ନିଯୁକ୍ତି ନେଇ କେନ୍ଦ୍ର ବିରୋଧରେ ବିଜେଡିର ଆନ୍ଦୋଳନ

କେନ୍ଦ୍ରୀୟ ପିଏସ୍‌ୟୁ ସାମ୍ନାରେ ୫‌ରୁ ବିକ୍ଷୋଭ, ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜ୍‌ରେ ତାଲା ପକାଇବ ବିଜେପି

0 338

ଭୁବନେଶ୍ବର : ରାଜ୍ୟ ସରକାର ଯୁବପିଢ଼ି ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁ ନାହାନ୍ତି ବୋଲି ଅଭିଯୋଗ କରି ଆସନ୍ତା ୫ ତାରିଖରେ ରାଜ୍ୟର ସବୁ ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜ୍‌ରେ ତାଲା ପକାଇବାକୁ ବିଜେପି ଘୋଷଣା କରିଥିଲା। ଆଜି ଏହାର ପାଲଟା ଜବାବ ଦେଇ କେନ୍ଦ୍ର ବିରୋଧରେ ପ୍ରତାରଣା ଅଭିଯୋଗ ଆଣି ଆନ୍ଦୋଳନ ଡାକରା ଦେଇଛି ବିଜେଡି। ଓଡ଼ିଶାର ଯୁବଶକ୍ତିକୁ ନିଯୁକ୍ତି ସୁଯୋଗ ନ ଦେଇ ପ୍ରତାରଣା କରୁଥିବା ପ୍ରତିବାଦରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍‌ୟୁ) ସାମ୍ନାରେ ବିଜେଡି ଯୁବ ଓ ଛାତ୍ର ଶାଖା ଆସନ୍ତା ୫ ତାରିଖରୁ ବିକ୍ଷୋଭ ପ୍ରଦର୍ଶନ କରିବେ। ୫ରେ ଦକ୍ଷିଣାଞ୍ଚଳ ଆର୍‌ଡିସି ଜୋନ୍, ୬ରେ ପଶ୍ଚିମାଞ୍ଚଳ ଆର୍‌ଡିସି ଜୋନ୍ ଓ ୮ରେ କେନ୍ଦ୍ରୀୟ ଆର୍‌ଡିସି ଜୋନ୍‌ରେ ଥିବା ‌କେନ୍ଦ୍ରୀୟ ପିଏସ୍‌ୟୁ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଥିଲା, ବିଜେପି ୨୦୧୪ ନିର୍ବାଚନ ସମୟରେ ୫ ବର୍ଷରେ ୧୦ କୋଟି ଚାକିରି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଚାକିରି ସୃଷ୍ଟି ହେବା ପରିବର୍ତ୍ତେ କୋଟି କୋଟି ଚାକିରି ବନ୍ଦ ହୋଇଯାଉଛି। ବିମୁଦ୍ରାକରଣ ଯୋଗୁ ବହୁ ନିଯୁକ୍ତି ସୁଯୋଗ ବନ୍ଦ ହୋଇଯାଇଛି। ଓଡ଼ିଶା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭୂମିକା ଅତ୍ୟନ୍ତ ନୈରାଶ୍ୟଜନକ। ଓଡ଼ିଶାରେ ଶିଳ୍ପର ପ୍ରଗତି ପାଇଁ ଶିଳ୍ପ କରିଡର୍‌ର ଆବଶ୍ୟକତା ରହିଛି। ବାରମ୍ବାର ବିଜେଡି ସରକାରଙ୍କ ଅନୁରୋଧ ସ‌େତ୍ତ୍ବ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଓଡ଼ିଶାର ଦାବିକୁ ଅଗ୍ରାହ୍ୟ କରି ଆସୁଛନ୍ତି। ଯୁବଶକ୍ତିଙ୍କ ପାଇଁ ନିଯୁକ୍ତି କ୍ଷେତ୍ର‌େର ଜିଏସ୍‌ଟିର ତ୍ରୁଟିପୂର୍ଣ୍ଣ କାର୍ଯ୍ୟକାରିତା ଯୋଗୁ ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ହଟହଟା ହେଉଛନ୍ତି। ଏହା ଯୋଗୁ ଅନେକ କ୍ଷୁଦ୍ର ବ୍ୟବସାୟୀ ନିଜ ବ୍ୟବସାୟ ବନ୍ଦ କରିସାରିଲେଣି। ଓଡ଼ିଶାରେ ୩୦ରୁ ଅଧିକ କେନ୍ଦ୍ରୀୟ ପିଏସ୍‌ୟୁ ଥିଲା ବେଳେ ଓଡ଼ିଆ ଯୁବକ, ଯୁବତୀଙ୍କ ପାଇଁ ସେଥିରେ ନିଯୁକ୍ତି ସୁଯୋଗ ନାହିଁ। କେନ୍ଦ୍ର ସରକାର ଏହି ପିଏସ୍‌ୟୁଗୁଡ଼ିକରେ ଅନ୍ୟ ରାଜ୍ୟରୁ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଉ ନାହାନ୍ତି। ପାରାଦୀପଠାରେ ଥିବା ତୈଳ ବିଶୋଧନାଗାରରେ ଓଡ଼ିଆ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଏଠାରେ କାହିଁକି ଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଉ ନାହିଁ ବୋଲି ବାରମ୍ବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରାଯାଉଥିଲେ ବି ସେ ତାହାର ଜବାବ ଦେଉ ନାହାନ୍ତି। କେନ୍ଦ୍ରୀୟ ପିଏସ୍‌ୟୁଗୁଡ଼ିକ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତିଙ୍କ ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯୁବ ବିରୋଧୀ ଆଭିମୁଖ୍ୟକୁ ପ୍ରତିବାଦ କରିବା ସହ ଓଡ଼ିଶାର ଯୁବଶକ୍ତି ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କେନ୍ଦ୍ରୀୟ ପିଏସ୍‌ୟୁ ସାମ୍ନାରେ ବିଜେଡି ଯୁବ ଓ ଛାତ୍ର ଶାଖା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ବିଜେଡିର ଆନ୍ଦୋଳନକୁ ସମାଲୋଚନା କରି ବିଜେପି କହିଛି, ଦୀର୍ଘ ୧୮ ବର୍ଷ ଧରି ରାଜ୍ୟ ସରକାର ରାଜ୍ୟର ଯୁବକ, ଯୁବତୀମାନଙ୍କୁ କୌଣସି ସ୍ଥାୟୀ ନିଯୁକ୍ତି ପ୍ରଦାନ କରି ନାହାନ୍ତି। ଅନେକ ସ୍ଥାନରେ ନିଯୁକ୍ତି ମେଳା କରି ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଡାକି ପ୍ରତାରିତ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟର ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚାହୁଁଥିବା ସମୟରେ ରାଜ୍ୟ ସରକାର ସବୁବେଳେ ବାଧକ ସାଜୁଛନ୍ତି। ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜ୍‌ରେ କେତେ ପିଲା ନାମ ପଞ୍ଜୀକରଣ କରିଛନ୍ତି ଓ କେତେ ଜଣଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି, ତାାହ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.