ଆଗୁଆ ନିର୍ବାଚନ ସପକ୍ଷରେ ନିର୍ବାଚନ କମିସନଙ୍କୁ ଭେଟିଲା ବିଜେଡି: ଏକ ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତାବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଯଦି ଆଗୁଆ ଲୋକସଭା ନିର୍ବାଚନ କରିବାକୁ ଚାହୁଥାଆନ୍ତି ଏବଂ ଏ ନେଇ କୌଣସି ନିଷ୍ପତ୍ତି ନିର୍ବାଚନ କମିସନ ନେଉ ଥାଆନ୍ତି ତେବେ ସେହି ସମୟରେ ଓଡ଼ିଆ ବିଧାନସଭା ନିର୍ବାଚନ କରାଯାଉ ବୋଲି ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହା ଫଳରେ ୧୦୦୦ କୋଟି ଟଙ୍କା ସରକାର ସଞ୍ଚୟ କରିପାରିେବେ ବୋଲି ବିଜେଡ଼ି ଦର୍ଶାଇଛି।

ବୁଧବାର ବିଜେଡି ସାଂସଦ ପିନାକୀ ମିଶ୍ର ନୂଆଦିଲ୍ଲୀରେ ମୁଖ୍ୟ-ନିର୍ବାଚନ କମିସନର ଓ.ପି.ରାଓ୍ଵତ୍‌ଙ୍କୁ ସାକ୍ଷାତ କରି ଲୋକସଭା ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ କରାଇବା ଲାଗି ଦଳ ପକ୍ଷରୁ ଦାବି ଜଣାଇଛନ୍ତି। ସାଂସଦ ଶ୍ରୀ ମିଶ୍ର ଏକ ପତ୍ରମାଧ୍ୟମରେ ଦର୍ଶାଇଛନ୍ତି ଯେ ନିର୍ବାଚନ ସମୟରେ ଯାହା ବି ଖର୍ଚ୍ଚ ହୁଏ, ତାହା କେନ୍ଦ୍ର ଓ ରାଜ୍ୟ ସମାନ ଭାବେ ବହନ କରିଥାଆନ୍ତି। ତେଣୁ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ଏକାଠି କରାଗଲେ ସରକାରଙ୍କୁ ୧୦୦୦ କୋଟି ଟଙ୍କାର ଫାଇଦା ହୋଇପାରିବ।

ଏଥିସହ ସାଂସଦ ପିନାକୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ନିର୍ବାଚନ କମିସନ୍‌ଙ୍କ ବିଚାରାଧୀନ ଥିବା ଏକ ମାମଲାରେ ତ୍ୱରିତ ବିଚାର ଲାଗି ଅନୁରୋଧ କରିଥିଲେ। ରାଜନୈତିକ ଅଭିସନ୍ଧି ରଖାଯାଇ ଏହି ମାମଲା କରାଯାଇଥିବା ଦର୍ଶାଇଥିଲେ। ତଙ୍କର ଏହି ଅନୁରୋଧକୁ ଗ୍ରହଣ କରି ଏକ ମାସ ମଧ୍ୟରେ ମାମଲାର ବିଚାର ଲାଗି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନର ଓ.ପି. ରାଓ୍ଵତ୍‌।

ସମ୍ବନ୍ଧିତ ଖବର