ସଂସଦ ପାଇଁ ବିଜେଡି ରଣନୀତି : ଏକାଠି ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ମହାନଦୀ, ପୋଲାଭରମ୍‌, ଏମ୍‌ଏସ୍‌ପି, ରେଳ ଓ କୋଇଲା ରୟାଲିଟି ପ୍ରସଙ୍ଗ

ଭୁବନେଶ୍ୱର : ସଂସଦ ଶୀତ ଅଧିବେଶନରେ ମାତ୍ର ୧୪ଟି କାର୍ଯ୍ୟଦିବସ ରହିଛି। ଗୁଜୁରାଟ ନିର୍ବାଚନ ପରେ ଏହି ଅଧିବେଶନ ବସୁଥିବାରୁ ସଂସଦରେ ଅନେକ ପ୍ରସଙ୍ଗ ରହିବ। ହେଲେ ଏହା ଭିତରେ ଓଡ଼ିଶା ପ୍ରସଙ୍ଗ ଯେପରି ଚପି ନଯାଏ। ମହାନଦୀ, ପୋଲାଭରମ୍‌, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ରେଳବାଇ କ୍ଷେତ୍ରରେ କେନ୍ଦ୍ରର ଉଦାସୀନତା ଆଦି ପ୍ରସଙ୍ଗ ଉଠିବା କଥା। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନ ପରିପ୍ରେକ୍ଷୀରେ ଆଜି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁ ସାଂସଦଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଜଣାଇଛନ୍ତି, ଏବର୍ଷ ନିର୍ବାଚନର ବର୍ଷ। ଏଣୁ ସାଂସଦମାନେ ସମନ୍ଵିତ ଭାବେ ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ଲଢିବା ଦରକାର।

ପାଖାପାଖି ୨୦ମିନିଟ୍‌ ଧରି ବସିