ଅଟକିଗଲା ଗୃହ କାର୍ଯ୍ୟ : ଅଚଳ କଲେ ଶାସକ ଦଳ

ବିରୋଧୀଙ୍କ ନିନ୍ଦା, ତିନି ଦିନ ହେଲା ପ୍ରଶ୍ନକାଳ ବନ୍ଦ

ଭୁବନେଶ୍ୱର : ସବୁଦିନେ ବିଧାନସଭାରେ ବିରୋଧୀ ତାଉ ଦେଖାଉଥିଲେ। କିନ୍ତୁ ଆଜି ଶାସକ ଦଳ ତାଙ୍କ ଶକ୍ତି ଦେଖାଇଦେଲେ। ବାହାରେ ବିଜେଡି ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ଚାଲିଥିଲା ବେଳେ ଶାସକ ଦଳ ସଭ୍ୟମାନେ ଗୃହ ଭିତରେ ନାରାବାଜି କଲେ। ସେମାନଙ୍କ ସ୍ୱର ଏତେ ଜୋର୍‌ ହେଉଥିଲା ଯେ ଗୃହ ଚଳାଇବା ବାଚସ୍ପତିଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା। ଦିନତମାମ ଆଜି ଗୃହ ଏକ ପ୍ରକାର ଅଟକିଯାଇଥିଲା। ଶାସକ ଦଳର ଏପରି ଜବରଦସ୍ତି ଗୃହ ବନ୍ଦ କରାଇବାକୁ ବିରୋଧୀ ନିନ୍ଦା କରିଛନ୍ତି।

ଆଜି ୧୦ଟା ୩୦ରେ ପ୍ରଶ୍ନ କାଳ ଆରମ୍ଭ ହେଲା ମାତ୍ରେ ଶାସକ ଦଳ ସଭ୍ୟ ସଞ୍ଜୟ ଦାସବର୍ମା ନିଜ ଆସନରେ ଠିଆ ହୋଇ କିଛି କହିବାକୁ ଚାହିଁଲେ। ତେବେ ବାଚସ୍ପତି ତାଙ୍କୁ ସୁଯୋଗ ନ ଦେଇ ଏକ ପ୍ରଶ୍ନର ଉତ୍ତର ଦେବାକୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କୁ ଡାକିଲେ। କିନ୍ତୁ ସଞ୍ଜୟ ଚିତ୍କାର କରିଥିଲେ, ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ହିନସ୍ତା ହେଉଛନ୍ତି। କେନ୍ଦ୍ର ସରକାର ଚୁପ୍‌ ବସିଛନ୍ତି। ଆମେ ଏଠି ଚୁପ୍‌ ବସିଲେ ହେବ ନାହିଁ। ଏହାର ପ୍ରତିବାଦ କରିବାକୁ ପଡ଼ିବ। ତାଙ୍କୁ ସମର୍ଥନ ଜଣାଇ ଶାସକ ଦଳର ସବୁ ସଭ୍ୟ ଠିଆ ହୋଇପଡ଼ିଲେ। କେନ୍ଦ୍ର ସରକାର ହାଏ…ହାଏ… ନାରାରେ ଗୃହ କମ୍ପିଲା।

ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟ ଶାସକ ଦଳର ଏପରି ହୋହଲ୍ଲାର ପ୍ରତିବାଦ କଲେ। ଶାସକ ଦଳ ଗୃହ ସହଯୋଗ କରୁନି ବୋଲି ଅଭିଯୋଗ କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ଆଜି ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଆଲୋଚନା ଥିବାରୁ ଶାସକ ଦଳ ଜାଣିଶୁଣି ଗୃହ କାର୍ଯ୍ୟରେ ବାଧା ଆଣୁଛି ବୋଲି ଆରୋପ ଲଗାଇଥିଲେ। ଗୃହ ମଧ୍ୟ ଭାଗରେ ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଲେ।

ଶେଷରେ ବାଚସ୍ପତି ୧୦ଟା ୩୨ରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଲେ। ଏହା ପରେ ବିଜେଡି ବିଧାୟକମାନେ ଗୃହରୁ ବାହାରି ସିଧାସଳଖ ବିଭିନ୍ନ ପେଟ୍ରୋଲ୍‌ ଟାଙ୍କିକୁ ଯାଇ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ।

