ବିଜେପି ବିରୋଧରେ ଥାନାରେ ଏତଲା ଦେଲା ବିଜେଡି : ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ଠକିଛି ବିଜେପି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ହେଲା ଫେରାଦ

ଭୁବନେଶ୍ବର : ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କୁ ଭାରତୀୟ ଜନତା ପାର୍ଟି ଠକିଛି। ୨୦୧୪ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇ ଗତ ୫ ବର୍ଷରେ କଲାନାହିଁ। ଏବେ ୨୦୧୯ ନିର୍ବାଚନ ଇସ୍ତାହାରେ ମଧ୍ୟ ବିଜେପି ସେହି ପ୍ରସଙ୍ଗକୁ ଉଲ୍ଲେଖ କରିନାହିଁ। ରାଜ୍ୟବାସୀଙ୍କୁ ପ୍ରତାରିତ କରିବା ଅପରାଧରେ ଆଜି ଭୁବନେଶ୍ବର ଖାରବେଳ ନଗର ଥାନାରେ ବିଜୁ ଜନତା ଦଳ ପକ୍ଷରୁ ବିଜେପି ବିରୋଧରେ ଏତଲା ଦାୟର କରାଯାଇଛି। ଅନ୍ୟପଟେ ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ନକରିବା ଦ୍ବାରା ଭାରତୀୟ ଜନତା ପାର୍ଟି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ଆଦର୍ଶ ଆଚରଣ ବିଧିର ଉଲଂଘନ କରିଛି। ବିଜେପି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ଅଭିଯୋଗ ପତ୍ର ପ୍ରଦାନ କରିଛି।

ସୋମବାର ବିଜେଡି ପକ୍ଷରୁ ଖାରବେଳ ନଗର ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଏତଲାରେ ଦର୍ଶାଯାଇଛି, ୨୦୧୪ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟିର ନିର୍ବାଚନ ଇସ୍ତାହାରର ପ୍ରଥମ ସଂଖ୍ୟାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଲେ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ଆଧାରରେ ବିଜେପିର ପ୍ରାର୍ଥୀମାନେ ମଧ୍ୟ ଭୋଟ ଭିକ୍ଷା କରିଥିଲେ। କିନ୍ତୁ କ୍ଷମତାରେ ୫ ବର୍ଷ ରହିବା ପରେ ବି ଓଡ଼ିଶାର ଏ ହକ ପ୍ରତି ଟିକିଏ କାର୍ଯ୍ୟ କଲେନାହିଁ। ଏବେ ୨୦୧୯ ମସିହା ନିର୍ବାଚନୀ ଇସ୍ତାହାରରେ ବି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ ବିଜେପି କିଛି ବି କହିନାହିଁ। ପ୍ରତିଶ୍ରୁତି ଦେଇ ପାଳନ ନକରିବା ଅପରାଧ। ରାଜ୍ୟର ସାଢ଼େ ଚାରିକୋଟି ଲୋକଙ୍କୁ ବିଜେପି ଠକିଛି। ରାଜ୍ୟବାସୀଙ୍କୁ ଠକିବା ଅଭିଯୋଗରେ ବିଜେପି ବିରୋଧରେ ଏତଲା ଗ୍ରହଣ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଅନୁରୋଧ କରିଛି।

ଅନ୍ୟପଟେ ଥାନାରେ ଏତଲା ଦେବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେଡି ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ପତ୍ରରେ ଦଳ ଦର୍ଶାଇଛି, ୨୦୧୯ ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ଜାରି କରିଥିବା ଆଦର୍ଶ ଆଚରଣ ବିଧିର ଧାରା ୧୮ ଅନୁଯାୟୀ ନିର୍ବାଚନୀ ଇସ୍ତାହାର ଯୁକ୍ତିଯୁକ୍ତ ଓ ବାସ୍ତବତା ଉପରେ ଆଧାରିତ ହେବା ଦରକାର। ଏହାସହିତ ପ୍ରତିଶ୍ରୁତି ପାଳନ ପାଇଁ ଆର୍ଥିକ ବ୍ୟବସ୍ଥା କିପରି କରାଯିବ ତାହା ମଧ୍ୟ ସ୍ପଷ୍ଟ କରିବା ସହିତ ଭୋଟରଙ୍କ ବିଶ୍ବାସଭାଜନ ହେବାଭଳି ପ୍ରତିଶ୍ରୁତି ଦେବା ଆବଶ୍ୟକ। କିନ୍ତୁ ବିଜେପି ଦ୍ବାରା ପ୍ରକାଶିତ ନିର୍ବାଚନୀ ଇସ୍ତାହାର ସମ୍ପୂର୍ଣ୍ଣ ରୂପେ ଏହି ଧାରାକୁ ଉଲଂଘନ କରିଛି ବୋଲି ବିଜେଡି ଅଭିଯୋଗ କରିଛି।

