ନବଙ୍କ ଭାଷଣର ଭିଡିଓ ଭାଇରାଲ

ସମ୍ବଲପୁର : ଗୁରୁବାର କୁଚିଣ୍ଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାମରା ବ୍ଲକ ବାବୁ ନିକିତିମାଲ ପଞ୍ଚାୟତରେ ନିର୍ବାଚନ ପ୍ରଚାର ବେଳେ ବରିଷ୍ଠ ବିଜେଡି ନେତା ନବ ଦାସଙ୍କ ଭାଷଣର ଏକ ଭିଡିଓ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ଉପସ୍ଥିତ ଜନତାଙ୍କୁ ନବଙ୍କ ଉଦ୍‌ବୋଧନ ସାଧାରଣରେ କୌତୁହଳ ସୃଷ୍ଟି କରିଛି। ଭିଡିଓରେ ନବ କହୁଛନ୍ତି ‘କୁଚିଣ୍ଡାର ବିକାଶ ଚାହୁଁଥିଲେ ବିଜେଡିକୁ ଭୋଟ ଦିଅନ୍ତୁ। ନବୀନ ପଟ୍ଟନାୟକଙ୍କ ନିକଟକୁ ଆପଣଙ୍କ କଥା ପହଞ୍ଚାଇବା କାମ ହେଉଛି ନବ ଦାସର। ଯଦି କିଶୋର ବାବୁ (କୁଚିଣ୍ଡା ବିଜେଡି ପ୍ରାର୍ଥୀ) ଓ ନଳିନୀ ବାବୁ (ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ) ଜିତିବେ ତାହେଲେ ଏସ୍‌ଏଚ୍‌ଜି ଗ୍ରୁପ୍ ପାଇଁ ସବୁ ପଞ୍ଚାୟତରେ ୨ଟି ଲେଖାଏଁ ଘର କରାଯିବ। ପିଇବା ପାଣି ସମସ୍ୟା ୧ ବର୍ଷ ଭିତରେ ଦୂର କରାଯିବ’। ସେହିପରି ମରୁଡ଼ି ନ ହୋଇଥିଲେ ବି ମରୁଡ଼ି ଘୋଷଣା କରାଇ ଚାଷୀମାନେ ଯେମିତି ଦୁଇ ପଇସା କ୍ଷତିପୂରଣ ପାଇବେ ତାହା ସୁନିଶ୍ଚିତ କରିବେ ‌େବାଲି ନବ ଦାସ କହୁଥିବା ଶୁଣିବାକୁ ମିଳିଥିଲା। ସେ ଆହୁରି କହିଥିଲେ ‘ଯେଉଁ ଯୁବକମାନେ ଆମ ପାଇଁ ଲାଗିବେ ତାଙ୍କୁ ନବୀନ ନିବାସକୁ ନେବେ। ଏବେ ଆପଣଙ୍କର ଦାୟିତ୍ବ ଗୋଟିଏ ଭୋଟ ଦେବା ଓ ମୋର ଦାୟିତ୍ବ ଆପଣଙ୍କ ସେବା କରିବା। ତେଣୁ ନିଷ୍ପତ୍ତି ନିଅନ୍ତୁ ବିଜେପିକୁ ଭୋଟ ଦେବେ ନା ବିଜେଡିକୁ’। ବିଜେଡିର ଝାରସୁଗୁଡ଼ା ପ୍ରାର୍ଥୀ ହୋଇଥିବା ନବ ଏହି ଭାଷଣରେ କୁଚିଣ୍ଡାର ଭୋଟରଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଉଥିଲାବେଳେ ତାହା ଆଗକୁ ତାଙ୍କ ପାଇଁ ସମସ୍ୟା ସୃ‌ଷ୍ଟି କରିପାରେ ବୋଲି ସମାଲୋଚକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର