କର୍ମୀ ସମ୍ମିଳନୀ ବେଳେ ମଞ୍ଚ ଦବିଲା : ବର୍ତ୍ତିଲେ ଅନୁଭବ, ପ୍ରତାପ

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଧୋୟାଞ୍ଚଳର ଜୁଆଣିଆ ପଞ୍ଚାୟତରେ ଅଘଟଣ ଘଟିଛି। ବିଜେଡିର କର୍ମୀ ସମ୍ମିଳନୀ ବେଳେ ସଭା ମଞ୍ଚ ଦବି ଯାଇଛି। ଏହି ସମୟରେ ମଞ୍ଚ ଉପରେ ଥିବା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ ଆଳି ବିଧାନସଭା ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କ ସମେତ ଅନ୍ୟ ନେତାମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସଭାମଞ୍ଚରେଏକକାଳୀନ ବହୁ ଯୁବକ ଅନୁଭବଙ୍କ ସହିତ ସେଲ୍ଫି ନେବାକୁ ଉଠିଯିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, କର୍ମୀ ସମ୍ମିଳନୀ ଆରମ୍ଭରେ ମଞ୍ଚରେ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ସମୟରେ କଡ଼ ମଡ଼ ଶବ୍ଦ କରି ସଭା ମଞ୍ଚ ଦବିବାକୁ ଲାଗିଲା। ମଞ୍ଚ ଉପରେ ବସିଥିବା ଅନୁଭବ ମହାନ୍ତି, ପ୍ରତାପ ଦେବଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ, ଜିଲ୍ଲା ପରିଷଦ ସଦସ୍ୟ ଧନରଂଜନ ବୋଷ, ବିଜେଡି ନେତା ଭୀଷ୍ମ ମହାନ୍ତି, ଜୁଆଣିଆ ସରପଞ୍ଚ ସ୍ବପ୍ନାରାଣୀ ନାୟକ, ସମିତି ସଦସ୍ୟା ସ୍ବର୍ଣଲତା ମଲିକ ପ୍ରମୁଖ ହଡ଼ବଡେଇ ଯାଇ ଠିଆହୋଇ ପଡ଼ି ମଞ୍ଚରୁ ଓହ୍ଲାଇ ଆସିବାକୁ ଉଦ୍ୟମ କରିଥିଲେ। ‌ତେବେ, ଏହି ସମୟରେ ମଞ୍ଚ ସମ୍ଭାଳି ହୋଇଯାଇଥିଲା। ଏହା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

ନିଜ ଅଭିଭାଷଣରେ ସାଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଦେବ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ନିବେଦନ ରଖିଥିଲେ। ଅନୁଭବ କହିଥିଲେ ଯେ, କେନ୍ଦ୍ରାପଡା ବିଜୁବାବୁଙ୍କ ମାଟି। ଏହି ମାଟିରେ ପ୍ରାର୍ଥୀ ହୋଇ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି। ବିଜେଡିକୁ ବିଶ୍ୱାସଘାତକ କରିଥିବା ନେତାଙ୍କୁ ଆଗାମୀ ଦିନରେ ଜନସାଧାରଣ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ କହିଥିଲେ। ସେହିପରି ଶ୍ରୀ ଦେବ କଂଗ୍ରେସ ଓ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ବିଜେଡି କେବଳ କାମରେ ବିଶ୍ୱାସ କରେ ବୋଲି କହିଥିଲେ। ଏହି ଅବସରରେ ଗୋବିନ୍ଦପୁର ସରପଞ୍ଚ ପଦ୍ମାଳୟା ଧଳଙ୍କ ସମେତ ୧୦ରୁ ଅଧିକ ପରିବାର ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ନେତା ନିଖିଳ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର