ଏଟିଏମ୍‌ ଖାଲି: ବିଜେଡିର ୨ ଘଣ୍ଟିଆ ବିକ୍ଷୋଭ

ଭୁବନେଶ୍ୱର : ଏଟିଏମ୍‌ରେ ଟଙ୍କା ଅଭାବ ପ୍ରସଙ୍ଗକୁ ନେଇ ଆଜି ବିଜେଡି ସମଗ୍ର ରାଜ୍ୟରେ ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିଛି। ଆଜି ସକାଳ ୧୦ଟା ସମୟରେ ଭୁବନେଶ୍ୱରସ୍ଥିତ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜୁ ଯୁବ, ଛାତ୍ର, ମହିଳା, ଶ୍ରମିକ, କୃଷକ ଓ ସମବାୟ ସାମ୍ମୁଖ୍ୟ ତରଫରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଦେଶରେ ଉପୁଜିଥିବା ପରିସ୍ଥିତି ଯୋଗୁ ସାଧାରଣ ଜନତା ଯେପରି କୌଣସି ସମସ୍ୟାରେ ନ ପଡ଼ନ୍ତି ସେ ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା କହିଥିଲେ, କେନ୍ଦ୍ର ସରକାରଙ୍କ ଏହା ଦ୍ୱିତୀୟବାର ଅଘୋଷିତ ଆର୍ଥକ ଜରୁରି ପରିସ୍ଥିତି। ସେଥିଯୋଗୁ ଦେଶର ଏଟିଏମ୍‌ଗୁଡିକରେ ଟଙ୍କା ନାହିଁ। ନୋଟ୍‌ବନ୍ଦୀ ବେଳରେ ଉପୁଜିଥିବା ଅବସ୍ଥାର ପୁନରାବୃତ୍ତି ହୋଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିିଥିଲେ, କେନ୍ଦ୍ର ସରକାରଙ୍କ ଆର୍ଥକ ପରିଚାଳନା ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ଏଟିଏମ୍‌ ଫାଙ୍କା ପଡିଛି। ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେ, କେନ୍ଦ୍ର ସରକାରଙ୍କ ଭୁଲ ଯୋଗୁ ଆର୍ଥକ ବ୍ୟବସ୍ଥା ରସାତଳଗାମୀ ହେଲାଣି। ପ୍ରଥମେ ନୋଟ୍‌ବନ୍ଦୀ, ପରେ ଏଟିଏମ୍‌ଗୁଡିକରୁ ଟଙ୍କା ଉଭାନ ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ। ବିଜେଡି ଏହାର ପ୍ରତିବାଦ ଜଣାଇଛି।

ଏହି ଅବସରରେ ଭୁବନେଶ୍ୱରର ୭ଟି ପ୍ରମୁଖ ବ୍ୟାଙ୍କ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ସାମ୍ନାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ଦେବାଶିଷ ନାୟକ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟୋମକେଶ ରାୟ, ମେୟର ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ସାଧାରଣ ସଂପାଦକ ଦୁର୍ଗା ସାମନ୍ତରାୟ, ଏଲିନା ଦାସ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ଏସ୍‌ବିଆଇ ଆଞ୍ଚଳିକ ମୁଖ୍ୟାଳୟ ସାମ୍ନାରେ ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, କୁନବିହାରୀ ଦାସ, ପ୍ରଦୀପ ବିଶୋୟୀ ପ୍ରମୁଖ ଯୋଗ ଦେଇଥିଲେ। କ୍ରାଉନ୍‌ ହୋଟେଲସ୍ଥିତ ଆହ୍ଲାବାଦ୍‌ ବ୍ୟାଙ୍କ୍‌, ୟୁନିୟନ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସାମ୍ନାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମହିଳା ଭୁବନେଶ୍ୱର ଜିଲ୍ଲା ସଭାପତି ଭାରତୀ ସିଂହ, ମାନସୀ ସୁନ୍ଦରାୟ, ୟୁକୋ ବ୍ୟାଙ୍କ ଏବଂ ପିଏନ୍‌ବି ବ୍ୟାଙ୍କ ସମ୍ମୁଖରେ ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍‌ ସେନାପତି, ରଞ୍ଜିତ ମହାପାତ୍ର, ମହର୍ଷି କଲେଜ୍‌ ସ୍ଥିତ ଆଇଡିବିଆଇ ବ୍ୟାଙ୍କ ସମ୍ମୁଖରେ ଉମା ମିଶ୍ରଙ୍କ ସମେତ ବହୁ କର୍ପୋରେଟର୍‌, ବରମୁଣ୍ଡାସ୍ଥିତ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରେ ସୁଜିତ ସ୍ୱାଇଁ, ପ୍ରତାପ ସାହୁ ଏବଂ କଟକ ରୋଡସ୍ଥିତ ଏସ୍‌ବିଆଇ ସମ୍ମୁଖରେ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ପୋରେଟର ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର