ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି : ବିଜେପି ପ୍ରଚାରରେ ଲାଗିଥିବା ସରକାରୀ ଉଦ୍ୟୋଗ ହୋର୍ଡିଂ କେବେ ହଟିବ?

ଦୂରଦର୍ଶନ ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର : ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ସରକାରୀ ଉଦ୍ୟୋଗୁଡ଼ିକର ହୋର୍ଡିଂ ଓ ବିଜ୍ଞାପନ ସର୍ବସାଧାରଣ ସ୍ଥାନରୁ ହଟାଯାଇନାହିଁ। ଏବେବି ବିଭିନ୍ନ ସର୍ବସାଧାରଣ ସ୍ଥାନ ଯଥା ରେଳଷ୍ଟେସନ୍, ବିମାନବନ୍ଦରରେ ଏହା ଶୋଭା ପାଉଛି। ଟ୍ରେନ୍‌ରେ ବିଜେପିର ପୋଷ୍ଟରଗୁଡ଼ିକ ପୂର୍ବଭଳି ଲାଗି ରହିଛି। ନିର୍ବାଚନ କମିସନଙ୍କ ଦୃଷ୍ଟିକୁ ଏହା ଅଣାଯାଇଥିଲେ ହେଁ ସେଗୁଡ଼ିକୁ ହଟାଯାଇନି। ତେଣୁ ଏହାକୁ ତୁରନ୍ତ ହଟାଇବା ଦାବିରେ ବିଜେଡିର ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି।

ବିଜେଡି ପକ୍ଷରୁ ଅଭିଯୋଗ ଅଣାଯାଇଛି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୧୦ଦିନ ବିତି ଯାଇଥିଲେ ହେଁ ସର୍ବସାଧାରଣ ସ୍ଥାନରୁ ପିଏସ୍‌ୟୁ ହୋର୍ଡିଂ ଏବଂ ବିଜେପି ବିଜ୍ଞାପନ ସଂକ୍ରାନ୍ତୀୟ ପୋଷ୍ଟର ହଟାଯାଉନି। ଏନେଇ ଗତ ୧୧ତାରିଖରେ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲେ ହେଁ ନିର୍ବାଚନ କମିସନ କିଛି ପଦକ୍ଷେପ ନେଇନାହାନ୍ତି। ଓଡ଼ିଶାରେ ଅବାଧ ଓ ନିରପେକ୍ଷ ନିର୍ବାଚନରେ ଏହା ବ୍ୟାଘାତ ଘଟାଇବାକୁ ଯାଉଥିବାରୁ ନିର୍ବାଚନ କମିସନ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଜଣାଇଛି। ଆଜି ବିଜେଡି ପକ୍ଷରୁ ଲେଲିନ୍ ମହାନ୍ତ, ସୁଲତା ଦେଓ ଓ ସସ୍ମିତ ପାତ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ।

ଦୂରଦର୍ଶନ ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର : ଦୂରଦର୍ଶନ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ଦଳ ଅଭିଯୋଗ କରିଛି, ଦୂରଦର୍ଶନ ପକ୍ଷପାତିତା କରୁଛି। ସାମ୍ବାଦିକତାର ମୌଳିକତା ହରାଇ ବିଜେପି ପାଇଁ ଏହି ସରକାରୀ ସଂସ୍ଥା ଖୋଲାଖୋଲି ପ୍ରଚାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। ବିଜେଡି କାର୍ଯ୍ୟକ୍ରମକୁ ଦୂରଦର୍ଶନ ବ୍ଲାକ୍ ଆଉଟ୍‌ କରି‌େଦଇଛି। ଦୂରଦର୍ଶନର ନ୍ୟୁଜ୍ ବୁଲେଟିନ୍‌ରେ ବିଜେଡିର କୌଣସି ଖବର ସ୍ଥାନ ପାଉ ନାହିଁ। ଏପରିକି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୟକଟ୍‌ କରିଦିଆଯାଇଛି। ବିଜେଡି ସାମ୍ବାଦିକ ସମ୍ମିଳନୀକୁ ଦୂରଦର୍ଶନର କ୍ୟାମେରା ଆସୁ ନାହିଁ। ଅନ୍ୟ ପ‌କ୍ଷରେ କ୍ରମାଗତ ଭାବେ କେନ୍ଦ୍ର ସରକାର ଓ ବିଜେପିର କାର୍ଯ୍ୟକ୍ରମକୁ ଦୂରଦର୍ଶନରେ ବହୁଳ ଭାବେ ପ୍ରଚାର କରାଯାଉଛି। ବିଶେଷ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇ ଖବର ପ୍ରସାରଣ କରାଯାଉଛି। ଗତ କିଛି ଦିନର ଦୂରଦର୍ଶନର ନ୍ୟୁଜ୍ ସ୍କ୍ରିପ୍ଟ ଓ ଏହାର ବୁଲେଟିନ୍‌ ଭିଡିଓ ଫୁଟେଜ୍‌ଗୁଡ଼ିକୁ ନିର୍ବାଚନ କମିସନ୍ ମଗାଇ ଦେଖିଲେ ସତ ଜଣାପଡ଼ିବ। ଏପରି ପକ୍ଷପାତିତା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ସିଇଓଙ୍କୁ ଭେଟିଥିବା ବିଜେଡି ପ୍ରତିନିଧି ଦଳରେ ଲେଲିନ ମହାନ୍ତି, ସସ୍ମିତ ପାତ୍ର ଓ ସୁଲତା ଦେଓ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର