ଧର୍ମେନ୍ଦ୍ରଙ୍କ ଗଡ଼କୁ ଶକ୍ତ ଝଟ୍କା
ଢେଙ୍କାନାଳରେ ବିଜେଡି ଚାରିରୁ ଚାରି, ଦୁଇ ମନ୍ତ୍ରୀ ବିଜେତା, ନୃସିଂହ ସାହୁ ୭୪୦ଖଣ୍ଡରେ ଜିତିଲେ, ହେଲେ ପଞ୍ଚମ ଥର ବିଧାୟକ, ବିଧାନସଭାକୁ ସୁଧୀରଙ୍କ ଦ୍ବିତୀୟ ଏଣ୍ଟ୍ରି
ଢେଙ୍କାନାଳ : ଚାରିରୁ ଚାରି ବିଧାନସଭା କ୍ଷେତ୍ର ପୋଛିନେଲା ବିଜେଡି। ଢେଙ୍କାନାଳ ଜିଲ୍ଲାରେ କ୍ଲିନ୍ ସୁଇପ୍ କଲା। କେବଳ ବିଧାନସଭା କାହିଁକି, ଲୋକସଭା ଆସନରେ ବି ଆଗକୁ ଆସିଛି ବିଜେଡି। ଯଦିଓ ପୂରା ଫଳାଫଳ ସ୍ପଷ୍ଟ ହୋଇନାହିଁ, ତଥାପି ରିପୋର୍ଟ ଲେଖାଯିବା ସୁଦ୍ଧା ୩୬, ୭୭୧ଖଣ୍ଡ ଭୋଟ୍ରେ ବିଜେଡି ଲୋକସଭା ପ୍ରାର୍ଥୀ ମହେଶ ସାହୁ ନିକଟତମ ବିଜେପି ପ୍ରତିଦ୍ବନ୍ଦ୍ବୀ ରୁଦ୍ରନାରାୟଣ ପାଣିଙ୍କଠାରୁ ଆଗରେ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ରାଜା କାମାକ୍ଷାପ୍ରସାଦ ସିଂହଦେଓ ମାତ୍ର ୬୯ହଜାର ୬୮୩ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନକୁ ଖସିଛନ୍ତି। ଢେଙ୍କାନାଳ ଲୋକସଭା ଅଧୀନସ୍ଥ ସବୁ ବିଧାନସଭାକୁ ବିଜେଡି ୨୦୧୪ ନିର୍ବାଚନ ଭଳି କବ୍ଜା କରି ନେଇଛି। କହିବାକୁ ଗଲେ, ୨୦୧୪ର ଅପରାଜେୟ କୀର୍ତ୍ତି ୨୦୧୯ରେ କେବଳ ପୁନରାବୃତ୍ତି ହୋଇନାହିଁ, ବରଂ କେନ୍ଦ୍ରମନ୍ତ୍ରୀଙ୍କ ନିଜସ୍ବ ଜିଲ୍ଲା ଅବିଭକ୍ତ ଢେଙ୍କାନାଳରେ ବିଜେପି ଆଦୌ ଖାତା ଖୋଲି ନ ପାରି ବଡ଼ ଝଟ୍କା ଖାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚାରି ଆସନ ମଧ୍ୟରୁ ହିନ୍ଦୋଳ, ପର୍ଜଙ୍ଗ ଏବଂ କାମାକ୍ଷାନଗର ବିଧାନସଭା କ୍ଷେତ୍ରର ବିଜୟୀ ପ୍ରାର୍ଥୀ ହେଉଛନ୍ତି ସିଟିଂ ବିଜେଡି ବିଧାୟକ/ବିଧାୟିକା। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ନିକଟତମ ବିଜେପି ପ୍ରତିଦ୍ବନ୍ଦ୍ବୀ ଅଶୋକ କୁମାର ନାୟକଙ୍କୁ ୧୮,୯୫୨ଖଣ୍ଡ ଭୋଟ୍ରେ ପରାସ୍ତ କରିଥିବା ବେଳେ ପର୍ଜଙ୍ଗ ବିଧାୟକ ତଥା ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ୭୪୦ଖଣ୍ଡ ଭୋଟ୍ ବ୍ୟବଧାନରେ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଗତଥର ଭଳି ପର୍ଜଙ୍ଗରେ ବିଜେପି ପ୍ରାର୍ଥୀ ବିଭୂତି ପ୍ରଧାନ କଡ଼ା ଫାଇଟ୍ ଦେଇଥିଲେ। ଆରମ୍ଭରୁ ଲିଡ଼୍ ଦେଇ ଦେଇ ଆସୁଥିଲେ। କିନ୍ତୁ ଅନ୍ତିମ ପର୍ଯ୍ୟାୟରେ ମନ୍ତ୍ରୀ ଡା. ସାହୁଙ୍କ ଆଡ଼କୁ ଭୋଟ୍ ଗଡ଼ିଥିଲା। ଶେଷରେ ବିଜେଡିକୁ ୭୮,୭୪୭ ଓ ବିଜେପିକୁ ୭୮,୦୦୭ଖଣ୍ଡ ଭୋଟ୍ ମିଳିଥିବା ଜଣାପଡ଼ିଛି।
ସେହିପରି କାମାକ୍ଷାନଗର ନିର୍ବାଚନମଣ୍ଡଳୀରେ ଅନ୍ୟତମ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିଜ ଗଡ଼ରକ୍ଷାରେ ସକ୍ଷମ ହୋଇଛନ୍ତି। ଜନତା ତାଙ୍କୁ ୮୧,୬୯୫ ଖଣ୍ଡ ଭୋଟ ଦେଇଥିବା ବେଳେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା ୬୫,୧୮୬ ଭୋଟ୍ ପାଇଛନ୍ତି। ମୋଟ୍ ୧୬,୫୦୯ ଭୋଟ୍ ବ୍ୟବଧାନରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ତାଙ୍କର ଚତୁର୍ଥ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି।
କିନ୍ତୁ ବିଜେଡି ଦଳରେ ନୂଆ ମୁହଁ ସୁଧୀର ସାମଲ ଢେଙ୍କାନାଳ ସଦର ବିଧାନସଭା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି। ସୁଧୀର ୮୭ହଜାର ୭୬୬ଖଣ୍ଡ ଭୋଟ୍ ପାଇଥିବା ବେଳେ ନିକଟତମ ବିଜେପି ପ୍ରତିଦ୍ବନ୍ଦ୍ବୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ୬୬ହଜାର ୭୪୩ଖଣ୍ଡ ଭୋଟ୍ ମିଳିଛି। ବିଜେଡି ମୋଟ୍ ୨୧ହଜାର ୨୩ଖଣ୍ଡ ବ୍ୟବଧାନରେ ବିଜୟୀ ହୋଇଛି।