କନ୍ଧମାଳ ଲୋକସଭା ଓ ସମସ୍ତ ବିଧାନସଭା ଆସନ ପୋଛି ନେଲା ବିଜେଡି

ଜି.ଉଦୟଗିରିକୁ ଦଖଲ କଲା ଦଳ, ୧୫ ବର୍ଷ ପରେ ଫେରିଲେ ସାଲୁଗା, ସତ୍ତା ହରାଇଲେ ଜାକବ

ଫୁଲବାଣୀ : କନ୍ଧମାଳ ଲୋକସଭା ଆସନ ସହ ଏହା ଅଧୀନରେ ଆସୁଥିବା ସମସ୍ତ ୭ ବିଧାନସଭା ଆସନକୁ ପୋଛି ନେଇଛି ବିଜେଡି। ବିଜେପି ଓ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇ ପାରି ନାହାନ୍ତି। ୨୦୧୪ ନିର୍ବାଚନରେ ୭ ବିଧାନସଭା ଆସନରୁ ୬ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ଜି.ଉଦୟିଗରି ଆସନକୁ କଂଗ୍ରେସ ଛଡ଼ାଇ ନେଇଥିଲା। ଏଥର କିନ୍ତୁ ଏହି ଆସନକୁ କବଜା କରିବାରେ ବିଜେଡି ସମର୍ଥ ହୋଇଛି। କନ୍ଧମାଳ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ବିଜୟୀ ହୋଇଛନ୍ତି। ସେ ବିଜେପିର ହେଭିୱେଟ ନେତା ଖାରବେଳ ସ୍ବାଇଁଙ୍କୁ ପାଖାପାଖି ଦେଢ଼ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି। ଅଚ୍ୟୁତ ସମୁଦାୟ ୪ ଲକ୍ଷ ୬୧ହଜାର ୬୭୯ ଖଣ୍ଡ ଭୋଟ ପାଇଥିବା ବେଳେ ଖାରବେଳଙ୍କୁ ମିଳିଛି ୩ ଲକ୍ଷ ୧୨ହଜାର ୪୬୩ ଖଣ୍ଡ ଭୋଟ। କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ ୧ ଲକ୍ଷ ୩୮ ହଜାର ୯୯୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଫୁଲବାଣୀ, ଭଂଜନଗର, ବୌଦ୍ଧ, କଣ୍ଟାମାଳ ଓ ଦଶପଲ୍ଲା ବିଧାନସଭା କ୍ଷେତ୍ରରେ ବିଜେଡିର ଗଡ଼ ବୋଲି କୁହାଯାଇଥାଏ। ଏସବୁ ଆସନରେ ଚଳିତ ନିର୍ବାଚନରେ ବିଜେଡିକୁ ବିଜେପି କଡ଼ା ଟକ୍କର ଦେଇଛି। ତା ସତ୍ତ୍ବେ ଏହି ସବୁ ଆସନରେ ବିଜେଡି ବିଜୟ ଲାଭ କରିଛି। ହେଲେ ଗତ ନିର୍ବାଚନଠାରୁ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନ କମ୍‌ ରହିଛି। ଫୁଲବାଣୀରୁ ଅଙ୍ଗଦ କହଁର, ଭଂଜନଗରରରୁ ବିକ୍ରମ କେଶରୀ ଆରୁଖ, ବୌଦ୍ଧରୁ ପ୍ରଦୀପ କୁମାର ଅମାତ, କଣ୍ଟାମାଳରୁ ମହିଧର ରଣା ଓ ଦଶପଲ୍ଲାରୁ ରମେଶ ବେହେରା ବିଜୟୀ ହୋଇଛନ୍ତି। ବାକି କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ଜି.ଉଦୟଗିରି ଆସନ ଉପରେ ସମସ୍ତଙ୍କ ନଜର ଥିଲା। ଏହି ଦୁଇ ଆସନ ମଧ୍ୟରୁ ଗତ ନିର୍ବାଚନରେ ବାଲିଗୁଡ଼ା ବିଜେଡି କବ୍‌ଜାରେ ଥିଲା। ହେଲେ ଜି.ଉଦୟଗିରି କଂଗ୍ରେସ ଖାତାକୁ ଯାଇଥିଲା। ଏହି ଦୁଇ ଆସନରେ କଂଗ୍ରେସର ଭଲ ପ୍ରଭାବ ମଧ୍ୟ ଥିଲା। ତେଣୁ ବିଜେଡି ନିଶ୍ଚୟ ଜିତିବ ତାହା କେହି ବି କହି ପାରୁ ନଥିଲେ। ହେଲେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ବାଲିଗୁଡାରେ ବିଜେଡି ବାଜିମାତ କରିଛି। ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର କଂଗ୍ରେସ ପ୍ରାର୍ଥୀ ସିମନ ମଲ୍ଲିକଙ୍କୁ ହରାଇ ବିଜୟୀ ହୋଇଛନ୍ତି।

ଅନ୍ୟପକ୍ଷରେ ଜି.ଉଦୟଗିରି ଆସନକୁ ବିଜେଡି ନିଜ ପଟକୁ ଆଣିବାରେ ସକ୍ଷମ ହେବା ସହ ୧୫ ବର୍ଷ ହେଲା ନିରବ ଥିବା ବରିଷ୍ଠ ନେତା ସାଲୁଗା ପ୍ରଧାନ ପୁଣି ସକ୍ରିୟ ରାଜନୀତିକୁ ଫେରିଛନ୍ତି। ଏହି ଆସନଟି ଅଣ ବିଜେଡି ଗଡ଼ ବୋଲି କୁହାଯାଏ। ୨୦୦୪ରୁ ୨୦୦୯ରେ ବିଜେଡିରୁ ସାଲୁଗା ପ୍ରଧାନ ବିଜୟୀ ହୋଇଥିଲେ। ତା’ପରଠାରୁ ବିଜେଡି ଏହି ଆସନ ଅକ୍ତିଆର କରି ପାରି ନଥିଲା। ହେଲେ ଗତଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କଂଗ୍ରେସର ଜାକବ ପ୍ରଧାନଙ୍କୁ ଏଥର ସତ୍ତା ହରାଇବାକୁ ପଡିଛି। ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ହେଲେ ସେ ପାଇଛନ୍ତି ମାତ୍ର ୧ହଜାର ୯୨୦ ଖଣ୍ଡ ଭୋଟ। ସାଲୁଗା ୫୩ହଜାର ୨୩୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ଶ୍ୟାମଘନ ପ୍ରଧାନକୁ ମିଳିଛି ୪୧ହଜାର ୯୭୭ ଭୋଟ। ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ସୁଶ୍ରୀ ଅର୍ଚ୍ଚନା ପ୍ରଧାନଙ୍କ ପାଖକୁ ୩୫ହଜାର ୯୯୮ ଖଣ୍ଡ ଭୋଟ ଯାଇଛି ।

ସମ୍ବନ୍ଧିତ ଖବର