କାଳିଆର ଦ୍ବିତୀୟ କିସ୍ତି ବଣ୍ଟନ ହେଲାନି : ଗର୍ଜିଲା ବିଜେଡି, କହିଲା ବିଜେପି ଚାପରେ ସିଇଓ

୧୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି, ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିବ ଦଳ

ଭୁବନେଶ୍ବର : ଭାରତୀୟ ଜନତା ପାର୍ଟି ଚାପରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଏପ୍ରିଲ ପହିଲାରୁ କାଳିଆର ଦ୍ବିତୀୟ କିସ୍ତି ସହାୟତା ସିଇଓଙ୍କ ଯୋଗୁଁ ବଣ୍ଟନ ହୋଇପାରିଲାନି। ବିଜେଡିର ୧୧ଟି ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଚୁପ ବସିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକୁମାରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ଏପରି ଆଜି ଗର୍ଜିଛି ବିଜେଡି। ଖୁବଶୀଘ୍ର ସିଇଓଙ୍କ ବିରୋଧରେ ନିର୍ବାଚନ କମିସନଙ୍କୁ ଅଭିଯୋଗ କରାଯିବ ବୋଲି ଆଜି ଦଳ େଘାଷଣା କରିଛି।

ସୋମବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି, ମାର୍ଚ୍ଚ ୩୧ ତାରିଖ ପରେ ଅର୍ଥାତ ଏପ୍ରିଲ ପହିଲାରେ କାଳିଆ ଯୋଜନାରେ ସାମିଲ ୨୦ ଲକ୍ଷ ଚାଷୀଙ୍କୁ ଦ୍ବିତୀୟ କିସ୍ତି ସହାୟତା ଦେବାକୁ ସରକାର ନିଷ୍ପତ୍ତି େନଇଥିଲେ। ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାକୁ ବନ୍ଦ କରିଦେଇଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ରାଜ୍ୟରେ ଚାଷୀଙ୍କ ପାଇଁ କାଳିଆ ସହାୟତା ଯୋଜନା ଲାଗୁ ହୋଇଥିଲା। ଏ ନେଇ ବାରମ୍ବାର ସିଇଓଙ୍କୁ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ସିଇଓ ନିଦାବିଷ୍ଣୁ ସାଜିଲେ। ବିଜେପି ଚାପରେ ଆସି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀକୁମାର କାଳିଆ ଯୋଜନା ବନ୍ଦ କରିଥିବା ନେଇ ମୁଖପାତ୍ର ଡଃ ପାତ୍ର ଅଭିଯୋଗ କରିଛନ୍ତି।

ବିଜେଡି କହିଛି, ଦୁଇଦିନ ତଳେ ଜନୈକ ବିଜେପି ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ କହୁ କହୁ କହି ପକାଇଲେ କାଳିଆ ଯୋଜନା ଉପରେ ବିଜେପି ଅଭିଯୋଗ କରିବା ପରେ ସିଇଓ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ବିଜେପି ଚାପର ବଶବର୍ତ୍ତୀ ହୋଇ ମୁଖ୍ୟ ନିର୍ବାଚନ ଅଧିକାରୀ ୨୦ ଲକ୍ଷ ଚାଷୀ ପରିବାରକୁ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ କରୁଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲେ ବି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଚାଷୀଙ୍କୁ ୨ ହଜାର ଟଙ୍କା ସହାୟତା ବଣ୍ଟନ କରାଯାଉଛି । ଅଥଚ କାଳିଆ ସହାୟତା ବଣ୍ଟନ ଉପରେ ସିଇଓ କୌଣସି ନିଷ୍ପତ୍ତି ଦେଉନାହାନ୍ତି।ଏହାର ଜବାବ ଆସନ୍ତାଦିନରେ ବିଜେପିକୁ ଲୋକେ ଦେବେ। ସେହିପରି ଗୁଇନ୍ଦା ବିଭାଗର ଜାଲ ଚିଠି ଆଧାରରେ ସାମ୍ବାଦିକ ସମ୍ମିଳନୀ କରିଥିବା ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ସିଇଓ ନେଉନାହାନ୍ତି।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଅଭିଯୋଗ କରି ଦର୍ଶାଇଛନ୍ତି, ଦୁଇ ଦିନ ତଳେ ବିଜେପିର ହିଞ୍ଜିଳି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ କାର୍ଯ୍ୟରତ ପ୍ରାଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ଅତି ଅସଭ୍ୟ ଭାବେ ବ୍ୟବହାର କଲେ। ଏପରିକି ଶ୍ରୀଆଚାର୍ଯ୍ୟ ଛାତ୍ରନେତା ଥିବାବେଳେ କିପରି ପୋଡ଼ାଜଳା କରି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ ସେ ନେଇ ମଧ୍ୟ ନିଜର ପାରିବାପଣିଆକୁ ସମ୍ପୃକ୍ତ ଅଧିକାରୀଙ୍କ ଆଗରେ ବଖାଣିଥିଲେ। ଶ୍ରୀ ଆଚାର୍ଯ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସିଇଓ ପଛଘୁଞ୍ଚା ଦେଉଛନ୍ତି। ଖାଲି ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ଅଭିସନ୍ଧି ରଖି ପେଟ୍ରୋଲ ପମ୍ପ୍ ଓ ଗ୍ୟାସ୍ ଏଜେନସି ଗୁଡ଼ିକୁ ବ୍ୟବହାର କରୁଛନ୍ତି। ଗୋଟିଏ ପରେ ଗୋଟିଏ ବିଜେପି ନେତାଙ୍କ ଗାଡ଼ିରୁ ଟଙ୍କା ଜବତ ହେବା ସହିତ ବରଗଡ଼ ଜିଲ୍ଲାର ସଞ୍ଜିବ ମହାପାତ୍ର ନାମକ ଜନୈକ ପେଟ୍ରୋଲ ପମ୍ପ୍ ମାଲିକ ତଥା ବିଜେପି ସମର୍ଥକଙ୍କ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ ହେବା ଏକଥାର ପ୍ରମାଣ ଦେଇଛି। କେନ୍ଦ୍ରୀୟ ସଂସ୍ଥା, ପେଟ୍ରୋଲ ପମ୍ପ୍ ଓ ଗ୍ୟାସ ଏଜେନସି ସାମନାରେ ମାଳମାଳ କେନ୍ଦ୍ରସରକାରଙ୍କ ଯୋଜନାର ହୋର୍ଡ଼ିଂ, ବ୍ୟାନର, ସାଇନେଜ୍ ଓ ଫ୍ଲେକ୍ସ ଏ ପର୍ଯ୍ୟନ୍ତ ହଟାଯାଇ ନଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଓଡ଼ିଶା ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ପ୍ରଚୁର ଅର୍ଥ ଓ ଅପରାଧୀଙ୍କୁ ଚାଲାଣ କରି ରାଜ୍ୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଯୋଜନା କରାଯାଉଥିବା ନେଇ ବିଜେଡି ଅଭିଯୋଗ କରିଥିଲେ ବି ସିଇଓ କୌଣସି ପଦକ୍ଷପେ ନେଉନଥିବା େନତାମାେନ କହିଥିଲେ।

ବିଜେଡିର ଅନ୍ୟତମ ମୁଖପାତ୍ର ସୁଲତା ଦେଓ ସିଇଓଙ୍କ ଆଉ କେତୋଟି ପକ୍ଷପାତିତା ଦର୍ଶାଇ କହିଥିଲେ, ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାବେଳେ ସରକାରଙ୍କ କୌଣସି ବି ଯୋଜନାରେ ନୂଆ ହିତାଧିକାରୀ ସାମିଲ ହେବା ନିୟମ ବିରୁଦ୍ଧ। ଅଥଚ କେନ୍ଦ୍ର ସରକାରଙ୍କ ଉଜ୍ଜ୍ବଳା ଯୋଜନାରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇ ଏଲପିଜି ଗ୍ୟାସ କାଗଜ ପତ୍ରରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଫଟୋ ଲଗାଯାଇଛି। ଯାହାକି ଆଦର୍ଶ ଆଚରଣ ବିଧିର ଉଲଂଘନ କରୁଛି। ସେହିପରି ପ୍ରତିଶ୍ରୁତି ପତ୍ର ମାଧ୍ୟମରେ ଜନମତକୁ ବିଭ୍ରାନ୍ତ କରିବାକୁ ବିଜେପି ଉଦ୍ୟମ କରୁଛି। ଏସବୁ ରୋକିବାକୁ ସିଇଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଦୁରଦର୍ଶନରେ କେନ୍ଦ୍ର ସରକାରଙ୍କ ଯୋଜନା ପ୍ରସାରଣ, କେନ୍ଦ୍ରାପଡ଼ାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଭିଡିଓ ଭ୍ୟାନ୍ ବୁଲାଇବା ଘଟଣା ସମେତ ରାଜ୍ୟ ଘରୋଇ ଆଇଟିଆଇ ସଂଘ କର୍ମଶାଳାରେ ସ୍କିଲ ଇଣ୍ଡିଆ ଲୋଗୋ ଲଗାଇ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ପ୍ରଚାର କରିବା ଘଟଣାରେ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ ବିଜେଡି ମୁଖପାତ୍ର ସୁଲୋଚନା ଦାସ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର