ବିଜୁ ଛାତ୍ର ଜନତା ସଭାପତିଙ୍କୁ ନିର୍ବାଚନରେ ସୁଯୋଗ ମିଳୁ : ନବୀନ ନିବାସ ଯାଇ ଅନୁରୋଧ କଲେ ଛାତ୍ର ଶାଖା କର୍ମକର୍ତ୍ତା, ଆଜି ନବୀନଙ୍କୁ ଭେଟିବେ
ଭୁବନେଶ୍ବର : ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ରଙ୍କୁ ବିଧାନସଭା ନିର୍ବାଚନରେ ଲଢ଼ିବାର ସୁଯୋଗ ଦେବା ପାଇଁ ଛାତ୍ର ଶାଖାର କର୍ମକର୍ତ୍ତାମାନେ ଦଳର ସଭାପତିଙ୍କୁ ନିବେଦନ କରିଛନ୍ତି। ଆଜି ରାତିରେ ବିଜୁ ଛାତ୍ର ଜନତା ଦଳର ବହୁ ଜିଲ୍ଲା ସଭାପତି ଓ ରାଜ୍ୟ, ଜୋନ୍ କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ଏ ନେଇ ଲିଖିତ ଭାବେ ଜଣାଇଛନ୍ତି। ରାଣାପ୍ରତାପଙ୍କୁ ଟିକେଟ୍ ଦେଲେ ବିଧାନସଭାରେ ରାଜ୍ୟର ଛାତ୍ରସମାଜର ସ୍ବର ଠିକ୍ ଭାବେ ଉଠିପାରିବ ବୋଲି ସେମାନେ ଆଶାପ୍ରକଟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନବୀନ ନିବାସ ଯାଇଥିବା ଛାତ୍ରନେତାଙ୍କ ପ୍ରତିନିଧି ମଣ୍ଡଳୀରେ ସାମିଲ େହାଇଥିବା ବାଲେଶ୍ବର ଛାତ୍ର ସଭାପତି ସିମନ ଦାସମହାପାତ୍ର କହିଥିଲେ, ଛାତ୍ର ଶାଖାର ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ରଙ୍କୁ ଟିକେଟ୍ ଦେବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପୂର୍ବରୁ ଅନୁରୋଧ କରାଯାଇଥିଲା। ଆଜି ମଧ୍ୟ ଅନୁରୋଧ କରାଯାଇଛି। ରାଣାଙ୍କୁ ସୁଯୋଗ ଦିଆଗଲେ ଏହା ଛାତ୍ରଛାତ୍ରୀମାନଙ୍କୁ ରାଜନୀତି ପ୍ରତି ଆକୃଷ୍ଟ କରିବାକୁ ସୁଯୋଗ ସୃଷ୍ଟି କରିବ। ରାଣା ନେତୃତ୍ବ ନେଲା ପରେ ବିଜୁ ଛାତ୍ର ଜନତା ଦଳ ଆଉ କେବଳ କଲେଜ ନିର୍ବାଚନରେ ସୀମିତ ହୋଇ ରହି ନାହିଁ। ବିଜେଡିର ବିଭିନ୍ନ ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ଛାତ୍ର ଶାଖା ସକ୍ରିୟ ଭାବେ ଅଂଶଗ୍ରହଣ କରୁଛି। ତେଣୁ ବାକି ଥିବା ୨୮ଟି ବିଧାନସଭା ଆସନ ମଧ୍ୟରୁ ଯେ କୌଣସି ଆସନରେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦିଆଯାଉ। ସବୁ ଜିଲ୍ଲାରେ ଛାତ୍ର ଶାଖା ଦୃଢ଼ ଓ ସକ୍ରିୟ ଥିବାରୁ ନିଶ୍ଚିତ ଭାବେ ସେ ଜିତିବେ।
ସେହିପରି ବିଜୁ ଛାତ୍ର ଜନତା ଦଳର ସମ୍ବଲପୁର ଜୋନ୍ ସଭାପତି ବୈକୁଣ୍ଠ ନାୟକ କହିଥିଲେ, ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ରଙ୍କୁ ନିର୍ବାଚନରେ ସୁଯୋଗ ଦେବା ପାଇଁ ସଭାପତିଙ୍କୁ ଅନୁରୋଧ କରିଛୁ। ରାଣା ବିଧାନସଭାରେ ପ୍ରତିନିଧିତ୍ବ କଲେ ଛାତ୍ର ସମାଜ କଥା ଗୃହରେ ଉଠିପାରିବ। ଏହା ନିଶ୍ଚିତ ଭାବେ ରାଜ୍ୟର ଛାତ୍ର ସମାଜ ପାଇଁ ତଥା ବିଜେଡି ପାଇଁ ଲାଭଦାୟକ ହୋଇପାରିବ।
ଛାତ୍ର ନେତାମାନେ ଯୁକ୍ତି ଦେଖାଇଥିଲେ, ପୂର୍ବରୁ ଛାତ୍ର ସଭାପତିମାନେ ବିଧାନସଭା ନିର୍ବାଚନ ଲଢ଼ି ସଫଳ ହେବା ସହ ନିଜର ସାଂଗଠନିକ ଦକ୍ଷତା ଦେଖାଇ ପାରିଛନ୍ତି। ଏହା ଦ୍ବାରା ବିଜୁ ଛାତ୍ର ଜନତା ଓ ବିଜେଡି ସାଂଗଠନିକ ସ୍ତରରେ ଦୃଢ଼ ହୋଇପାରିଛି। ବିଜେଡି ପ୍ରତି ଯୁବପିଢ଼ି ଆକୃଷ୍ଟ ହେବାର ଏହା ଏକ ପ୍ରମୁଖ କାରଣ। ତେଣୁ ଏଥର ମଧ୍ୟ ଛାତ୍ର ନେତାଙ୍କୁ ବିଧାନସଭାରେ ପ୍ରତିନିଧିତ୍ବ କରିବାର ସୁଯୋଗ ଦେବାକୁ ଛାତ୍ର ପ୍ରତିନିଧିମାନେ ଅନୁରୋଧ କରିଛନ୍ତି।
ଛାତ୍ର ନେତାଙ୍କୁ ସୁଯୋଗ ନ ମିଳିଲେ ଛାତ୍ର ସମାଜ ହତାଶ ହେବ ଏବଂ ନିର୍ବାଚନରେ ସକ୍ରିୟ ଭୂମିକା ନେବାରେ ଛାତ୍ର ଶାଖାକୁ ଅସୁବିଧା ହେବ ବୋଲି ପ୍ରତିନିଧିମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଆସନ୍ତାକାଲି ସେମାନେ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଏ ନେଇ ଆଲୋଚନା କରିବେ ବୋଲି କହିଛନ୍ତି।