ସର୍ଟସର୍କିଟ୍‌ରୁ ଅଘଟଣ : ଶ୍ବାସରୁଦ୍ଧ ହୋଇ ‌ବିଜେଡି ନେତା ଅଲେଖଙ୍କ ସମେତ ୩ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଗୁରୁବାର ବିଳମ୍ବିତ ରାତିରେ ଘଟିଯାଇଛି ଏକ ମର୍ମନ୍ତୁଦ ଅଘଟଣ। ଏ.ସି. ସର୍ଟସର୍କିଟ୍‌ ହୋଇ ଅଗ୍ନିକାଣ୍ଡ ଘଟିବା ପରେ ଧୂଆଁ ଯୋଗୁଁ ଶ୍ବାସରୁଦ୍ଧ ହୋଇ ବରିଷ୍ଠ ବିଜେଡି ନେତା ତଥା ବିସିସି ବ୍ୟାଙ୍କ୍‌ ପୂର୍ବତନ ସଭାପତି ଅଲେଖ ଚୌଧୁରୀ(୬୯)ଙ୍କ ସମେତ ୩ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ମୃତକ ହେଲେ ସ୍ବର୍ଗତ ଚୌଧୁରୀଙ୍କ ଶାଳକ ଭଗବାନ ପାତ୍ର(୮୪) ଓ ତତ୍ତ୍ବାବଧାରକ ସୁନୀଲ ସାହୁ(୧୯)। ଏଭଳି ଦୁଃଖଦ ଘଟଣା ପରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଶବ ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶ ମଧ୍ୟରେ ଗୋସାଇଁ ନୂଆଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।

ଗୋସାଇଁ ନୂଆଗାଁ ଥାନା ପାଣିଗ୍ରାହୀ ସାହି ନିବାସୀ ଶ୍ରୀ ଚୌଧୁରୀ ଓ ପତ୍ନୀ ସୁଷମା ଚୌଧୁରୀ ଗତରାତିରେ ‌ଗୋଟିଏ କୋଠରିରେ ଶୋଇଥିଲେ। ଦାଣ୍ଡଘରେ ଶାଳକ ଭଗବାନ ଓ ସୁନୀଲ ଶୋଇଥିଲେ। ରାତି ପ୍ରାୟ ୨ଟା ବେଳେ ହଠାତ୍‌ ଘରେ ଧୂଆଁ ଭର୍ତ୍ତି ହୋଇ ଯାଇଥିଲା। ନିଃଶ୍ବାସ ନେବାରେ ଅସୁବିଧା ହେବା ସହିତ ନିଆଁର ଝାସ ଯୋଗୁଁ ଗରମ ଅନୁଭବ ହେବାରୁ ଶ୍ରୀ ଚୌଧୁରୀଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଉଠି ପଡ଼ି କୋଠରିରେ ଧୂଆଁ ଭର୍ତ୍ତି ହେବା ସହ ଘରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପତ୍ନୀ ସୁଷମାଙ୍କୁ ଉଠାଇ କୋଠାରି ବାହାରକୁ ଆଣିଥିଲେ ଏବଂ ତାଙ୍କୁ ପଡ଼ୋଶୀଙ୍କ ଘର ବାରଣ୍ଡାରେ ବସାଇଥିଲେ। ଅଗ୍ନିକାଣ୍ଡ କଥା ଶୁଣି ପଡ଼ୋଶୀ ଲୋକ ମଧ୍ୟ ବାହାରକୁ ଦୌଡ଼ି ଆସିଥିଲେ। ଶ୍ରୀ ଚୌଧୁରୀ ବଡ଼ପୁଅ ଧୀରଜଙ୍କୁ ଫୋନ୍‌ କରି ଦମକଳ ବାହିନୀକୁ ଖବର କରିବାକୁ କହିଥିଲେ। ଘର ଭିତରେ ଶାଳକ ଭଗବାନ ଓ ସୁନୀଲ ରହିଯାଇ ଥିବାରୁ ଉଭୟଙ୍କୁ ଉଦ୍ଧାର କରିବାକୁ ଶ୍ରୀ ଚୌଧୁରୀ ସାହସ ଜୁଟାଇ ଘର ଭିତରକୁ ଯିବା ପାଇଁ ଉଦ୍ୟମ କରିଥିଲେ। ଏଥିରେ ପଡ଼ୋଶୀ ଲୋକ ତାଙ୍କୁ ବାରଣ କରିଥିଲେ। ଏହା ସତ୍ତ୍ବେ ଶ୍ରୀ ଚୌଧୁରୀ ନିଆଁ ଝୁଲ ଡେଇଁ ଘର ଭିତରକୁ ପଶିଥିଲେ। ତେବେ ସେତେବେ‌ଳକୁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିବାରୁ ସେ ନିଜେ ମଧ୍ୟ ଆଉ ବାହାରକୁ ବାହାରି ପାରି ନଥିଲେ। ବିଦ୍ୟୁତ ଚାଲିଯିବାରୁ ଘର ଅନ୍ଧାର ହୋଇ ଯାଇଥିବା ବେଳେ ଧୂଆଁ ଯୋଗୁଁ ସମସ୍ତେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ।

ଦମକଳ ବାହିନୀ ରାତି ପ୍ରାୟ ସାଢ଼େ ୨ଟା ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା। ବ୍ରହ୍ମପୁର ଫାୟାର୍‌ ଷ୍ଟେସନ୍‌ ଏଏଫ୍‌ଓ ସନାତନ ମହାପାତ୍ରଙ୍କ ନେତୃତ୍ବରେ ଦୁଇଟି ଗାଡ଼ି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ନିଆଁ ଘରର ଚାରିଆଡ଼େ ବ୍ୟାପି ଯାଇଥିବା ବେଳେ କାଠ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ହୁତ୍‌ହୁତ୍‌ ହୋଇ ଜଳୁଥିଲା। ଦମକଳ ବାହିନୀକୁ ମଧ୍ୟ ଘର ଭିତରକୁ ଯିବା ପାଇଁ ଅସୁବିଧା ହୋଇଥିଲା। ପରେ ଆଉ ଗୋଟିଏ ଗାଡ଼ି ଆସି ନିଆଁ ଲିଭାଇ ଥିଲା। ପ୍ରାୟ ୧ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରି ଦମକଳ ବାହିନୀ କର୍ମଚାରୀ ଘର ଭିତରକୁ ପଶିଥିଲେ। ଘରର ରୋଷେଇଶାଳ ନିକଟରେ ଅଲେଖ, ଭଗବାନ ଓ ସୁନୀଲ ୩ ଜଣଯାକ ପଡ଼ି ରହିଥିଲେ। ସେମାନେ ବାରିପଟ କବାଟ ଦେଇ ବାହାରକୁ ବାହାରିବାକୁ ଉଦ୍ୟମ କରିଥିବା ଏବଂ ପ୍ରଚଣ୍ଡ ନିଆଁ ଓ ଧୂଆଁ ଯୋଗୁଁ ସଫଳ ହୋଇ ନଥିବା ଅନୁମାନ କରାଯାଉଛି। ଦମକଳ ବାହିନୀ ୩ଜଣଙ୍କୁ ଉଦ୍ଧାର କରି ତୁରନ୍ତ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରିଥିଲା। ଏହି ସମୟରେ ଶ୍ରୀ ଚୌଧୁରୀଙ୍କ ଚେତା ଥିଲା। କିନ୍ତୁ ଡାକ୍ତରଖାନା ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବଡ଼ ଡାକ୍ତରଖାନାରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା।

ଖବର ପାଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିଥିଲେ। ସେପଟେ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ବେହେରା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ଶ୍ରୀ ଚୌଧୁରୀଙ୍କ ଘରେ ପହଞ୍ଚିଥିଲେ। ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର