ଧର୍ମେନ୍ଦ୍ରଙ୍କୁ ବିଜେଡିର ଆହ୍ବାନ: ନିର୍ବାଚନକୁ ଓହ୍ଲାଅ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଚାଷୀ ସହାୟତା ଯୋଜନା କାଳିଆକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ସମାଲୋଚନା କରିବା ନେଇ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ବିଜୁ ଜନତା ଦଳ କଡ଼ ଜବାବ ଦେଇଛି। ଦଳୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ବାନ କରି କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନର ହାଵା ବହୁଛି ବୋଲି ଯଦି ଶ୍ରୀପ୍ରଧାନ ଅନୁଭବ କରୁଛନ୍ତି ତାହେଲେ ସାମନାସାମନି ନିର୍ବାଚନ ଲଢ଼େଇ କରନ୍ତୁ। ଭୀରୁତା ଦେଖାଇ ପଛଘୁଞ୍ଚା ଦେଲେ ଚଳିବ ନାହିଁ ବୋଲି ବିଜେଡି ମୁଖପାତ୍ର କଡ଼ା ଶବ୍ଦରେ କହିଛନ୍ତି।

ବିଜେଡି ପକ୍ଷରୁ ମୁଖପାତ୍ର ଡ.ପାତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ସିଧାସିଧା ଆହ୍ବାନ ଦେଇ କହିଛନ୍ତି, ଚଳିତ ନିର୍ବାଚନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ କେନ୍ଦ୍ରମନ୍ତ୍ରୀ ଅତିଷ୍ଠ ହେଲାଭଳି ଲାଗୁଛି। ଯଦି ଶ୍ରୀପ୍ରଧାନ ଏତେ ଟାଣୁଆ ତାର ପ୍ରମାଣ ଦେବାକୁ ଯାଇ ନିର୍ବାଚନ ମଇଦାନକୁ ନିଜେ ଓହ୍ଲାଇ ଅନ୍ତତଃ ଗୋଟିଏ ଆସନରୁ ଲଢ଼ି ଦେଖାନ୍ତୁ। ନିର୍ବାଚନ ଲଢ଼ିଲେ ଜଣାପଡ଼ିଯାନ୍ତା କେନ୍ଦ୍ରମନ୍ତ୍ରୀଙ୍କର କାଟତି କେତେ। ଏଥିରୁ ଜଣାପଡ଼ୁଛି ଧର୍ମେନ୍ଦ୍ର ପ୍ରଧାନ ନିଜେ ପ୍ରାର୍ଥୀ ହେବାକୁ ଡରୁଛନ୍ତି। ୨୦୧୪ରେ ନିର୍ବାଚନ ଲଢ଼ିବାକୁ ଯେମିତ ସାହସ କରିପାରିନଥିଲେ ଏଥର ବି ସାହସ ଜୁଟାଇ ପାରିନାହାନ୍ତି। ଶ୍ରୀପ୍ରଧାନ କେବଳ ବ୍ୟାକ୍ ଡୋର୍ ପଲିଟିକ୍ସ କରିବାରେ ମାହିର ବୋଲି ମୁଖପାତ୍ର ଡ. ପାତ୍ର କହିଛନ୍ତି। ନିର୍ବାଚନ ସାମନା କରିବାର ସାହସ ତାଙ୍କର ନାହିଁ। ବିଜେପି ନେତାଏ ଯେପରି ଏବେ ପରିବର୍ତ୍ତନର ହାଵା ବହୁଛି ବୋଲି ଖୁସି ହେଉଛନ୍ତି ତା କେବଳ କଥାରେ ସୀମିତ ରହିଛି ବୋଲି ବିଜେଡି କହିଛି।

ସମ୍ବନ୍ଧିତ ଖବର