ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଫେରାଦ

ଓଟିଭି ଓ ବୈଜୟନ୍ତ ପଣ୍ଡା ଉଲଂଘନ କରିଛନ୍ତି ଆଦର୍ଶ ଆଚରଣ ବିଧି: ବିଜେଡି

ଭୁବନେଶ୍ବର : ବିଜେପି ନେତା ବୈଜୟନ୍ତ ପଣ୍ଡା ଓ ଘରୋଇ ଟେଲିଭିଜନ ଚାନେଲ ଓଟିଭି ଭାରତ ନିର୍ବାଚନ କମିସନଙ୍କ ଦ୍ବାରା ଜାରି ୪୮ ଘଣ୍ଟାର ନିରବ ଅବଧି ନିୟମକୁ ଅନୁପାଳନ କରିନାହାନ୍ତି। ଏହାସହିତ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଚାଲିଥିବାବେଳେ ବିଜେପି ନେତାଙ୍କ ସାକ୍ଷାତକାର ପ୍ରସାରଣ କରିବା ସହ ଓଟିଭିର ପ୍ରତିନିଧି ଭୋଟରଙ୍କୁ ପ୍ରଭାବିତ କରିବା ଭଳି ପ୍ରଶ୍ନ ପଚାରି ଆଦର୍ଶ ଆଚରଣ ବିଧି ଉଲଂଘନ କରିଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜୁ ଜନତା ଦଳ ପୃଥକ ଭାବେ ୩ଟି ଅଭିଯୋଗ ପତ୍ର ପ୍ରଦାନ କରିଛି।

ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେଡି ପକ୍ଷରୁ ପ୍ରଦାନ କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି, ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ଓଟିଭି ଏବଂ ଏହାର ପ୍ରତିନିଧି ଜାଣିଶୁଣି ଭୋଟ୍ ଦେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଭୋଟରଙ୍କୁ ପ୍ରଭାବିତ କରିବା ଭଳି ପ୍ରଶ୍ନ ପଚାରିଛନ୍ତି। ପରିବର୍ତ୍ତନ ଦରକାର ପଡ଼ୁଛି ବୋଲି ଭୋଟରଙ୍କୁ ପ୍ରଶ୍ନ ପଚାରି ବିଜେଡି ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଜନମତ ସୃଷ୍ଟି କରିବାକୁ ଉଦ୍ୟମ କରାଯାଇଥିବା ଦଳ ଅଭିଯୋଗ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାରଙ୍କୁ ଏହାର ଭିଡିଓ କ୍ଲିପିଂ୍ ପ୍ରମାଣ ଆକାରରେ ମଧ୍ୟ ଦଳ ପ୍ରଦାନ କରିଛି। ଖାଲିସେତିକି ନୁହେଁ, ୪୮ ଘଣ୍ଟାର ନିରବ ଅବଧି ଭିତରେ କୌଣସି ତାରକା ପ୍ରଚାରକ ଓ ନେତାଙ୍କ ପ୍ରତିକ୍ରିୟା କିମ୍ବା ସାମ୍ବାଦିକ ସମ୍ମିଳନୀ ପ୍ରକାଶ କିମ୍ବା ପ୍ରସାରଣ କରିବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ରହିଛି। ଅଥଚ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଉଭୟ ବିଜେପିର ତାରକା ପ୍ରଚାରକ ତଥା ଉପସଭାପତି ସମୀର ମହାନ୍ତି ଓ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟାକୁ ପ୍ରସାରଣ କରି ଓଟିଭି ଆଚରଣ ବିଧି ଉଲଂଘନ କରିଥିବା ବିଜେଡି ଅଭିଯୋଗ କରିଛି।

ବିଜେଡି ଅଭିଯୋଗ ପତ୍ରରେ ଦର୍ଶାଇଛି, ନୀରବ ଅବଧି ବଳବତ୍ତର ଥିବାବେଳେ ବିଜେପି ନେତା ବୈଜୟନ୍ତ ପଣ୍ଡା ମୁକ୍ତ ଓ ଅବାଧ ନିର୍ବାଚନକୁ ପ୍ରଭାବିତ କରିବା ଭଳି ବୈଦୁତିକ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇଥିଲେ। ଯାହାକୁ ଗୁରୁବାର ମଧ୍ୟାହ୍ନ ୧ଟା ୪୦ ମିନିଟରୁ ୧ଟା ୪୯ ମିନିଟ୍ ମଧ୍ୟରେ ଓଟିଭି ଚାନେଲରେ ପ୍ରସାରଣ କରାଯାଇଥିଲା। ସେହିପରି ବିଜେପି ତାରକା ପ୍ରଚାରକ ତଥା ଉପସଭାପତି ସମୀର ମହାନ୍ତି କରିଥିବା ସାମ୍ବାଦିକ ସମ୍ମିଳନୀର ମୁଖ୍ୟାଂଶକୁ ସ୍କ୍ରଲିଂ ଜରିଆରେ ଦିନ ୨ଟାରୁ ଓଟିଭି ପ୍ରସାରଣ କରିଆସିଛି। ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁପାଳନ ନକରି ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବା ନେଇ ଓଟିଭି ସମେତ ବିଜେପି ନେତା ବୈଜୟନ୍ତ ପଣ୍ଡା, ସମୀର ମହାନ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ ପାଇଁ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ମୁଖପାତ୍ର ସୁଲତା ଦେଓ, ମୁଖପାତ୍ର ସୁଲୋଚନା ଦାସଙ୍କ ସମେତ ମୁଖପାତ୍ର ସସ୍ମିତ୍ ପାତ୍ର ସାମିଲ ଥିଲେ।

ସମ୍ବନ୍ଧିତ ଖବର