ଓଟିଭି ବିରୋଧରେ ପୁଣି ଫେରାଦ ହେଲା ବିଜେଡି

ଭୁବନେଶ୍ବର : ଟେଲିଭିଜନ୍ ନ୍ୟୁଜ୍ ଚାନେଲ ଓଟିଭି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ପ୍ରଚାର କରୁଛି। ଗତକାଲି ନ୍ୟୁଜ୍ ଚାନେଲରେ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ପ୍ରସାରିତ କାର୍ଯ୍ୟକ୍ରମ ଉପରେ ଆପତ୍ତି ଉଠାଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅଭିଯୋଗ କରିଛି। ନିରପେକ୍ଷ ଖବର ପ୍ରସାରଣ କରିବା ପରିବର୍ତ୍ତେ ଓଡ଼ିଶାରେ ପରିବର୍ତ୍ତନ ଆବଶ୍ୟକ ନାଁରେ ଓଟିଭି ବିଜେପିର ପେଡ୍ ନ୍ୟୁଜ୍ ପ୍ରସାରଣ କରି ଆଦର୍ଶ ଆଚରଣ ବିଧି ଉଲଂଘନ କରିଛି। ଚାନେଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ସିଇଓଙ୍କ ପାଖରେ ଦାବି ରଖିଛି।

ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେଡି ପ୍ରଦାନ କରିଥିବା ଅଭିଯୋଗରେ ଦର୍ଶାଇଛି, ଗତ ୧୨ ତାରିଖ ଦିନ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟକ୍ରମ ପ୍ରସାରଣବେଳେ ଓଟିଭିର ସମ୍ବାଦ ଉପସ୍ଥାପକ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଉପରେ ଉଦ୍ଦେଶ୍ୟମୂଳକ ଭାବେ ଯେପରି ବାଛି ବାଛି ପ୍ରଶ୍ନ ପଚାରିଥିଲେ ସେସବୁ ଉଦ୍ଦେଶ୍ୟମୂଳକ ଭାବେ ବିଜୁ ଜନତା ଦଳ ବିରୋଧରେ ବାତାବରଣ ସୃଷ୍ଟି କଲାଭଳି ଥିଲା। ବିଜେପିକୁ ସୁହାଇଲାଭଳି ବଛାବଛା ଲୋକଙ୍କୁ ନେଇ ଏକପାଖିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଯାହାକି ସାମ୍ବାଦିକତାର ନୀତି ବିରୁଦ୍ଧ। ଏପରିକି ଭାରତୀୟ ଜନତା ପାର୍ଟିକୁ ପ୍ରଶଂସା କରିବା ସହ ମହିଳାମାନେ ଅସୁରକ୍ଷିତ ବୋଲି ଜଣେ ମହିଳା ଭୋଟରଙ୍କୁ ସମ୍ପୃକ୍ତ ଚାନେଲର ସମ୍ବାଦ ଉପସ୍ଥାପକ ପ୍ରଶ୍ନ କରିବା ସହିତ କିଭଳି ସରକାର ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହା ସମ୍ପୂର୍ଣ୍ଣ ଭାବେ ଭାରତୀୟ ଜନତା ପାର୍ଟି ପ୍ରାୟୋଜିତ ପେଡ୍ ନ୍ୟୁଜ୍ ବୋଲି ବିଜେଡି ଅଭିଯୋଗ କରି ପ୍ରମାଣ ସ୍ବରୁପ ପେନ୍ ଡ୍ରାଇଭରେ ସମ୍ପୂର୍ଣ୍ଣ ପ୍ରସାରଣର ଭିଡିଓ କ୍ଲିପିଂ ବିଜେଡି ନିର୍ବାଚନ ଅଧିକାରୀ ଶ୍ରୀ କୁମାରଙ୍କୁ ପ୍ରଦାନ କରିଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେଡି ପ୍ରତିନିଧି ଦଳରେ ମୁଖପାତ୍ର ସସ୍ମିତ୍ ପାତ୍ର, ମୁଖପାତ୍ର ଲେନିନ୍ ମହାନ୍ତି, ମୁଖପାତ୍ର ସୁଲୋଚନା ଦାସଙ୍କ ସମେତ ମୁଖପାତ୍ର ସୁଲତା ଦେଓ ସାମିଲ ଥିଲେ।

ସମ୍ବନ୍ଧିତ ଖବର