାର ଲୋକଙ୍କ ପିଇବା ପାଣି ସମସ୍ୟାର ସମାଧାନ କରିବ। ଏଣୁ ସାଧାରଣରେ ଏହି ପ୍ରକଳ୍ପକୁ ସମସ୍ତଙ୍କର ସମର୍ଥନ ରହିଛି। ଏଥିରେ ପିସି କାରବାର କଥା ମଧ୍ୟ ଉଠାଯାଇଛି। ସାଂସଦଙ୍କ ଏଭଳି ପଦକ୍ଷେପ ଆଜି ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଛି। ଏଥିସହିତ ବିଜେଡି ବିବାଦ ପଦାରେ ପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାଂସଦ ବୈଜୟନ୍ତଙ୍କ ପକ୍ଷ ନେଲେ ସ୍ଥାନୀୟ ସରପଞ୍ଚ
ନିଶ୍ଚିନ୍ତକୋଇଲି ପ୍ରକଳ୍ପ ଉଦ୍ଘାଟନ ରାଜନୀତି ଘନାଇଲା
ସେହିଭଳି ଆଜି ସ୍ଥାନୀୟ ସରପଞ୍ଚ ସରୋଜିନୀ ଦାସ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ୧୧ ତାରିଖ କାର୍ଯ୍ୟକ୍ରମକୁ ଠିକ୍ ଭାବେ ସମ୍ପାଦନ ପାଇଁ ନିବେଦନ କରିଛନ୍ତି। ଏହାର ନକଲ ଏସ୍ପିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏ ଦିଆଯାଇଛି। ଏଥିରେ ଲେଖାଯାଇଛି, ସାଂସଦ ପାଣ୍ଠିରେ ପାଣି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ସମସ୍ୟା ଦୂରୀଭୂତ ହେବ। ଗତବର୍ଷ ମେ’ ମାସରେ ମାହାଙ୍ଗାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶ୍ରୀ ପଣ୍ଡାଙ୍କୁ ସ୍ଥାନୀୟ ବିଜେଡି କର୍ମୀ ଅଣ୍ଡାମାଡ଼଼ କରିଥିଲେ।