ଆଚରଣ ବିଧି ଉଲଂଘନ ନେଇ ବିଜେଡି ଉଲ୍ଲେଖ କରିଛି, ୨୦୧୪ରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଗତ ୫ ବର୍ଷ ଭିତରେ ସେ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବା ବିଜେପି ଦଳ ୨୦୧୯ ନିର୍ବାଚନୀ ଇସ୍ତାହାରରେ କୌଣସି ଉଲ୍ଲେଖ କରିନାହିଁ। ଏହାର ଅର୍ଥ, ୨୦୧୪ରେ ରାଜ୍ୟବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିଲା। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନର ଦେଢ଼ଗୁଣ ବୃଦ୍ଧି କରିବାକୁ ମଧ୍ୟ ୨୦୧୪ରେ ପ୍ରତିଶ୍ରୁତି ମିଳିଥିଲା। ଯାହାକୁ କ୍ଷମତାରେ ଥିବାବେଳେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ପୁରା କରିପାରିଲେନି। ଏବେ ପୁଣି ଥରେ ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଅତୀତର ପ୍ରତିଶ୍ରୁତିକୁ ପାଳନ କରିବାକୁ କେବେ ବି ବିଜେପିର ଆନ୍ତରିକତା ନଥିଲା। ଜଳସେଚନ ପାଇଁ ବିଜେପି ଯେଭଳି ପ୍ରତିଶ୍ରୁତି ରଖିଛି ତାହା ଅବାସ୍ତବ। ରାଜ୍ୟ ବଜେଟ୍ ମାତ୍ର ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ହେଉଥିବାବେଳେ କେବଳ ଜଳସେଚନ ପାଇଁ ବିଜେପି ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ପ୍ରତିଶ୍ରୁତି ଦେବା ବୁଝାପଡ଼ୁନି। ଏହା କିପରି ସମ୍ଭବ ହେବ, ଆଉ ଆର୍ଥିକ ବ୍ୟବସ୍ଥାଟି କଣ ହେବ ସେ ଦିଗରେ ଭାରତୀୟ ଜନତା ପାର୍ଟି ସ୍ପଷ୍ଟ କରିବା ଉଚିତ ଥିଲା। ବିଜେଡି ଦର୍ଶାଇଛି, କେନ୍ଦ୍ର ବଜେଟରେ ଜଳ ସେଚନ ପାଇଁ ୧ଲକ୍ଷ କୋଟି ବ୍ୟୟ ବରାଦ ହେଉନଥିବା ବେଳେ ଗୋଟିଏ ରାଜ୍ୟର ଜଳସେଚନ ବାବଦ ଖର୍ଚ୍ଚ ୧ ଲକ୍ଷ କୋଟି କରିବାକୁ ବିଜେପି ପ୍ରତିଶ୍ରୁତି ରଖିବା ଅବାସ୍ତବ ଚିନ୍ତାଧାରା।

ବିଜେଡି ଅଭିଯୋଗ ପତ୍ରରେ ଆହୁରି ଦର୍ଶାଇଛି, ଗତ ୫ ବର୍ଷ ଭିତରେ ରାଜ୍ୟରେ ଗୋଟିଏ ବି ବନ୍ଦର କରିନଥିବା କେନ୍ଦ୍ର ସରକାର ଏବେ ନିର୍ବାଚନ ସମୟରେ ଆସନ୍ତା ୫ ବର୍ଷରେ ୧୫ଟି ବନ୍ଦର କରିବା ନେଇ ପ୍ରତିଶ୍ରୁତି ଦେବା ରାଜ୍ୟବାସୀଙ୍କୁ ଭଣ୍ଡାଇବା ସଦୃଶ। ବାର୍ଷିକ ୨ କୋଟି ନିଯୁକ୍ତି ଦେବା ପାଇଁ ୨୦୧୪ରେ ପ୍ରତିଶ୍ରୁତି ଦେଇ ପାଳନ ନକରି ପୁଣି ଥରେ ରାଜ୍ୟର ସବୁ ପରିବାରକୁ ଚାକିରି ଓ ନିଯୁକ୍ତି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ବିଜେପିର ରାଜ୍ୟବାସୀଙ୍କୁ ପ୍ରତାରଣା ଛଡ଼ା ଆଉ କିଛି ନୁହେଁ। ସେହିପରି ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଗଠନ କରିବାର ସ୍ବପ୍ନ ଦେଖାଇବା କେବଳ ଅବାସ୍ତବ ପ୍ରତିଶ୍ରୁତି ବୋଲି ବିଜେଡି ଅଭିଯୋଗ କରିଛି। ଏପରି ମିଛ ପ୍ରତିଶ୍ରୁତି ଦେଇଥିବା ଦଳ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଅଭିଯୋଗ ପତ୍ରରେ ଅନୁରୋଧ କରିଛି।

ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ସମେତ ମୁଖପାତ୍ର ଲେନିନ୍ ମହାନ୍ତି ଓ ମୁଖପାତ୍ର ସୁଲତା ଦେଓ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର