ପୁଣି ହାଇକୋର୍ଟରେ ସାଂସଦ ରାମଚନ୍ଦ୍ର ହାଁସଦା

ନବଦିଗନ୍ତ ମାମଲାର ସାନି ସ୍ଥିତି ସଂପର୍କରେ ଅବଗତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ

୧୮ରେ ପରବର୍ତ୍ତୀ ଶୁଣାଣି

କଟକ : ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍‌ ଲିମିଟେଡ୍‌ ଚିଟଫଣ୍ଡ ଘଟଣାରେ ଗିରଫ ହୋଇ ଜେଲରେ ଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ମାମଲାର ସାନି ସ୍ଥିତି ସଂପର୍କରେ ଅବଗତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀ ହାଁସଦାଙ୍କ ପକ୍ଷରୁ ଦାୟର ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା। ୨୦୧୮, ଏପ୍ରିଲ ୨ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶନାମା ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏପ୍ରିଲ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ହାଁସଦା ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପ୍ରିଲ ୪ରେ ସୁପ୍ରିମକୋର୍ଟ ତାଙ୍କ ମାମଲାର ଶୁଣାଣି କରି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ଶ୍ରୀ ହାଁସଦାଙ୍କ ଜାମିନ ଆବେଦନର ଶ୍ରୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏପ୍ରିଲ ୪ରେ ଶ୍ରୀ ହାଁସଦା ହାଇକୋର୍ଟରେ ଜାମିନ ପାଇଁ ସାନି ଆବେଦନ ଦାୟର କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ନବଦିଗନ୍ତ ଗ୍ରୁପ୍‌ ଅଫ୍‌ କମ୍ପାନିଜ ସହିତ ଜଡିତ ଥିବା ଶ୍ରୀ ହାଁସଦାଙ୍କୁ ସିବିଆଇ ୨୦୧୪, ନଭେମ୍ବର ୪ରେ ଗିରଫ କରିଥିଲା। ତାଙ୍କ ସହିତ ନବଦିଗନ୍ତର ପ୍ରମୁଖ ଅଧିକାରୀ ଏବଂ କେନ୍ଦୁଝରର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା। ୨୦୧୫, ଫେବ୍ରୁଆରି ୧୯ରେ ଉପରୋକ୍ତ ୩ ଜଣଙ୍କ ସହିତ ନବଦିଗନ୍ତ ସିଏମଡି ଅଞ୍ଜନ କୁମାର ବଳିୟାରସିଂ, ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକ, କାର୍ତ୍ତିକେୟ ପରିଡାଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହାପରେ ଶ୍ରୀ ହାଁସଦା ହାଇକୋର୍ଟରେ କରିଥିବା ଜାମିନ ଆବେଦନ ଖାରଜ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ଓ ସିବିଆଇ ପକ୍ଷରୁ ଏଏସଜି ଅନୁପ କୁମାର ବୋଷ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର