ତେଲ ପାଇଁ ଗର୍ଜିଲା ବିଜେଡି : ରାଜଭବନ ସାମ୍ନାରେ ବିକ୍ଷୋଭ, ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ ଆରମ୍ଭ

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଗଲା ସ୍ମାରକପତ୍ର

ଭୁବନେଶ୍ୱର : ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧିକୁ ବିଜେଡି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଆଜି ରାଜଧାନୀ ସମେତ ସାରା ରାଜ୍ୟରେ ତିନି ଦିନିଆ ଆନ୍ଦୋଳନ ଆରମ୍ଭ ହୋଇଛି। ରାଜଭବନ ସମ୍ମୁଖରେ ଆୟୋଜିତ ବିଶାଳ ପ୍ରତିବାଦ ସଭାରେ ବିଜେଡି ନେତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ। ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। ପରେ ବିଜେଡିର ଏକ ୩୦ ଜଣିଆ ପ୍ରତିନିଧି ଦଳ ତୈଳ ଦର କମାଇବା ପାଇଁ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

ବିଜେଡି ନେତାମାନେ ଆରୋପ ଲଗାଇଥିଲେ, ଗତ ୪ ବର୍ଷ ମଧ୍ୟରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଗଠିତ ଏନ୍‌ଡିଏ ସରକାର ଅମଳରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର କ୍ରମାଗତ ଭାବେ ବଢ଼ିଚାଲିଛି। କିନ୍ତୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବାରମ୍ବାର ହ୍ରାସ ପାଇଛି। ଏହି ହ୍ରାସର ପ୍ରଭାବ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ୍‌ ଦରକୁ ଆଦୌ ପ୍ରଭାବିତ କରିପାରିନି। ଆହୁରି ମଧ୍ୟ କେନ୍ଦ୍ର ସରକାର ବାରମ୍ବାର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିବାରୁ ପେଟ୍ରୋଲ ଓ ଡିଜେଲ୍‌ ଦର ବଢ଼ି ଏବେ ଆକାଶଛୁଆଁ ହେଲାଣି।

ବିଜେଡି ପକ୍ଷରୁ ଆହୁରି ଆରୋପ ଲଗାଯାଇଛି, ପେଟ୍ରୋଲ୍‌ଜାତ ଦ୍ରବ୍ୟକୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ବାରମ୍ବାର କହୁଛନ୍ତି। କିନ୍ତୁ ଜିଏସ୍‌ଟି ପ୍ୟାନେଲ୍‌ ମୁଖ୍ୟ ତଥା ବିହାର ଅର୍ଥ ମନ୍ତ୍ରୀ ସୁଶିଲ ମୋଦି ଜିଏସ୍‌ଟି ଅନ୍ତର୍ଭୁକ୍ତ କରାଯିବା ନେଇ ହେଉଥିବା ଆଲୋଚନାକୁ ଅମୂଳକ ବୋଲି କହିସାରିଲେଣି। ତେଣୁ ପେଟ୍ରୋଲିୟମ୍‌ ମନ୍ତ୍ରୀ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାର ବିଚାରବିମର୍ଷ ଚଳାଇଥିବା ନେଇ ଦେଇଥିବା ବିବୃତି ତାଙ୍କର ଏକ ସୁଆଙ୍ଗ। ତେଣୁ କେନ୍ଦ୍ର ସରକାର ତୁରନ୍ତ ଉତ୍ପାଦ ଶୁଳ୍କ ହ୍ରାସ କରି ତୈଳ ଦର କମାନ୍ତୁ ବୋଲି ବିଜେଡି ଦାବି କରିଛି।

ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଶଶିଭୂଷଣ ବେହେରା, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଅରୁଣ କୁମାର ସାହୁ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଳିକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଭାତ ତ୍ରିପାଠୀ, ପ୍ରଶାନ୍ତ ଜଗଦ୍ଦେବ, ଦେବାଶିଷ ନାୟକ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, କିଶୋର ଚନ୍ଦ୍ର ତରାଇ, ରାଜ୍ୟ ସମ୍ପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏଥିରେ ବହୁ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର