କେନ୍ଦ୍ର ମନ୍ତ୍ରୀ ନିଜ ନୈତିକତା ଦେଖନ୍ତୁ : ବିଜେଡି

ଭୁବନେଶ୍ବର : ପିପିଲି ଘଟଣାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ସନା କଲା ପରେ ତାହାର ପାଲଟା ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଅନ୍ୟମାନଙ୍କୁ ନୈତିକତାର ପାଠ ପଢ଼ାଇବା ଆଗରୁ ଶ୍ରୀ ପ୍ରଧାନ ନିଜର ନୈତିକତା ଦେଖିବାର ଆବଶ୍ୟକତା ରହିଛି। ଅତୀତରେ ଅପରାଧୀଙ୍କ ସହ ଶ୍ରୀ ପ୍ରଧାନଙ୍କ ସମ୍ପର୍କକୁ ରାଜ୍ୟବାସୀ ଭଲ ଭାବେ ଦେଖିଛନ୍ତି। ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତଙ୍କ ସହ ସମ୍ପର୍କ, ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ଆକ୍ରମଣ ଘଟଣା, ଛତ୍ରପୁର ବିଜେଡି କାଉନ୍‌ସିଲର୍ ହତ୍ୟାକାଣ୍ଡ, ଟିଟୋକୁ ଆଇଓସିଏଲ୍‌ର ପେଟ୍ରୋଲ ପମ୍ପ ଦାନ ଆଦି ଘଟଣାରେ ଶ୍ରୀ ପ୍ରଧାନଙ୍କ ପ୍ରୋତ୍ସାହନ କାହାକୁ ଅଛପା ନାହିଁ।

ଶ୍ରୀ ପାତ୍ର କହିଛନ୍ତି, ସିିବିଆଇର ସ୍ଥିତି ରସାତଳକୁ ଗ‌ଲାଣି ଓ ଦେଶରେ ସିବିଆଇକୁ ନେଇ ସମସ୍ତେ ଛି ଛି କରୁଛନ୍ତି। ଟିକିରିର ଇତିଶ୍ରୀ ମାମଲାରେ ରାଜ୍ୟ ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ଏହାର ସିବିଆଇ ତଦନ୍ତ ହୋଇଥିଲେ ମଧ୍ୟ କୌଣସି ନୂଆ ତଥ୍ୟ ପ୍ରମାଣ ସିବିଆଇ ପାଇପାରିଲା ନାହିଁ। ଏହି ମାମଲାରେ ସିବିଆଇ ଯେତେବେଳେ ତା’ର ତଦନ୍ତ ବନ୍ଦ କରିଦେଲା, ସେତେବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କେଉଁଠି ଥିଲେ ? ମହିଳାଙ୍କ ସୁରକ୍ଷାକୁ ନେଇ ଶ୍ରୀ ପ୍ରଧାନ ଓ ବିଜେପି ଦୋମୁହାଁ ନୀତି ଧରିଛି। ଦେଶର ବିଭିନ୍ନ ସ୍ଥାନରେ ବିଜେପିର ଅନେକ ନେତା ଓ କର୍ମୀ ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ବିଭିନ୍ନ ନିର୍ଯାତନା ଦେଇଥିବାର ଅଭିଯୋଗ ଆସିଛି। ତାଙ୍କ ମଧ୍ୟରୁ ଅନେକ ଜେଲ ମଧ୍ୟ ଯାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏହିସବୁ ପ୍ରସଙ୍ଗରୁ ମୁହଁ ଲୁଚାଇବାର ଚେଷ୍ଟା ନ କରି ନିଜର ସ୍ପଷ୍ଟୀକରଣ ରଖିବା ଆବଶ୍ୟକ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର