ଚାଷୀଙ୍କ ପାଇଁ ଦିଲ୍ଲୀରେ ଗର୍ଜିଲେ ନବୀନ : କେନ୍ଦ୍ର ସରକାର ଦାୟିତ୍ୱରୁ ଓହରି ଯାଇ ପାରିବେ ନାହିଁ; ପ୍ରତିଶ୍ରୁତି ପାଳନ କରନ୍ତୁ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଆଜି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଠାରେ ହଜାର ହଜାର ଚାଷୀ, ବିଜେଡି ସମର୍ଥକ, ଦଳୀୟ କର୍ମୀ, ବିଧାୟକ, ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ନେତାମାନଙ୍କ ଉପସ୍ଥିତିରେ ଆୟୋଜିତ କୃଷକ ଅଧିକାର ସମାବେଶରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ନିର୍ବାଚନ ସମୟରେ ଧାନର ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧିି କରିବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ ଏହାକୁ ପୂରଣ ନ କରି କେନ୍ଦ୍ର ସରକାର ଚାଷୀମାନଙ୍କୁ ଧୋକ୍କା ଦେଉଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି। ଭାରତୀୟ ଜନତା ପାର୍ଟି ମଧ୍ୟ ୨୦୧୪ ସାଧାରଣ ନିର୍ବାଚନ ସମୟରେ ତାର ନିର୍ବାଚନ ଇସ୍ତାହାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନ ଜିତି ସାରିବା ପରେ ପ୍ରତିଶ୍ରୁତିକୁ ଭୁଲିଯିବା ଉଚିତ କି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ଦାୟିିତ୍ୱ କେନ୍ଦ୍ର ସରକାରଙ୍କର। ସେହିପରି ସ୍ୱାମୀନାଥନ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ମଧ୍ୟ କେନ୍ଦ୍ର ସରକାରଙ୍କର। ତେଣୁ କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱ ନିର୍ବାହ ନ କରି ଖସି ଯାଇ ପାରିବେ ନାହିଁଁ ବୋଲିି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।


ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଚାଷ ଓ ଚାଷୀର ଉନ୍ନତି ବିନା ଦେଶର ଅର୍ଥନୀତି ମଜଭୁତ ହୋଇ ପାରିବ ନାହିଁ। ଆଉ ଓଡ଼ିଶା ସରକାର ସବୁବେଳେ ଚାଷୀମାନଙ୍କ ସହିତ ରହିଛନ୍ତି।  ଚାଷୀମାନଙ୍କ ହକ୍‌ ପାଇଁ କାର୍ଯ୍ୟ କରୁଛନ୍ତି  ଓ ଆଗାମୀ ଦିନରେ ଏହି ଲଢ଼େଇ ଜାରି ରହିବ ମଧ୍ୟ। ତେବେ ଦେଶର ଚାଷୀମାନଙ୍କ ପାଇଁ ରାଜ୍ୟ ସରକରେ ୧୦ ହଜାର କୋଟି ଟଙ୍କାର ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ନାମମାତ୍ର ଚାଷୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଚାଷୀ ଉପକୃତ ହେବେ। ସେହିପରି ରାଜ୍ୟର ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିଥିବା ଶ୍ରୀ ପଟ୍ଟନାୟକ କହିବା ସହିତ ତୁରନ୍ତ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିି କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଦିଲ୍ଲୀ ଦରବାରରେ ବିଶାଳ କୃଷକ ଅଧିକାର ସମାବେଶ ଆୟୋଜନ କରିଛି ବିଜୁ ଜନତା ଦଳ। ଏହି ବିଶାଳ କୃଷକ ଅଧିକାର ସମାବେଶରେ ଯୋଗ ଦେଇ ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର୨୦୧୪ ମସିହା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଧାନର ସହାୟକ ମୂଲ୍ୟ ବୃଦ୍ଧି ନ କରି ରାଜ୍ୟର ଲକ୍ଷଲକ୍ଷ ଚାଷୀଙ୍କ ସହିତ ପ୍ରତାରଣା କରିଛନ୍ତିି। ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକାର ଏମଏସପି ମୂଲ୍ୟ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ଆଲୋଚନା ଏବଂ ଚିଠି ଲେଖାଯାଇଛି। କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଚୁପ୍‌ ବସିଛନ୍ତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ ଟଙ୍କା କରିବା ପାଇ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି। ବିଜୁ କୃଷକ ଜନତା ଦଳ ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୃଷକ ସମାବେଶ ଅଧିକାରରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ତଥାଗତ ସତପଥୀ ଓ ଭର୍ତ୍ତୃହରି ମହତାବ, ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବିଧାୟକ ଅତନୁ ସବ୍ୟସାଜୀ ନାୟକ, ସଞ୍ଜୟ ଦାସବର୍ମା ଏବଂ ମୀନତି ଦେବୀ , ରମଣୀ ରଞ୍ଜନ ପ୍ରଧାନ ପ୍ରମୁଖ ଭାଷଣ ଦେଇ କେନ୍ଦ୍ର ସରକାରଙ୍କ ଚାଷୀ ଅବହେଳା ନୀତିକୁ ତୀବ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର