ବିହାର ଓ ମଧ୍ୟପ୍ରଦେଶରୁ ହିଂସା ସଂସ୍କୃତି ଆମଦାନୀ କରିଛନ୍ତି ଧର୍ମେନ୍ଦ୍ର : ବିଜେଡି

ରାଜନୈତିକ ହିଂସା ନେଇ ବିଜେପିକୁ ବିଜେଡିର କଡ଼ା ଜବାବ

ଭୁବନେଶ୍ବର : ଅପରାଧିକ କାର୍ଯ୍ୟକଳାପ ଦ୍ବାରା ରାଜ୍ୟରେ ହିଂସାକାଣ୍ଡ ଘଟାଇ ଭାରତୀୟ ଜନତା ପାର୍ଟି ନିର୍ବାଚନରେ ଆତଙ୍କସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଆଉ ଏସବୁ ହିଂସାତ୍ମକ କାର୍ଯ୍ୟକଳାପ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ବିହାର ଓ ମଧ୍ୟପ୍ରଦେଶରୁ ଆମଦାନୀ କରୁଛନ୍ତି। ପରାଜୟ ଭୟରେ ନିର୍ବାଚନ ସମୟରେ ବିଜେଡିି ହିଂସାର ରାସ୍ତା ଆପଣାଇଥିବା ନେଇ ବିଜେପିର ଅଭିଯୋଗକୁ ଖଣ୍ଡନ କରି ବିଜେପି ନେତା ଓ ଦଳ ଉପରେ ଏପରି ପ୍ରତିଆରୋପ ଲଗାଇଛି ବିଜୁ ଜନତା ଦଳ। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଅଭିଯୋଗ କରିଛି, ନିର୍ବାଚନରେ ଅପରାଧୀଙ୍କୁ ବ୍ୟବହାର କରିବା ବିଜେପି ଦଳର ଚରିତ୍ର ପାଲଟିଛି।

ଦଳର ମୁଖପାତ୍ର ସସ୍ମିତ୍ ପାତ୍ର ବିଜେପି ନେତା ଧର୍ମେନ୍ଦ୍ରଙ୍କୁ ସ୍ପଷ୍ଟୀକରଣ ଦେବାକୁ ଆହ୍ବାନ କରି ଅଭିଯୋଗ କରିଛନ୍ତି, ଶ୍ରୀ ପ୍ରଧାନଙ୍କ ସିଲ ବନ୍ଦ ସୁଟକେସକୁ ପୋଲିଂ ଅଧିକାରୀ ଯାଞ୍ଚ କରିବାକୁ ଗଲାବେଳେ ଯେପରି ଘୃଣ୍ୟ ବ୍ୟବହାରର ଶିକାର ହେଲେ ସେଥିରୁ କେନ୍ଦ୍ରମନ୍ତ୍ରୀଙ୍କର ଆଚରଣ ଓ ଉଚ୍ଚାରଣରେ ମଣିଷତ୍ବ ଥିବା ଭଳି ଲାଗୁନଥିଲା। ଶ୍ରୀ ପ୍ରଧାନ ତାଙ୍କ ସୁଟକେସରେ କଣ ରଖିଥିଲେ ତା ମଧ୍ୟ କେହି ଜାଣିପାରିନାହାନ୍ତି। ଧର୍ମେନ୍ଦ୍ର ବାବୁ ତାଙ୍କ ସୁଟକେସରେ କଣ ରଖିଥିଲେ ବୋଲି ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ମୁଖପାତ୍ର ଡଃ ପାତ୍ର ଆହ୍ବାନ କରିଛନ୍ତି। ଡଃ ପାତ୍ର ଅଭିଯୋଗ କରିଛନ୍ତି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଅପରାଧୀଙ୍କ ସମ୍ପର୍କ ଓ ଅପରାଧୀକ ମାନସିକତା ନେଇ ଟ୍ରାକ ରେକର୍ଡ଼ ରହିଛି। ମଧ୍ୟପ୍ରଦେଶରେ ବହୁ ଚର୍ଚ୍ଚିତ ବ୍ୟାପମ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ସୁଧୀର ଶର୍ମାଠାରୁ ବିମାନ ଟିକେଟ ନେବା ଘଟଣା ହେଉ କି କୋଇଲା ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ଥିବା ନେଇ ଅଭିଯୋଗର ସେ ଏବେଯାଏ ଖଣ୍ଡନ କରିନାହାନ୍ତି। ରାଜ୍ୟରେ ବହୁଚର୍ଚ୍ଚିତ ବିଜେଡି ନେତା ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାର ମୁଖ୍ୟ ଆସାମୀକୁ ଉତ୍ତରାଖଣ୍ଡ ଗେଷ୍ଟ ହାଉସରେ ଲୁଚାଇ ରଖିବା ସହ ଅପରାଧୀ ଟିଟୋକୁ ପେଟ୍ରୋଲ ପମ୍ପ ବଣ୍ଟନ, ଡି-ବ୍ରଦର୍ସଙ୍କ ସହ ଶ୍ରୀ ପ୍ରଧାନଙ୍କ ସମ୍ପର୍କ ଥିବା ନେଇ ଯଥେଷ୍ଟ ପ୍ରମାଣ ରହିଛି। ଢେଙ୍କାନାଳର କୋଇଲା ମାଫିଆଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କର କି ସମ୍ପର୍କ ରହିଛି ତାକୁ ନିଜେ ଶ୍ରୀ ପ୍ରଧାନ ସ୍ପଷ୍ଟ କରିବା ଦରକାର। ରାଜନଗରରେ ଉଜ୍ଜ୍ବଳା ଗ୍ୟାସ୍ ଦୁର୍ନୀତିଠୁ ଆରମ୍ଭ କରି ବିଜେପୁର ଉପନିର୍ବାଚନରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇକୁ ଆକ୍ରମଣ କରିବା ସହ ଜଣେ ବିଜେଡି ନେତାଙ୍କ ହତ୍ୟା ଘଟଣାରେ ହାତ ଥିବା ଶ୍ରୀ ପ୍ରଧାନଙ୍କ ମୁହଁରେ ନୀତି ନୈତିକତାର କଥା ଶୋଭା ପାଏନି ବୋଲି ଅଭିଯୋଗ କରିଥିଲେ ବିଜେଡି ମୁଖପାତ୍ର ସୁଲତା ଦେଓ।

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଅଭିଯୋଗ କରି କହିଥିଲେ, କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଦାୟିତ୍ବରେ ଥିବା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶରେ ଫେଲ ମାରିବା ପରେ ନିର୍ବାଚନରେ ଖୋଜି ଖୋଜି ଅପରାଧୀଙ୍କୁ ପ୍ରାର୍ଥୀ କରାଇଛନ୍ତି। ସୋରଡ଼ାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣୀ ବିଷୋୟୀଙ୍କ ନାଁରେ ମର୍ଡ଼ର, ଅପହରଣ, ବଟି ଆଦାୟ ଓ ଦଙ୍ଗା ଭିଆଇବା ନେଇ ଅନେକ ମାମଲା ରହିଛି। ଏଭଳି ଜଣେ ବ୍ୟକ୍ତିଙ୍କୁ ଧର୍ମେନ୍ଦ୍ର ବାବୁ ପ୍ରାର୍ଥୀ କରାଇଥିଲେ। ଯାହାର ପ୍ରମାଣ ଶ୍ରୀ ବିଷୋୟୀ ଗତକାଲି ବୁଥ ଭିତରେ ପଶି ଇଭିଏମ ଭାଙ୍ଗିବା ଘଟଣାରୁ ପ୍ରମାଣିତ ହୋଇଛି। ଏଭଳି ଅନେକ ଘଟଣାର ଉଦାହରଣ ଦେଇ ଶ୍ରୀ ପ୍ରଧାନଙ୍କୁ ବିଜେଡି ଟାର୍ଗେଟ କରିବା ସହ ଆଗାମୀ ଦିନରେ ଲୋକେ ଏହାର ଜବାବ ଦେବେ ବୋଲି ଦାବି କରିଛି।

ସମ୍ବନ୍ଧିତ ଖବର