ବିଜେଡି ଇସ୍ତାହାର: ଯାହା ପ୍ରତିଶ୍ରୁତି ଦେଉ, ପାଳନ କରୁ

କାଳିଆ ସ୍ଥାୟୀ ଯୋଜନା, ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ଋଣ

ଭୁବନେଶ୍ବର: ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା। ପରିବର୍ତ୍ତନ ପାଇଁ ଦରକାର ସ୍ଥାୟୀ ସରକାର। କୃଷକ, ମହିଳା, ଯୁବ ଶକ୍ତୀକରଣ ସହିତ ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରିବାର ଆଭିମୁଖ୍ୟ ରଖି ବିଜୁ ଜନତା ଦଳ ୨୦୧୯ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ରାଜ୍ୟ କାର୍ଯ୍ୟାଳୟରେ ଦଳର ଇସ୍ତାହାରକୁ ଉନ୍ମୋଚନ କରି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ବିଜୁ ଜନତା ଦଳ ବିଜେପି ଭଳି ନୁହେଁ। ଦଳ ରାଜ୍ୟବାସୀଙ୍କୁ ଯେତେବେଳେ ଯାହା ବି ପ୍ରତିଶ୍ରୁତି ଦେଇଛି ତାକୁ ପାଳନ କରିଆସିଛି। ୨୦୧୯ ନିର୍ବାଚନରେ ଯାହା ସବୁ ପ୍ରତିଶ୍ରୁତି ରଖାଯାଇଛି ତାକୁ ଅକ୍ଷରେ ଅକ୍ଷରେ ବିଜେଡି ପାଳନ କରିବ।ଇସ୍ତାହାର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ଲୋକସଭା ସାଂସଦ ତଥା କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ସୂଚନା ଦେଇ କହିଥିଲେ, ୨୦୧୪ରେ ବିଜେପି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ପ୍ରତିଶ୍ରୁତି ଦେଇ ଭୁଲିଗଲା। ହେଲେ ବିଜୁ ଜନତା ଦଳ ସରକାର ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବା ପାଇଁ ସଂଗ୍ରାମ ଜାରି ରଖିଛି। ଆଗକୁ ମଧ୍ୟ ଜାରି ରଖିବ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ହାସଲ ହେଲେ କେବଳ ଯେ, ନବେ ଦଶ ଅନୁପାତରେ ପାଣ୍ଠି ବିନିଯୋଗ ହେବ ତା ନୁହେଁ, ରାଜ୍ୟରେ ଅଧିକରୁ ଅଧିକ ଶିଳ୍ପାୟନ ସୃଷ୍ଟି କରାଯିବା ସହ ଅଗ୍ରଣୀ ରାଜ୍ୟରେ ଗଢ଼ି ତୋଳିବାରେ ସହାୟକ ହେବ। େକନ୍ଦ୍ରୀୟ ଅବହେଳା ବିେରାଧରେ ଆନ୍ଦୋଳନ ଜାରି ରହିବ।

କଟକ-ଭୁବନେଶ୍ବର ଦ୍ବୈତ ନଗରୀରେ ଚାଲିବ େମ‌େଟ୍ରା ଟ୍ରେନ୍
ମିସନ ଶକ୍ତି ହେବ ସ୍ବତନ୍ତ୍ର ସରକାରୀ ବିଭାଗ, ୫୦୦୦ େକାଟି କାମ
ବୀମାଭୁକ୍ତ େହବେ ସଦସ୍ୟା, ୫ ଲକ୍ଷ ଯାଏ ବିନା ସୁଧରେ ଋଣ
େକଜିରୁ ପିଜି ମାଗଣା ଶିକ୍ଷା, ପ୍ରତି ପଞ୍ଚାୟତରେ େଖାଲିବ ବଜାର
ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକଙ୍କ ନିଯୁକ୍ତିରେ ୭୫% ସଂରକ୍ଷଣ
୮ ଜିଲ୍ଲା ଓ ୩ ସବ୍‌ଡିଭିଜନକୁ ନେଇ ସ୍ବତନ୍ତ୍ର ବିକାଶ ପରିଷଦ

ଶ୍ରୀ ମହତାବ କହିଥିଲେ, ନିର୍ବାଚନ ପୂର୍ବରୁ ଦଳ ସଭାପତି ଭବିଷ୍ୟବାଣୀ କରି କହିଛନ୍ତି, ଏ ନିର୍ବାଚନରେ କୌଣସି ବି ଜାତୀୟ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ। ସରକାର ଗଠନ କରିବାକୁ ହେଲେ ଜାତୀୟ ଦଳକୁ ଆଞ୍ଚଳିକ ଦଳମାନଙ୍କର ସାହାରା ନେବାକୁ ପଡ଼ିବ। ଓଡ଼ିଶାର ସ୍ବାର୍ଥକୁ ଯିଏ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବ ସିଏ ଏନଡିଏ ହେଉ କି ୟୁପିଏ ତାକୁ ବିଜେଡି ସମର୍ଥନ ଦେବ। ଦଳର ମୁଖପାତ୍ର ଅମର ପଟ୍ଟନାୟକ କହିଲେ, ଏଥର ସରକାରକୁ ଆସିଲେ କାଳିଆ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କରାଯିବ। କାଳିଆ ଯୋଜନାକୁ ଆହୁରି ସଶକ୍ତ ଓ କ୍ରିୟାଶୀଳ କରିବାକୁ ଗଠନ ହେବ କାଳିଆ କମିସନ। କମିସନ ସହାୟତା ରାଶି ସମୟାନୁଯାୟୀ ବୃଦ୍ଧି କରାଯିବା ସହ ଚାଷୀଙ୍କ ପାଇଁ ଆଧୁନିକ ଜ୍ଞାନ କୌଶଳ ବିନିଯୋଗ ପାଇଁ ସରକାରଙ୍କୁ ସୁପାରିସ କରିବେ। ଏବେ ଚାଷୀଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। ୫ମ ଥର ସରକାରକୁ ଆସିଲେ ଚାଷୀଙ୍କୁ ୧ ଲକ୍ଷ ଟଙ୍କାର ଋଣ ବିନାସୁଧରେ ଯୋଗାଇ ଦେବାକୁ ବିଜେଡି ସଂକଳ୍ପ ନେଇଛି। ସବୁ ପଞ୍ଚାୟତରେ ଗୋଦାମ ଗୃହ ନିର୍ମାଣ କରାଯିବା ସହ ଜଳ ସେଚନ ପାଇଁ ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ କେନ୍ଦ୍ର ପାଖରେ ବିଜେଡି ଦୃଢ଼ ଦାବି ରଖିବ। ମହିଳା ସଶକ୍ତିକରଣକୁ ଅଗ୍ରାଧିକାର ଦିଆଯାଇ ନୂଆକରି ମିସନ ଶକ୍ତି ବିଭାଗ ଖୋଲାଯିବ। ମିସନ ଶକ୍ତି ପାଇଁ ରାଜ୍ୟ ସ୍ତରରେ ଫେଡେରେସନ ଗଠନ କରାଯିବ। ଫେଡେରେସନରେ ଜଣେ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ଜିଲ୍ଲାର ପଞ୍ଚାୟତ ଓ ପଞ୍ଚାୟତ ସମିତିରୁ ସଦସ୍ୟା ନିଯୁକ୍ତ ହେବେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଦୁର୍ଘଟଣା ବୀମା ଯୋଗାଇ ଦିଆଯିବା ସହ ପ୍ରତି ଏସଏଚଜିଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ। ପ୍ରତି ପଞ୍ଚାୟତରେ ମିସନ ଶକ୍ତି ବଜାର ପ୍ରତିଷ୍ଠା ହେବ ଓ ମହିଳା ସଦସ୍ୟାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବସ୍ଥା କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫୦୦ କୋଟି ଲାଭ ମିଳିବା ଭଳି ୫୦୦୦ କୋଟି ଟଙ୍କାର ସରକାରୀ କାରବାର କରିବାକୁ ମଧ୍ୟ ବନ୍ଦୋବସ୍ତ କରିବାକୁ ବିଜେଡି ପ୍ରତିଶ୍ରୁତି ଦେଇଛି। ଝିଅ ପିଲାଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବା ସହ ଗରିବ ପରିବାର ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଦଳ ଘୋଷଣା କରିଛି। ଗରିବ ଭୂମିହୀନଙ୍କୁ ପ୍ରଦାନ କରାଯାଉଥିବା ଜମି ଓ ବାସଗୃହକୁ ସମ୍ପୃକ୍ତ ପରିବାରର ମହିଳାଙ୍କ ନାମରେ ପଞ୍ଜୀକରଣ କରାଯିବ।
ଯୁବକମାନଙ୍କୁ କର୍ମନିଯୁକ୍ତି ଯୋଗାଇବାରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି। ୨୦୧୯ରେ କ୍ଷମତାକୁ ଆସିଲେ ସବୁ ରାଜ୍ୟସ୍ତରୀୟ ନିଯୁକ୍ତି ପରୀକ୍ଷାରେ ଆବେଦନ ଫିକୁ ଛାଡ଼ କରାଯିବ। ଏଣିକି ଯେତେ ଶିଳ୍ପ ପ୍ରତିଷ୍ଠା ହେବ ସେସବୁ ଶିଳ୍ପରେ ୭୫% ସ୍ଥାନୀୟ ଯୋଗ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଷ୍ଟାର୍ଟ ଅପ୍ ଭତ୍ତା ଆକାରରେ ୧୦ ହଜାର ଯୁବ ଉଦ୍ୟୋଗୀମାନଙ୍କୁ ୧୦ ଲକ୍ଷ ଲେଖାଏଁ ରାଶି ପ୍ରଦାନ କରିବାକୁ ଇସ୍ତାହାରରେ ଘୋଷଣା କରାଯାଇଛି। ବିନା ସୁଧରେ ଶିକ୍ଷା ଋଣ ଯୋଗାଇଦିଆଯିବା ସହ କଲେଜରେ ନାମ ଲେଖାଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ବିନାମୂଲ୍ୟରେ ୧ ଜିବି ଡାଟା ଯୋଗାଇଦିଆଯିବ। ମେଧା ବୃତ୍ତି ପ୍ରଦାନ ପାଇଁ ଗଠନ ହେବ ମେଧା ବୃତ୍ତି ପରିଷଦ। ଆଞ୍ଚଳିକ ବୈଷମ୍ୟ ଦୂର କରିବାକୁ ନୂଆକରି ଜଏଣ୍ଟ ଅପଲିଫ୍ଟମେଣ୍ଟ୍ ଅଫ୍ ହାବିଟେସନ୍ସ ଆଣ୍ଡ୍ ରିଜିଅନ୍ସ ବା ଜୁହାର କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ସମ୍ବଲପୁର, ସୁବର୍ଣ୍ଣପୁର ଜିଲ୍ଲା ସମେତ ଆଠମଲ୍ଲିକ, କୁଚିଣ୍ଡା ଏବଂ ନୀଳଗିରି ସବ-ଡିଭିଜନରେ ଗଠନ ହେବ ସ୍ବତନ୍ତ୍ର ବିକାଶ ପରିଷଦ। ଏହି ସ୍ବତନ୍ତ୍ର ବିକାଶ ପରିଷଦରେ ଜଣେ ଲେଖାଏଁ ଅଧ୍ୟକ୍ଷ ରହିବା ସହ ପ୍ରତି ପରିଷଦରେ ୫୦% ମହିଳା ସଦସ୍ୟା ରହିବେ।

ଭୁବନେଶ୍ବର-କଟକର ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ମେଟ୍ରୋ ଟ୍ରେନ୍ ପ୍ରଚଳନ ପାଇଁ ଅନେକଥର ବିଜେଡି ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ସଂସଦରେ ଦାବି କରିଥିଲେ। ଅଥଚ ଏ ଦିଗରେ କେନ୍ଦ୍ର ସରକାର କିଛି ବି ପଦକ୍ଷେପ ନେଇନାହାନ୍ତି। ୨୦୧୯ରେ ରାଜ୍ୟରେ ବିଜେଡି ସରକାର ୫ମ ଥର ପାଇଁ କ୍ଷମତାକୁ ଆସିଲେ ଉଭୟ ସହର ମଧ୍ୟରେ ମେଟ୍ରୋ ଟ୍ରେନ ପ୍ରଚଳନ କରିବାକୁ ଘୋଷଣା କରାଯାଇଛି। ବିଜେଡିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀ, ବିଜେଡି ମୁଖପାତ୍ର ଅସୀମ ଅମିତାଭ ଦାସ, ବିରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଭାତ ଆଦିତ୍ୟ ମିଶ୍ର, ବିଜୁ ମହିଳା ସଭାନେତ୍ରୀ ମିନତି ବେହେରା, ମୁଖପାତ୍ର ସସ୍ମିତ୍ ପାତ୍ର, ରାଜ୍ୟ ସମ୍ପାଦକ ବିଜୟ ନାୟକ, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର