ଧର୍ମେନ୍ଦ୍ରଙ୍କୁ ବିଜେପି ନେତାଙ୍କ ପ୍ରଶ୍ନ : ପାର୍ଟି କ’ଣ ତମ ପୈତୃକ ସଂପତ୍ତି?

ବଅଁରପାଳ : ବିଜେପିର ଅନୁଗୁଳ ଜିଲ୍ଲା ସଂଗଠନରେ ‘ନୂଆ-ପୁରୁଣା’ ବିବାଦକୁ ନେଇ କୁହୁଳିଥିବା ନିଆଁ ଆଜି ବିସ୍ଫୋରକ ରୂପ ନେଇଛି। କିଛି ବର୍ଷ ତଳେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଯୁବନେତା ପ୍ରତାପ ପ୍ରଧାନ (ନିଲୁ)ଙ୍କ ବିରୋଧରେ ଦଳର ପୁରୁଖା ନେତାମାନେ ଅତୀତରେ ବାରମ୍ବାର ସ୍ବର ଉତ୍ତୋଳନ କରି ଆସିଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଏଥିଲାଗି ବେଶ୍ ହଟହଟା ହେବାକୁ ପଡ଼ିଛି।

ସୂଚନା ଅନୁସାରେ, ବଅଁରପାଳସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ରୌପ୍ୟ ଜୟନ୍ତୀ ଉତ୍ସବରେ ଯୋଗଦେବା ପାଇଁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପୂର୍ବାହ୍ଣ ୧୧ଟା ୧୫ ମିନିଟରେ ହେଲିକପ୍ଟର ଯୋଗେ ଆସି ଗଡ଼ସନ୍ତ୍ରୀସ୍ଥିତ ନେହରୁ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଓହ୍ଲାଇଥିଲେ। ବିଜେପିର ବହୁ ତୁଙ୍ଗ ନେତା ଓ ଦଳୀୟ କର୍ମୀ ତାଙ୍କୁ ସେଠାରେ ସ୍ବାଗତ ସମ୍ବର୍ଧନା ଦେଇ ଏକ ବାଇକ୍ ‌େଶାଭାଯାତ୍ରାରେ ବଅଁରପାଳ ଶିଶୁ ମନ୍ଦିରକୁ ପାଛୋଟି ନେଇଥିଲେ। ଉତ୍ସବ ଶେଷ ହେବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସେଠାରୁ ସିଧାସଳଖ ଗଡ଼ସନ୍ତ୍ରୀ ହେଲିପ୍ୟାଡ୍‌କୁ ଫେରି ଆସିଥିଲେ। ସେଠାରେ ଉପସ୍ଥିତ ଦଳର କେତେକ ସ୍ଥାନୀୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କାଳରେ ସେ କୁଆଡ଼େ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପ୍ରତାପ ପ୍ରଧାନ (ନିଲୁ)ଙ୍କୁ ଅନୁଗୁଳ ନିର୍ବାଚନମଣ୍ଡଳୀ ପାଇଁ ଏମ୍‌ଏଲ୍ଏ ଟିକେଟ୍ ଦେବାକୁ ସ୍ଥିର ହୋଇଛି ଓ ଏଥିରେ ସମସ୍ତେ ସହଯୋଗ କରିବାକୁ କହିଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏଭଳି ଖୋଲା ମନ୍ତବ୍ୟ ଶୁଣି ସେଠାରେ ଉପସ୍ଥିତ ପାର୍ଟିର ଜିଲ୍ଲା ଓବିସି ମୋର୍ଚା ସଭାପତି ଦିଲୀପ ପ୍ରଧାନ ଉତ୍ତେଜିତ ହୋଇ ପଡ଼ିଥିଲେ। ସେ ନିଜ କ୍ରୋଧ ସମ୍ବରଣ କରି ନପାରି ‘ଜିଲ୍ଲାର ଦଳୀୟ ନେତାଙ୍କ ସହ ଆଲୋଚନା ନକରି ମନେ ମନେ କେମିତି ଏପରି ନିଷ୍ପତ୍ତି ନେଲେ? ଦଳରେ କ’ଣ ଆଉ କେହି ନାହାନ୍ତି କି?’ ବୋଲି ଚଢା ଗଳାରେ ପଚାରିଥିଲେ। ସର୍ବସମକ୍ଷରେ ଦିଲୀପଙ୍କ ଏଭଳି ଅପ୍ରତ୍ୟାଶିତ ପ୍ରଶ୍ନବାଣରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଅପମାନିତ ବୋଧ କରି ରାଗିପାଚି ଲାଲ୍ ପଡ଼ି ଯାଇଥିଲେ। ‘ତୁମେ ଦଳରେ ଥାଇ ଅଧିକ ବିଶୃଙ୍ଖଳା କରୁଛ। ଯିଏ ମୋ ନିଷ୍ପତ୍ତିରେ ଏକମତ ହେବ ନାହିଁ, ସେ ଦଳରୁ ବାହାରିଯାଉ’ ବୋଲି ରୋକଠୋକ୍ ଶୁଣାଇଥିଲେ। କେବଳ ଏତିକି ନୁହେଁ, ଆଜି ସଂଧ୍ୟାସୁଦ୍ଧା ତାଙ୍କୁ ପାର୍ଟି ଛାଡ଼ିବାକୁ ମଧ୍ୟ ସେ ଖୋଲା ଧମକ ଦେଇଥିଲେ।ଏହି କଥାକୁ ନେଇ ଧର୍ମେନ୍ଦ୍ର ଓ ଦିଲୀପଙ୍କ ମଧ୍ୟ‌େର ବେଶ୍ କିଛି ସମୟଧରି ଯୁକ୍ତିତର୍କ ହୋଇଥିଲା। ଦିଲୀପ ମନ୍ତ୍ରୀଙ୍କ ଧମକରେ ଭୟଭୀତ ନହୋଇ ‘ତମେ କିଏ? ପାର୍ଟି କଣ ତମ ପୈତୃକ ସଂପତ୍ତି? ତମ କଥାରେ କ’ଣ ଆମେ ପାର୍ଟି ଛାଡ଼ିଦେବୁ? ଆମ ହିସାବରେ ଆମେ ରହିବୁ, ନହେଲେ ପାର୍ଟି ଛାଡ଼ିବୁ’ ବୋଲି ଶୁଣାଇଥିଲେ। ଦିଲୀପଙ୍କ ଏଭଳି ଶାଣିତ ବାକ୍ୟବାଣରେ ଅପମାନିତ ହୋଇ ମନ୍ତ୍ରୀ ଶ୍ରୀ ପ୍ରଧାନ ସେଠାରୁ ରାଗ ତମତମ ହୋଇ ହେଲିକପ୍ଟରକୁ ଚଢି ଯାଇଥିଲେ।

ସୂଚନାଥାଉ କି, ୩ ମାସ ପୂର୍ବେ ପାର୍ଟିର ଅନୁଗୁଳ ଜିଲ୍ଲା ସଂଗଠନରେ ନିଲୁ ବିରୋଧୀ ସ୍ବର ଉଠିଥିଲା। ‘ନିଲୁ ହଟାଅ, ଅନୁଗୁଳ ଜିଲ୍ଲା ବଞ୍ଚାଅ’ ସ୍ଲୋଗାନ୍ ଦେଇ ନିଲୁ ବିରୋଧୀମାନେ ଗୋଟିଏ ମାସରେ ୩ଟି ସ୍ଥାନରେ ବୈଠକ ବସାଇଥିଲେ। ଜିଲ୍ଲା ବିଜେପିର ପୁରୁଖା ନେତାମାନେ ଏଥିରେ ଯୋଗଦେଇ ନିଲୁଙ୍କୁ କିପରି ବିରୋଧ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ। ଏହାର କାରଣ ହେଲା କିଛି ମାସ ତଳେ ନିଲୁ କଂଗ୍ରେସ ଦଳରୁ ଆସି ବିଜେପିରେ ମିଶିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ତତ୍ତ୍ବାବଧାନରେ ବିଜେପିରେ ନିଲୁ ମିଶିବା ପରେ ତାଙ୍କ ଲୋକସମ୍ପର୍କ ଓ ପତିଆରା ବଢ଼ିବାରେ ଲାଗିଥିଲା। ଦଳର ପୁରୁଖା ନେତାଙ୍କୁ ପଛ‌େର ପକାଇ ନିଲୁ ମନ୍ତ୍ରୀ ଧ‌େର୍ମନ୍ଦ୍ରଙ୍କ ନିକଟତର ହୋଇଥିଲେ। ଏଥିସହିତ ଆସନ୍ତା ନିର୍ବାଚନରେ ଦଳ ପକ୍ଷରୁ ନିଲୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ମନ୍ତ୍ରୀ ସବୁଜ ସଙ୍କେତ ଦେଇଥିଲେ। ଏହା ଦଳର ପୁରୁଖା ନେତାଙ୍କ ଦେହରେ ଯାଇନଥିଲା। ଦଳ ମଧ୍ୟରେ ନବାଗତ ନିଲୁଙ୍କୁ ନେଇ କୁହୁଳୁଥିବା ନିଆଁ ଆଜି ବିସ୍ଫୋରକ ରୂପ ନେଇଥିବା ଆଲୋଚିତ ହେଉଛି।

ସମ୍ବନ୍ଧିତ ଖବର