ଆଖି ବୁଜିଲେ ବ୍ରହ୍ମପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର

ମୃତ୍ୟୁ ପୂର୍ବରୁ ମୀନାକ୍ଷୀଙ୍କ ଶେଷ କଥା : ‘ମୋ ପିଲା ତମକୁ ଲାଗିଲେ’

ବ୍ରହ୍ମପୁର : ପୁଅ ଗିରଫଦାରୀର ପ୍ରତିବାଦ କରି ନ୍ୟାୟ ମାଗିବାକୁ ଯାଇଥିବା ବେଳେ ବ୍ରହ୍ମପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ଶେଷରେ ଆଜି ଆଖି ବୁଜିଛନ୍ତି। ୮ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ମୀନାକ୍ଷୀଙ୍କ ଭୁବନେଶ୍ବରସ୍ଥିତ ସମ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ପ୍ରାୟ ୯ଟା ୫୦ ମିନିଟ୍‌ରେ ମୃତ୍ୟୁ ଘଟିଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ମା’ଙ୍କ ମୃତ୍ୟୁ ଖବର ପାଇ ପୁଅ କୃତ୍ତିବାସ ଓରଫ୍‌ ରାଜା ଓ ଝିଅ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ବ୍ରହ୍ମପୁରରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବିଜେଡିର ନେତା ଓ କର୍ମୀମାନେ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭୁବନେଶ୍ବରରେ ମରଶରୀରର ପଞ୍ଚନାମା ପରେ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି।

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପଣ୍ଡା କଲୋନି ନିବାସୀ ମୀନାକ୍ଷୀଙ୍କ ପୁଅ ରାଜାଙ୍କୁ ଗତମାସ ୨୮ତାରିଖରେ କିଛି ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇଥିବା ବେଳେ ମୀନାକ୍ଷୀଙ୍କ ହାତରେ ମଧ୍ୟ ଖଣ୍ଡା ଚୋଟ ପଡ଼ିଥିଲା। ଆକ୍ରମଣରେ ଉଭୟ ମା-ପୁଅ ଗୁରୁତର ହୋଇଥିଲେ। ଏହି ଘଟଣାରେ ପୁଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରିଥିଲା। ରାଜାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗତ ୫ତାରିଖରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଅପର ଗୋଷ୍ଠୀର ମାମଲାକୁ ଭିତ୍ତି କରି ୬ତାରିଖରେ ପୁଲିସ ରାଜାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ମୀନାକ୍ଷୀଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା।

ପୁଅକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଥିବା ଅଭିଯୋଗ କରିବା ସହିତ ନ୍ୟାୟ ପ୍ରଦାନ ପାଇଁ ମୀନାକ୍ଷୀ ପୁଲିସକୁ ଗୁହାରି କରିଥିଲେ। ଗତ ୧୨ତାରିଖରେ ସେ ଏସ୍‌.ପି. ପିନାକ ମିଶ୍ରଙ୍କୁ ସାକ୍ଷାତ କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ଏସ୍‌.ପି. ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଅଫିସ ଆସି ନଥିଲେ। ମୀନାକ୍ଷୀ ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସାକ୍ଷାତ କରି ଫେରିବା ପରେ ଅଚାନକ ଏସ୍‌.ପି. ଅଫିସ ପରିସରରେ ଥିବା ସିସିଟିଏନ୍‌ଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଫଳରେ ତାଙ୍କ ଶରୀରର ୮୦ରୁ ୯୦ ପ୍ରତିଶତ ଜଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ମା’ଙ୍କ ଏଭଳି ସ୍ଥିତି ଯୋଗୁଁ କୋର୍ଟ ରାଜାଙ୍କ ଜାମିନ୍‌ ଆବେଦନ ଶୁଣାଣି କରି ମଂଜୁର କରିଥିଲେ। ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ କୋର୍ଟ ରାଜାଙ୍କୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥି‌ଲେ। ଗତ ୧୪ତାରିଖରେ ମୀନାକ୍ଷୀଙ୍କୁ କଟକ ଏସ୍‌ସିବିରେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅନୁଭବ କରି ପରିବାର ଲୋକେ ତାଙ୍କୁ ଭୁବନେଶ୍ବର ସ୍ଥିତ ସମ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ନିକଟରେ ପୁଅ ରାଜା, ଝିଅ ଓ ଅନ୍ୟ ସମ୍ପର୍କୀୟମାନେ ରହି ଦେଖାରଖା କରୁଥିଲେ। ଚିକିତ୍ସା ପରେ ମୀନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ତେବେ ମୀନାକ୍ଷୀଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ଗତ ୩ଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା। ତେଣୁ ମୀନାକ୍ଷୀଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁ ଉଦ୍ୟମ କଲେ ମଧ୍ୟ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପୂର୍ବରୁ ମୀନାକ୍ଷୀଙ୍କ ଶେଷ କଥା : ‘ମୋ ପିଲା ତମକୁ ଲାଗିଲେ’

ଭୁବନେଶ୍ବର/ଖଣ୍ଡଗିରି : ମୁଁ ଆଉ ବଞ୍ଚିବି ନାହିଁ। ମୋ ପିଲା ତୁମକୁ ଲାଗିଲେ। କେମିତି ବଡ଼ ହୋଇ ନିଜ ଗୋଡ଼ରେ ଛିଡ଼ା ହେବେ ସେ କଥା ତୁମେ ବୁଝିବ। ସରକାରୀ ଚାକିରି ଖଣ୍ଡେ କଲେ ମୋ ଆତ୍ମାକୁ ଶାନ୍ତି ମିଳିବ। ପରିବାର ଲୋକଙ୍କ ଆଗରେ ଏହା ଥିଲା ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଶେଷ କଥା। ମୀନାକ୍ଷୀଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟରେ ଉପସ୍ଥିତ ଥିବା ବଡ଼ ଭଉଣୀ ମଧୁସ୍ମିତା ତ୍ରିପାଠୀ କୋହଭରା କଣ୍ଠରେ ଏ କଥା ଗଣମାଧ୍ୟମ ଆଗରେ କହିଛନ୍ତି।

ଆଜି ସକାଳେ ମୀନାକ୍ଷୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସମ୍ ହସ୍ପିଟାଲରେ ତାଙ୍କ ସମ୍ପର୍କୀୟ, ପରିବାର ଲୋକ, ବନ୍ଧୁ ପରିଜନ ପହଞ୍ଚିଥିଲେ। ହସ୍ପିଟାଲ ପରିସରରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ପୁରା ଲୁହରେ ଭିଜିଥିଲା ହସ୍ପିଟାଲ ପରିସର। ପୁଅ ଝିଅ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ମୃତ୍ୟୁ ପୂର୍ବରୁ ପୁଅ ରାଜା ନାଁରେ ଥିବା ମାମଲା ଉଠାଇ ଦେବା ପାଇଁ ସରକାରଙ୍କୁ ନେହୁରା ହୋଇଥିଲେ ମୀନାକ୍ଷୀ। ପୁଲିସ ଆଗରେ ବି ମୃତ୍ୟୁକାଳୀନ ଜମାନବନ୍ଦୀରେ ସେ ଏ କଥା କହିଥିଲେ ବୋଲି ତାଙ୍କ ଭଉଣୀ କହିଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୀନାକ୍ଷୀ ପୁଲିସକୁ ଦେଇଥିବା ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଛନ୍ତି ଆତ୍ମାହୁତି ଏକ ଦୁର୍ଘଟଣା ଥିଲା। କିନ୍ତୁ ପୁଲିସ ମିଥ୍ୟା ମାମଲାରେ ତାଙ୍କ ପୁଅକୁ ଗିରଫ କରିବା ଅଭିଯୋଗରେ ମୀନାକ୍ଷୀ ନ୍ୟାୟ ପାଇବା ଲାଗି ଏସ୍‌ପି ଅଫିସ ଆଗରେ ଆତ୍ମାହୁତି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ମୀନାକ୍ଷୀଙ୍କ ମୃତ୍ୟୁ ଖବର ପାଇ ବ୍ରହ୍ମପୁର ଅତିରିକ୍ତ ଏସପି, ଏସଡିପିଓ, ଗୋଷାଣୀ ନୂଆଗାଁ ଥାନାଧିକାରୀ ସମ୍ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ କାଗଜପତ୍ର କାମ ଶେଷ ହେବା ପରେ ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ଅଣା ଯାଇଥିଲା। ମୃତଦେହର ପଞ୍ଚନାମା ପରେ ଡାକ୍ତରୀ ଟିମ୍ ଦ୍ବାରା ବ୍ୟବଚ୍ଛେଦ ପାଇଁ ପୁଲିସ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ଅନୁରୋଧ କରା ଯାଇଥିଲା। ଏହା ପରେ ଶବ ବ୍ୟବଚ୍ଛେଦ କରା ଯାଇଥିଲା। ପୁଲିସ ସୁରକ୍ଷା ବଳୟରେ ଶବ ବ୍ୟବଚ୍ଛେଦ ସରିବା ପରେ ପୁରୀ ସ୍ବର୍ଗଦ୍ବାରରେ ପୁଲିସ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

 

ସମ୍ବନ୍ଧିତ ଖବର