ଧର୍ମେନ୍ଦ୍ରଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର : ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାବେଳେ ରାଜ୍ୟ ଘରୋଇ ଆଇଟିଆଇ ସଂଘ ଦ୍ବାରା ଆୟୋଜିତ କର୍ମଶାଳାରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ଲୋଗୋ ପ୍ରଦର୍ଶନ କରିଛନ୍ତି। ଏହାଦ୍ବାରା କେନ୍ଦ୍ରମନ୍ତ୍ରୀ ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବା ଦର୍ଶାଇ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି।

ରବିବାର ବିଜେଡିର ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟି କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବା ନେଇ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ ପତ୍ର ପ୍ରଦାନ କରିଛି। ଅଭିଯୋଗ ପତ୍ରରେ ଦଳ ଦର୍ଶାଇଛି, ରବିବାର ଭୁବନେଶ୍ବର ଇଡିକଲ ଅଡିଟୋରିୟମରେ ରାଜ୍ୟ ଘରୋଇ ଆଇଟିଆଇ ସଂଘ ତରଫରୁ ଆୟୋଜିତ’ ଆଧୁନିକ ଶତାବ୍ଦିରେ ଭାରତ ଦକ୍ଷତା ବିକାଶ’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଶ୍ରୀପ୍ରଧାନ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦକ୍ଷତା ମିସନ ପ୍ରଚାର ଓ ପ୍ରସାର ପାଇଁ ଉଦ୍ଦିଷ୍ଟ ସ୍କିଲ ଇଣ୍ଡିଆ ଲୋଗୋକୁ ବ୍ୟବହାର କରିଛନ୍ତି। ଯାହାକି ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଂଘନକୁ ପ୍ରମାଣିତ କରୁଛି। ଏହି ଲୋଗୋ ଭାରତ ସରକାରଙ୍କ ଦକ୍ଷତା ବିକାଶ େଵବ୍ ସାଇଟରେ ବି ଉପଲବ୍ଧ ଅଛି। କେନ୍ଦ୍ରମନ୍ତ୍ରୀଙ୍କ ଏପରି ଆଚରଣ ବିଧି ଉଲଂଘନ ନେଇ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅଭିଯୋଗ ପତ୍ରରେ ଅନୁରୋଧ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବାକୁ ଯାଇଥିବା ବିଜେଡିର ପ୍ରତିନିଧି ମଣ୍ଡଳୀରେ ମୁଖପାତ୍ର ସୁଲୋଚନା ଦାସ, ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ସମେତ ମୁଖପାତ୍ର ଡ.ସସ୍ମିତ୍ ପାତ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର