ପାଟକୁରାରେ ବାଜି ମାରିବାକୁ ଯାଉଛି ବିଜେଡି; ଏଥର ବି ବିଧାନସଭା ଯିବାରୁ ବଞ୍ଚିତ ହେବେ ବିଜୟ

କେନ୍ଦ୍ରାପଡ଼ା :  ବିଜୟ ଦ୍ୱାରଦେଶରେ ପହଞ୍ଚିଛନ୍ତି  ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲ୍ । ଆଉ ଏହାସହ ପୁଣିଥରେ ପାଟକୁରାରେ ଦେଖିବାକୁ ମିଳିଛି ନବୀନଙ୍କ ଯାଦୁ । ପାଟକୁରାରେ ପୁଣି ବିଜେଡି ବଜାଇବାକୁ ଯାଉଛି ବିଜୟ ବିଗୁଲ୍ । ୧୮ ରାଉଣ୍ଡରୁ ୧୬ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭୨୩୪ ଭୋଟରେ ଆଗରେ ରହିଛନ୍ତି । ଆଉ ଏହାସହ ବିଜେପିର ବରିଷ୍ଠ ନେତା ବିଜୟଙ୍କର ବିଧାନସଭା ଫେରିବା ସ୍ୱପ୍ନ ଏକପ୍ରକାର ଧୂଳିସାତ୍ ହୋଇଛି । ବିଜୟଙ୍କ ଠାରୁ ସାବିତ୍ରୀ ବହୁ ଭୋଟରେ ଆଗରେ ରହିଥିବା ବେଳେ ବିଜେଡି ଶିବିରରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ୍ ।

ପାଟକୁରା ଲଢେଇରେ ବହୁ ପଛରେ ପଡିଯାଇଛି କଂଗ୍ରେସ । ୧୬ ରାଉଣ୍ଡ ସୁଦ୍ଧା ମାତ୍ର ୨୦୧୬ଟି ଭୋଟ ପାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି । ସେହିଭଳି ନୋଟାରେ ପଡିଛି ୩୯୫ ଭୋଟ୍ । କିନ୍ତୁ ପାଟକୁରା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଲାଗିଛି ସବୁଠୁ ବଡ ଝଟକା । କାରଣ ଦୀର୍ଘ ୨୦ ବର୍ଷ ଧରି କ୍ଷମତା ଅଳିନ୍ଦରୁ ଦୂରରେ ରହିଥିବା ବିଜୟ ଏହି ନିର୍ବାଚନରେ ଜିତି ପୁଣିଥରେ ବିଧାନସଭାକୁ କମବ୍ୟାକ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛି ସାବିତ୍ରୀଙ୍କ ବଢ଼ନ୍ତା ଭୋଟ୍ ସଂଖ୍ୟା ।

୧୬ଟି ରାଉଣ୍ଡ ମଧ୍ୟରୁ କେବଳ ୨ଟି ରାଉଣ୍ଡରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆଗରେ ରହିଥିବା ବେଳେ ବଳକା ୧୪ ରାଉଣ୍ଡରେ ବଡ ବ୍ୟବଧାନରେ ଆଗରେ ରହିଥିଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଏପରିକି ବିଜୟଙ୍କ ଗଡ କୁହାଯାଉଥିବା ଗରଦପୁର ଓ ମାର୍ଶାଘାଇ ବ୍ଲକରେ ମଧ୍ୟ ବିଜେପିକୁ ଲାଗିଛି ବଡ ଝଟକା । ଗତ ସାଧାରଣ ନିର୍ବାଚନରେ ବିଜେପି ଏହି ଦୁଇ ବ୍ଲକରେ ଆଗରେ ରହିଥିବା ବେଳେ ବିଧାନସଭା ଉପନିର୍ବାଚନରେ ବ୍ୟାକଫୁଟକୁ ଠେଲି ହୋଇଯାଇଛି ବିଜେପି । ୧୬ ରାଉଣ୍ଡର ଫଳାଫଳ ପରେ ପାଟକୁରାରେ ବିଜେଡି ଏକପ୍ରକାର ବିଜୟୀ ହୋଇ ସାରିଥିବା ବେଳେ ମାତ୍ ଖାଇଛି ବିଜେପି ।

ସମ୍ବନ୍ଧିତ ଖବର