ବିଜେଡି ହରତାଳ ବିରୋଧରେ ଜନସ୍ୱାର୍ଥ ମାମଲା : କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଆଦାୟ କରିବାକୁ ନିବେଦନ

ମୁଖ୍ୟମନ୍ତ୍ରୀଙ୍କ ସମେତ ୫ ଜଣଙ୍କୁ ପକ୍ଷଭୁକ୍ତ

କଟକ : ବିଜେଡିର ସେପ୍ଟେମ୍ବର ୧୮ ତାରିଖ ହରତାଳରେ ଯେଉଁ କ୍ଷୟକ୍ଷତି ହୋଇଛି, ତାହାର କ୍ଷତିପୂରଣ ଦଳଠାରୁ ଆଦାୟ କରାଯାଉ। ଏ ପ୍ରକାର ଅନୁରୋଧ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ପକ୍ଷ କରାଯାଇଛି। ‘ବଜ୍ରକିଳା’ର ସଂପାଦକ ବରଦା ପ୍ରସନ୍ନ ଶତପଥୀଙ୍କ ପକ୍ଷରୁ ରୁଜୁ ଏହି ଜନସ୍ୱାର୍ଥ ମାମଲାରେ ରାଜ୍ୟ ଗୃହ ସଚିବ, ଉଚ୍ଚଶିକ୍ଷା ସଚିବ, ଗଣଶିକ୍ଷା ସଚିବ ଓ ପୁଲିସ ଡିଜିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।

ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ସେପ୍ଟେମ୍ବର ୧୮ ତାରିଖ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ବିଜେଡି ରାଜ୍ୟବ୍ୟାପୀ ହରତାଳ କରିଥିବା ବେଳେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା। ଏପରି ଅସାମ୍ବିଧାନିକ ଓ ବେଆଇନ କାର୍ଯ୍ୟକଳାପ ଯୋଗୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଜାତୀୟ ତଥା ଘରୋଇ ସଂପତ୍ତି ନଷ୍ଟ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଗାଡିମଟର ଭଙ୍ଗାରୁଜା କରାଯାଇଥିଲା। ଏହା ସତ୍ତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ହରତାଳ ସମୟରେ ସମ୍ବିଧାନର ଧାରା ୧୪, ୧୯ ଓ ୨୧ରେ ପ୍ରଦାନ କରାଯାଇଥିବା ମୌଳିକ ଅଧିକାର ଜନସାଧାରଣଙ୍କ ଉଲ୍ଲଘଂନ ହୋଇଥିବା ସ୍ପଷ୍ଟ ହୋଇଥିଲା।

ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଭିନ୍ନ ରାୟରେ ବନ୍ଦ୍‌ କିମ୍ବା ହରତାଳ ସମୟରେ ମୌଳିକ ଅଧିକାର ଯେପରି କ୍ଷୁଣ୍ଣ ନ ହେବ ତା’ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବନ୍ଦ୍‌ ବା ହରତାଳ ସମୟରେ ଅନ୍ୟ ପାଇଁ ଅସୁବିଧା ସୃଷ୍ଟି କରାଯାଇ ପାରିବ ନାହଁ ଓ ସରକାରୀ ଓ ଘରୋଇ ସଂପତ୍ତି ନଷ୍ଟ ହେବ ନାହିଁ। ଏଥି ସହିତ କାହାକୁ ଏପରି ଆନ୍ଦୋଳନରେ ସାମିଲ ହେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ଅଦାଲତଙ୍କ ରାୟରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କିନ୍ତୁ ହରତାଳ ସମୟରେ ଏପରି ଆଦେଶ ଉଲ୍ଲଘଂନ କରାଯାଇଥିଲା। ହରତାଳ ସମୟରେ ଘରୋଇ ଓ ସରକାରୀ ସଂପତ୍ତି ନଷ୍ଟ କରାଯାଇଥିଲା। ଲୋକମାନଙ୍କ ଯାତାୟତରେ ବାଧା ସୃଷ୍ଟି କରାଯାଇଥିଲା। ବିଜେଡି କର୍ମୀଙ୍କ ଦ୍ୱାରା ନଷ୍ଟଭ୍ରଷ୍ଟ କରାଯାଇଥିବା କ୍ଷୟକ୍ଷତିର ପରିମାଣ ଆକଳନ କରାଯିବା ଉଚିତ। ଏହାପରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ବିଜେଡି ନିକଟରୁ କ୍ଷତି ଭରଣା କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର