ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ବର : ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଆଜି ଏକ ଜାତୀୟସ୍ତରର ଗଣମାଧ୍ୟମରେ ଯେଉଁ ସମ୍ବାଦ ପ୍ରକାଶ ପାଇଛି ତାହା ଉପରେ ବିଜେଡି ପ୍ରତିକ୍ରିୟା ରଖିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଶ୍ରୀ ପଣ୍ଡା ହେଉଛନ୍ତି ଜଣେ ବ୍ୟବସାୟୀ। ଲୋକଙ୍କ ସେବା କରିବା ପରିବର୍ତ୍ତେ ନିଜର ବ୍ୟବସାୟକୁ ଆଗକୁ ନେବା ଲାଗି ସେ ରାଜନୀତିରେ ଯୋଗ ଦେଇଥିଲେ। ସେ ନିଜର ବେଆଇନ କାରବାରକୁ ସୁରକ୍ଷା ଯୋଗାଉଛନ୍ତି। ସମ୍ଭବତଃ ଏଥିପାଇଁ କେନ୍ଦ୍ରରେ ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନଙ୍କ ସପକ୍ଷରେ ସେ ସବୁବେଳେ ଲେଖୁଛନ୍ତି।

୨୦୧୪ରେ ସେ ସଂସଦର ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟିର ଅଧ୍ୟକ୍ଷ ହେବାକୁ ଶ୍ରୀ ପଣ୍ଡା ଲବି କରୁଥିଲେ। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଦଳ ସଭାପତି ଏହାକୁ ବିରୋଧ କରିଥିଲେ। ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ସହିତ ତାଙ୍କର ବ୍ୟବସାୟିକ ସମ୍ପର୍କ ଥିବାରୁ କମିଟିର ଅଧ୍ୟକ୍ଷ ହେବା ଠିକ୍ ହେବନାହିଁ। ଏହାଦ୍ବାରା କନଫ୍ଲିକ୍ଟ ଅଫ୍ ଇଣ୍ଟ୍ରେଷ୍ଟ (ଦୋହରା ସ୍ବାର୍ଥ) ଦେଖାଦେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ୨୦୧୮ ଜାନୁଆରି ୨୬ରେ ଦଳ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ ଉଲ୍ଲେଖ କରାଯାଇଥିଲା। ଏଥିଯୋଗୁ ବୈଜୟନ୍ତ ପଣ୍ଡା କ୍ଷୁବ୍ଧ ହୋଇ ଦଳ ବିରୋଧୀ କାର୍ଯ୍ୟକଳାପ ଆରମ୍ଭ କରି ଦେଇଥିଲେ ବୋଲି ବିଜେଡି କହିଛି। କେନ୍ଦ୍ରରେ ଥିବା ଏନଡିଏ ସରକାର କଳାବଜାରୀ ଏବଂ କଳାଧନକୁ ‌ଧଳା କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ‌ ବୋଲି ଦାବି କରୁଛନ୍ତି। ସେମାନେ ଯାହା କହୁଛନ୍ତି ଏ କ୍ଷେତ୍ରରେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବେ ବୋଲି ବିଜେଡି ପ୍ରବକ୍ତା ଡ. ସସ୍ମିତ ପାତ୍ର କହିଛନ୍ତି। ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଇସ୍ତାହାର ଜାରି କରାଯାଇଛି।

ସମ୍ବନ୍ଧିତ ଖବର