ଭୂଦାନ ମୁର୍ମୁଙ୍କ ଇସ୍ତଫା ପ୍ରସଙ୍ଗରେ ବିଜେପି ରାଜନୀତି କରୁଛି: ବିଜେଡି

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲାରେ ସରକାରୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ ନେଇ ବିଜେପି ରାଜନୀତି କରୁଛି। ଓଡ଼ିଶାର ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ବିଜୁ ଜନତା ଦଳ ସରକାର ଡାକ୍ତରଙ୍କୁ ସରକାରୀ ଚାକିରିରୁ ଅବସର ଦେବା ପାଇଁ ଚାହୁଁନଥିବା ବିଜେଡି ପ୍ରତିକ୍ରିୟା ରଖିଛି। ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାଠୁଁ ଆରମ୍ଭ କରି ସାର୍ବଜନୀନ ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ ଡାକ୍ତରଙ୍କ ଆବଶ୍ୟକତା ରହିଛି। ସେଥିପାଇଁ ଜଣେ ବି ଡାକ୍ତରଙ୍କ ଇସ୍ତଫାକୁ ଅତୀତରେ ସରକାର ଗ୍ରହଣ କରିନଥିଲେ। ଗତ ୩ ବର୍ଷ ମଧ୍ୟରେ ୯୮ଜଣ ସରକାରୀ ଡାକ୍ତରଙ୍କ ଇସ୍ତଫା ଏବଂ ୫୦ ଜଣ ଡାକ୍ତରଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ସରକାର ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାରଙ୍କ ଉଦାରତାକୁ ବିଜେପି ଗୌଣ କରିବା ପାଇଁ ଯେପରି ଅପଚେଷ୍ଟା କରୁଛି, ତାହାକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ ବୋଲି ବିଜେଡି କହିଛି।

ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ବିବୃତି ଜରିଆରେ ଜଣାଇଛନ୍ତି, ସାରସକଣା ବିଧାନସଭା ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫା ନେଇ ଗତକାଲି ବିଜେପିର ଜଣେ ନେତା ଓ ନେତ୍ରୀ ନବୀନ ନିବାସ ଆଗରେ ଧାରଣା ଦେବା ଏକ ପ୍ରହସନ। ଶ୍ରୀମଙ୍ଗରାଜ ଜଣାଇଛନ୍ତି, ଡା.ଭୂଦାନ ମୁର୍ମୁ ମୟୁରଭଞ୍ଜ ଜିଲ୍ଲାରେ ସରକାରୀ ଡାକ୍ତର ଭାବେ ନିୟୋଜିତ ଥିଲାବେଳେ ନିର୍ବାଚନ ଲଢ଼ିବା ପାଇଁ ସେ ତାଙ୍କର ଇସ୍ତଫାପତ୍ର ଉଚିତ୍ ପଦ୍ଧତିରେ ଗତ ୩ ତାରିଖରେ ପ୍ରଦାନ କରିଥିଲେ। ଅପରପକ୍ଷେ ଯେଉଁଦିନ ଡା.ମୁର୍ମୁ ଇସ୍ତଫା ଦେଇଛନ୍ତି ସେହିଦିନ ବିଜେପି ସୁଚିନ୍ତିତ ଭାବେ ଏକ ନାଟକ ରଚନା କରି ଧାରଣା ଦେଇ ନାରାବାଜି କରିଥିଲା। ବୋଧହୁଏ, ରାଜ୍ୟରେ ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରମାନଙ୍କ ଉପସ୍ଥିତିକୁ ବିଜେପି ଚାହୁଁନାହିଁ ବୋଲି ବିଜେଡି ଅଭିଯୋଗ କରିଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ଏ ବିଷୟରେ ଅବଗତେ ହେଲେ ଯେ, ଡା. ମୁର୍ମୁ ରାଜନୀତିରେ ଯୋଗଦେଇ ଆହୁରି ଲୋକଙ୍କ ସେବା ପାଇଁ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି, ସେଥିପାଇଁ ତାଙ୍କ ଇସ୍ତଫାପତ୍ରକୁ ଗୋଟିଏ ଦିନରେ ଗ୍ରହଣ କରାଯାଇଛି। ବିଜେପି ଏହି ପ୍ରସଙ୍ଗକୁ ନେଇ ଯେଭଳି ବକ୍ତବ୍ୟ ଦେଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜନୈତିକ ଅଭିସନ୍ଧିମୂଳକ ବୋଲି ବିଜେଡି ସାଧାରଣ ସମ୍ପାଦକ ଶ୍ରୀମଙ୍ଗରାଜ କହିଛନ୍ତି।

ସମ୍ବନ୍ଧିତ ଖବର