ଗୃହ ବାହାରେ ଶାସକ ଦଳର ଏହି ଆଭିମୁଖ୍ୟକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଭର୍ତ୍ସନା କରିଥିଲେ। ସେ କହିଥିଲେ, ସରକାରୀ ଦଳ ସଂଖ୍ୟାର ତାକତ୍‌ ଦେଖାଇ ଦାଦାଗିରି କରୁଛି। ସରକାରୀ ଦଳ ଗୃହ ଚଳାଇବାକୁ ଉଦ୍ୟମ କରିବା କଥା। କିନ୍ତୁ ଏଠି ସରକାର ପଳାୟନପନ୍ଥୀ ସାଜିଛନ୍ତି। ଗଣତନ୍ତ୍ର ପ୍ରତି ଏହା ବିପଦ। କଂଗ୍ରେସ ଦଳ ପୂର୍ବରୁ ଗୃହରେ ତେଲ ଦର କଥା ଉଠାଇଥିଲା। କିନ୍ତୁ ବିଜେଡି ତାହାକୁ ବେଖାତିର କରିଥିଲା। ହଠାତ୍‌ ଆଜି କାହିଁକି ନିଦ ଭାଙ୍ଗିଲା ? ଆଜି ଶିକ୍ଷକ ଓ ଶିକ୍ଷା ସମସ୍ୟାରେ ଉପରେ ମୁଲତବୀ ପ୍ରସ୍ତାବ ନେଇ ଆଲୋଚନା ହେବାର ଥିଲା। ଯାହା ଜଣାପଡ଼ୁଛି ଶାସକ ଦଳ ଶିକ୍ଷକଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ଚାହୁନି। ଶିକ୍ଷକ ସମସ୍ୟା ଏବେ ଉତ୍କଟ ଆକାର ଧାରଣ କରିଛି। ଆପୋସ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହେଉ। ଯଦି ସରକାର କିଛି ପଦକ୍ଷେପ ନେଉ ନାହାନ୍ତି, ତେବେ ବାଚସ୍ପତି ହସ୍ତକ୍ଷେପ କରନ୍ତୁ। ଯେହେତୁ ବିଧାନସଭା ଅଧିବେଶନ ଚାଲିଛି, ତେଣୁ ଆମର ବି ଦାୟିତ୍ୱ ରହିଛି।

ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ ରଖାଯିବାକୁ ସମାଲୋଚନା କରି ଶ୍ରୀ ମିଶ୍ର କହିଲେ, ସାଧାରଣତଃ ପ୍ରଶ୍ନକାଳରେ କୌଣସି ପ୍ରସଙ୍ଗକୁ ନେଇ ହୋହଲ୍ଲା ହେଲେ ବାଚସ୍ପତି ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ରଖନ୍ତି। ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍‌ଥାପନ ହୁଏ। କିନ୍ତୁ ଅପରାହ୍ନ ୩ଟା ଯାଏ ମୁଲତବୀ ରଖିବା ଆଦୌ ଶୋଭନୀୟ ନୁହେଁ। ଗୃହ ବନ୍ଦ କରିଦେଲେ ସବୁ ସମସ୍ୟାର ସମାଧାନ ହୁଏନି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖନ୍ତୁ ବୋଲି ସେ ଦାବି କରିଥିଲେ।

ବିଜେପି ବିଧାୟକ ରବି ନାଏକ ବି ବିଜେଡିର ଏପରି ଆଭିମୁଖ୍ୟକୁ ନିନ୍ଦା କରି କହିଥିଲେ, ଶିକ୍ଷକମାନେ ରାସ୍ତାରେ ବସିଛନ୍ତି। ଆଜି ଏହି ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲେ ସରକାରଙ୍କୁ ଉତ୍ତର ଦେବାକୁ ପଡ଼ିଥା’ନ୍ତି। ସେଥି ପାଇଁ ବାହାନା ଦେଖାଇ ଗୃହ ଅଚଳ କରିଦେଲେ।

ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏହା ସହ କଟକ ଓ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହେଲେ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। କିନ୍ତୁ କଟକରେ ଓକିଲଙ୍କ ଉପରକୁ ଆକ୍ରମଣ ଘଟଣାରେ କେବଳ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର ଚୁପ୍‌ ବସିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ ଯେ ପେଟ୍ରୋଲ୍‌, ଡିଜେଲ୍‌ ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ କରାଯାଇଛି। ଗୃହର ଉଦ୍‌ବେଗକୁ ଲକ୍ଷ୍ୟ କରି ମୁଲତବୀ କରାଯାଇଛି। ଗୃହକୁ ଅଚଳ କରାଇବା ଏହାର ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ। ଏହା ପରେ କଂଗ୍ରେସ ସଭ୍ୟ ପ୍ରଫୁଲ୍ଲ ମାଝୀ ଗୃହରେ କୌଣସି କାର୍ଯ୍ୟ ନ ଥିବାରୁ ଆଜି ମୁଲତବୀ ରଖିବାକୁ ପ୍ରସ୍ତାବ ଦେଇଥିଲେ। ବିଜେଡି ସଭ୍ୟ ଚମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏହାକୁ ସମର୍ଥନ କରିଥିଲେ। ୩ଟା ୧୪ରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ସମ୍ବନ୍ଧିତ ଖବର