ସାଂସଦ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା : ବଦନାମ ପାଇଁ ବିଜେପିର ଷଡ଼୍‌ଯନ୍ତ୍ର!, ବିଜେପି ଆଇଟି ସେଲ୍‌ ସଂଯୋଜକ ସମେତ ଦୁଇ ଗିରଫ

କେନ୍ଦୁଝର : କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ବଦନାମ ପାଇଁ ବିଜେପି କରିଥିଲା ଷଡ଼୍‌ଯନ୍ତ୍ର। ଏକ ଅଶ୍ଳୀଳ ଭିଡିଓକୁ ସାଂସଦ ପ୍ରାର୍ଥୀଙ୍କର ବୋଲି ଦର୍ଶାଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲା। ଏହି ମାମଲାରେ ବିଜେପିର ଆଇଟି ସେଲ୍‌ ସଂଯୋଜକ ସମେତ ଦୁଇଜଣ ଗିରଫ ହେବା ପରେ ଘଟଣା ଉପରୁ ପରଦା ଉଠିଛି। ଅଭିଯୋଗଟି ଏମିତି। ଗତ କିଛିଦିନ ଧରି ବିଭିନ୍ନ ସୋସିଆଲ ମିଡିଆରେ ଏକ ଅଶ୍ଳୀଳ ଭିଡିଓ ଘୂରି ବୁଲୁଥିଲା। ଏଇ ଭିଡିଓଟି କେନ୍ଦୁଝର ଲୋକସଭା ପ୍ରାର୍ଥିନୀ ଚନ୍ଦ୍ରାଣୀ ମୁର୍ମୁଙ୍କର ବୋଲି ମିଥ୍ୟାରେ ଦର୍ଶାଇ ତାଙ୍କୁ ବଦନାମ କରିବାକୁ ଉଦ୍ୟମ ହେଉଥିଲା। ଏ ସମ୍ପର୍କରେ ତାଙ୍କ ସମ୍ପର୍କୀୟ ଭାଇ ସୌଭାଗ୍ୟ ସୋରେନ କେନ୍ଦୁଝର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ଆଜି ଦୁଇଜଣ ଅଭିଯୁକ୍ତ ଜୟଦେବ ଗିରି ଓ ବିଷ୍ଣୁଦତ୍ତ ବାରିକଙ୍କୁ ଗିରଫ କରିଛି। ଯଦିଓ ପୁଲିସ ଏହି ଅଭିଯୁକ୍ତଙ୍କ ରାଜନୈତିକ ସଂପର୍କ ବାବଦରେ ମୁହଁ ଖୋଲି ନାହିଁ, କିନ୍ତୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କର ବିଜେପି ଲିଙ୍କ୍‌ ରହିଛି ଏବଂ ଜୟଦେବ ଗିରି ବିଜେପିର ମିଡିଆ ସେଲ୍‌ ସଂଯୋଜକ ବୋଲି ଜଣାପଡ଼ିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ପ୍ରକାଶ ଜେମ୍ସ ଟ‌ପ୍ପୋ କହିଛନ୍ତି ଯେ ଗତ କିଛିଦିନ ହେଲା ଏକ ଅଶ୍ଳୀଳ ଭିଡିଓ ଏବଂ କିଛି ଅଶ୍ଳୀଳ ଫଟୋ ଭାଇରାଲ ହୋଇଛି। ଏହି ଭିଡିଓ ଏବଂ ଫଟୋ ସାଂସଦ ପ୍ରାର୍ଥୀଙ୍କର ବୋଲି ଭାଇରାଲ କରାଯାଉଥିଲା। ତେଣୁ ସଂପୃକ୍ତ ସାଂସଦ ପ୍ରାର୍ଥୀଙ୍କ ସଂପର୍କୀୟ ସୌଭାଗ୍ୟ ସୋରେନ ଗତକାଲି ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଭିଡିଓ ଭାଇରାଲ ମୂଳରେ ଢେଙ୍କିକୋଟର ଜୟଦେବ ଗିରି ଓ ବିଷ୍ଣୁଦତ୍ତ ବାରିକ ଥିଲେ। ତେଣୁ ଦୁହିଁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଶ୍ରୀ ଟପ୍ପୋ ପ୍ରକାଶ କରିଛନ୍ତି। ଏଥିସହିତ ଘଟଣାର ଅଧିକ ତଦନ୍ତ ଚାଲିଛି। ଯଦି ଏହି ଘଟଣାରେ ଅନ୍ୟ କେହି ସଂପୃକ୍ତ ଥିବେ ତେବେ ସେମାନଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଟପ୍ପୋ କହିଛନ୍ତି।

ଏ ସମ୍ପର୍କରେ ବିଜେଡିର ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି, ବିଜେପି ସବୁବେଳେ ଏଭଳି ହୀନ ରାଜନୀତି କରେ, ଯାହାକି ଉକ୍ତ ଭିଡିଓ ଘଟଣାରେ ସ୍ପଷ୍ଟ ହୋଇଛି। ଏଭଳି ମିଥ୍ୟା ଅପପ୍ରଚାରକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ବିଜେପି ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ କହିଛନ୍ତି ଯେ ଏ ଘଟଣାରେ ସେମାନେ ସଂପୃକ୍ତ ନାହାନ୍ତି। ପୁଲିସର ଗିରଫଦାରି ସଂପୂର୍ଣ୍ଣ ଆକ୍ରୋଶମୂଳକ। ବିରୋଧୀ ଦଳ ବିଜେପିର କର୍ମକର୍ତ୍ତା ବୋଲି ପୁଲିସ ସେମାନଙ୍କୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଗିରଫ କରିବା ଉଚିତ। ବିଜେପି କର୍ମକର୍ତ୍ତାଙ୍କୁ ଗିରଫ କରିବାରେ ପୁଲିସ ଯେତିକି ତତ୍ପରତା ଦେଖାଉଛି, ବିଜେଡି କର୍ମକର୍ତ୍ତାଙ୍କ ମାମଲାରେ ପୁଲିସ ସେତିକି ତତ୍ପର ନୁହଁ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର