ଗଞ୍ଜାମ, କନ୍ଧମାଳରେ ବିଜେଡିର ବାଜିମାତ୍‌

୩ ଲୋକସଭା, ୧୪ ବିଧାନସଭା ଆସନ ବିଜେଡି କବ୍‌ଜାରେ, ସାନଖେମୁଣ୍ଡିରେ ରମେଶ ଫେରିଲେ, ଗଞ୍ଜାମରେ ପ୍ରମିଳାଙ୍କୁ ସଫଳତା, ଗଜପତିରେ ଆସନ ବାଣ୍ଟିନେଲେ ବିଜେପି ଓ କଂଗ୍ରେସ

ବ୍ରହ୍ମପୁର : ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ରହିଛି ୩ ଲୋକସଭା ଏବଂ ୧୮ ବିଧାନସଭା ଆସନ। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲାରେ ମୋଦି ଲହର୍‌ କାମ କଲାନି। କନ୍ଧମାଳ, ବ୍ରହ୍ମପୁର ଓ ଆସିକା ତିନିଟି ଯାକ ଲୋକସଭା ଆସନକୁ ବିଜେଡି କବ୍‌ଜା କରିଛି। ତେବେ ଗଲା ଥର ଜିଲ୍ଲା‌ର ୧୩ରୁ ୧୩ ଆସନ ହାତେଇଥିବା ବିଜେଡି ଆତରୁ ଗୋଟିଏ ଆସନ ଖସିଯାଇଛି। ୧୨ଟି ବିଧାନସଭା ଆସନ ବିଜେଡି ଅକ୍ତିଆରକୁ ଯାଇଛି। ସା‌ନଖେମୁଣ୍ଡିରେ ବିଧାୟିକା ନନ୍ଦିନୀ ଦେବୀଙ୍କୁ ବଡ଼ ଝଟ୍‌କା ଲାଗିଛି। ସେଠାରେ ବିଜେଡିର ବିପର୍ଯ୍ୟୟ ଘଟିଛି ଓ ପାଞ୍ଚ ବର୍ଷ ବ୍ୟବଧାନରେ ପୁଣି ବିଜୟ ଟୀକା ପିନ୍ଧିଛନ୍ତି କଂଗ୍ରେସ ପୂର୍ବତନ ବିଧାୟକ ରମେଶ ଜେନା। ଜିଲ୍ଲାରେ ବିଜେପି ଖାତା ଖୋଲି ପାରିନାହିଁ। ଜିଲ୍ଲାର ୧୧ଟି ଆସନରେ ବିଜେଡିର ବିଜୟ ସ୍ପଷ୍ଟ ହୋଇଥିବା ବେଳେ ଗୋପାଳପୁର ବିଧାନସଭା ଆସନର ଫଳାଫଳ ଇଭିଏମ୍‌ ତ୍ରୁଟି ପାଇଁ ଘୋଷଣା ବାକି ଅଛି। ଗଜପତି ଜିଲ୍ଲାରେ ବିଜେଡି ମୂଳପୋଛ ହୋଇଯାଇଛି। ଏହି ଜିଲ୍ଲାର ଦୁଇଟି ବିଧାନସଭା ଆସନ ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ରହିଛି। ପାରଳାଖେମୁଣ୍ଡି ବିଧାନସଭା ଆସନରେ ପ୍ରଥମ ଥର ପାଇଁ ବିଜେପିର ଅଭ୍ୟୁଦୟ ହୋଇଛି। ପାରଳାରୁ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ ବିଜୟୀ ହୋଇଛି। ସେହିପରି ମୋହନା ଆସନ କଂଗ୍ରେସ ହାତକୁ ଯାଇଛି। କନ୍ଧମାଳ ଲୋକସଭା ଆସନ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ଦଖଲକୁ ଯାଇଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ବାଲିଗୁଡା ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି। ଘୁ. ଉଦୟଗିରି ଆସନର ଫଳାଫଳ ଇଭିଏମ୍‌ ତ୍ରୁଟି ପାଇଁ ସ୍ପଷ୍ଟ ହୋଇନାହିଁ। ମୋଟାମୋଟି ଭାବେ ଦେଖିବାକୁ ଗଲେ ଗଞ୍ଜାମରେ ବିଜେପି ଓ କନ୍ଧମାଳରେ ବିଜେପି ଖାତା ଖୋଲି ନ ଥିବା ବେଳେ ଗଜପତିରେ ବିଜେଡି ସତ୍ତା ହରାଇଛି।

ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ବିଜୟୀ ହୋଇଛନ୍ତି। ଲଗାତର ତୃତୀୟ ଥର ପାଇଁ ବ୍ରହ୍ମପୁର ଲୋକସଭା ଆସନକୁ ବିଜେଡି କବ୍‌ଜା କରିଛି। ଆସିକା ଲେଶକସଭା ଆସନ ବିଜେଡି ପାଇଁ ଥିଲା ସମ୍ମାନର ପ୍ରଶ୍ନ। ଏହି ଆସନରେ ବିଜେଡି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମିଳା ବି‌ଷୋୟୀଙ୍କୁ ପ୍ରାର୍ଥୀ କରି ରିସ୍କ୍‌ନେଇଥିଲେ ଦଳ ସୁପ୍ରିମୋ। ପ୍ରମିଳା ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ଧୂରିଣ ନ ଥିଲେ ହେଁ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଜେଡି ପାଇଁ ବଡ଼ ଉପଲବ୍ଧି ଆଣିଛନ୍ତି। ରୋଷଷାଳରୁ ସଂସଦରେ ବସିବା ଲାଗି ସକ୍ଷମ ହୋଇଛନ୍ତି। ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର, ଚିକିଟି, ଦିଗପହଣ୍ଡି, ଭଞ୍ଜନଗର, ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା, ହିଞ୍ଜିଳି, ଆସିକା, ସୋରଡା ଆସନରେ ବିଜେଡି ପୁଣି ବାଜିମାତ କରିଛି। ଗୋପାଳପୁର ଆସନର ଚିତ୍ର ଅସ୍ପଷ୍ଟ ରହିଥିବା ବେଳେ ସାନଖେମୁଣ୍ଡି ଆସନ କଂଗ୍ରେସ ହାତକୁ ଯାଇଛି। ଗତ ନିର୍ବାଚନରେ ଗଜପତି ଜିଲ୍ଲା‌ର ଦୁଇଟି ଆସନ ମଧ୍ୟରୁ ଗୋଟିଏ କଂଗ୍ରେସ ଓ ଗୋଟିଏ ବିଜେଡି ଦଖଲରେ ଥିଲା। କିନ୍ତୁ ଏଥର ବିଜେଡି ସେଠାରେ ଶୂନ୍ୟହସ୍ତ ହୋଇଯାଇଛି। ପାରଳାଖେମୁଣ୍ଡି ଆସନରେ ବିଜେଡି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ କେ. ନାରାୟଣ ରାଓ ବିଜୟୀ ହୋଇଥିବା ବେଳେ ମୋହନା ଆସନରେ କଂଗ୍ରେସ ପ୍ରାର୍ଥୀ ଦାଶରଥୀ ଗମାଙ୍ଗ ବିଜୟୀ ହୋଇଛନ୍ତି। ଗତ ନିର୍ବାଚନରେ କନ୍ଧମାଳର ଫୁଲବାଣୀ ଓ ବାଲିଗୁଡା ଆସନ ବିଜେଡି ଦଖଲ କରିଥିଲା। ଏଥର ବିଜେଡି ପ୍ରାର୍ଥୀ ବଦଳାଇଥିଲେ ହେଁ ଏହି ଦୁଇ ଆସନକୁ ଦଖଲ କରିବାରେ ସକ୍ଷମ ହୋଇଛି। ଗତଥର ଘୁ.ଉଦୟଗିରି ଆସନକୁ କଂଗ୍ରେସ ଦଖଲ କରିଥିଲା। ଏଥର ଏହି ଆସନରେ ଇଭିଏମ୍‌ ଅଚଳ ଯୋଗୁଁ ଗଣତି ଅଧାରୁ ବନ୍ଦ ରିହଛି। ଯେତିକି ଗଣତି ହୋଇଛି ତାହା ମଧ୍ୟରେ ବିଜେଡି-ବିଜେପି ଭିତରେ କଡ଼ା ମୁକାବିଲା ହୋଇଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଯାଇଛି।

ସମ୍ବନ୍ଧିତ ଖବର