ବିଜେପି ଓ ମୋଦୀଙ୍କୁ ବିଜେଡିର ଜବାବ : ଓଡ଼ିଶା ପାଇଁ କ’ଣ କରିଛ ଜବାବ ଦିଅ

ଭୁବନେଶ୍ବର : ରାଜ୍ୟରେ ବିଜେପି ଦିନକୁ ଦିନ ଭାଙ୍ଗିରୁଜି ଯାଉଛି। ବିଜେପି ପ୍ରାର୍ଥୀ ଦଳ ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି। ୧୯ ବର୍ଷ ଭିତରେ ବିଜେପି ୧୪ ବର୍ଷ କାଳ ଶାସନ କ୍ଷମତାରେ ରହି ଓଡ଼ିଶା ପାଇଁ କଣ କରିଛି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାନ୍ତୁ। ନିର୍ବାଚନ ପ୍ରଚାର ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ଏପରି ପାଲଟା ଜବାବ ମାଗିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଶାଣିତ ସ୍ବରରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ସହ ବିଜେପି ୯ ବର୍ଷ କାଳ ମେଣ୍ଟ ଶାସନରେ ଥିଲା। ବିଗତ ୫ ବର୍ଷ ବିଜେପି କେନ୍ଦ୍ରରେ ଶାସନ କରୁଛି। ମୋଟ ୧୪ ବର୍ଷ କାଳ ଶାସନ କ୍ଷମତାରେ ରହି ଓଡ଼ିଶା ପାଇଁ ବିଜେପି କଣ କରିଛି ସ୍ପଷ୍ଟ କରିବା ଦରକାର। ବିଗତ ୫ ବର୍ଷ ଭିତରେ ଅନେକ ପ୍ରତିଶ୍ରୁତି ଦେଇ ପାଳନ ହୋଇନାହିଁ। କୋଷ୍ଟାଲ ହାଇେଵ, ଦ୍ବିତୀୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପାତ ମେଡିକାଲ ନିର୍ମାଣ ହୋଇନଥିବା ନେଇ ପ୍ରସଙ୍ଗ ଉଠାଇ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ମୁଖପାତ୍ର ଟାର୍ଗେଟ କରିଛନ୍ତି। ୨୦୧୪ ବିଜେପିର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ବି କାହିଁକି ଏଯାଏ ପାଳନ ହେଲାନି ସେ ନେଇ କାହିଁକି ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟବାସୀଙ୍କୁ ଜଣାଇଲେନି ବୋଲି ବିଜେଡି ପ୍ରଶ୍ନ କରିଛି।

ଡଃ ପାତ୍ର ଆହୁରି କହିଛନ୍ତି, ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶାକୁ ସମର୍ଥନ କରିନାହାନ୍ତି। ଅନ୍ୟପଟେ କ୍ଷମତାକୁ ଆସିବା ପରେ ବିଆରଜିଏଫ, ଆଇଏପି ସମେତ ୮ଟି ଯୋଜନାକୁ ବନ୍ଦ କରିବା ସହ ୩୩ଟି ଯୋଜନାରେ ଅର୍ଥକାଟ କରିଛନ୍ତି। ଆୟୁଷ୍ମାନ ଯୋଜନା ଖୋଦ ବିଜେପି ଶାସିତ ରାଜ୍ୟମାନଙ୍କରେ ଫେଲ ମାରିଥିବାବଳେ ଓଡ଼ିଶାରେ ରାଜ୍ୟ ସରକାରଙ୍କ ନିଜସ୍ବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆନ୍ତର୍ଜାତିକସ୍ତରରେ ଆଦୃତ ଲାଭ କରିଛି। କାଳିଆ ଯୋଜନାକୁ ଦେଶ ବିଦେଶର ଅର୍ଥନୀତିଜ୍ଞ ଓ କୃଷି ବିଶାରଦମାନେ ଉଚ୍ଚ ପ୍ରଶଂସା କରି ରୋଲ ମଡେଲ ଭାବେ ଗ୍ରହଣ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ବିଜେପି ଚାପରେ ଏହି ଯୋଜନା ଏବେ ବନ୍ଦ ରହିବା ଯୋଗୁଁ ୨୦ ଲକ୍ଷ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ବିଜେଡି ମୁଖପାତ୍ର କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ମୁଖପାତ୍ର ଡଃ ପାତ୍ର କହିଥିଲେ ବିଜେପି ପାର୍ଟିରେ ବିଶ୍ବାସ କଲେ କିନ୍ତୁ ମାଟିରେ ନୁହେଁ। ମାତ୍ର ବିଜୁ ଜନତା ଦଳ ମାଟିରେ ବିଶ୍ବାସ କରି ପାର୍ଟିରେ ନୁହେଁ। ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୁନର୍ବାର ଲୋକେ ଆସ୍ଥା ପ୍ରକଟ କରି ପଞ୍ଚମ ଥର ପାଇଁ ନିର୍ବାଚିତ କରିବେ ଏବଂ ୨୧ଟି ଲୋକସଭା ଆସନରେ ବିଜେଡିକୁ ଆଶୀର୍ବାଦ ମିଳିବ।

ସମ୍ବନ୍ଧିତ ଖବର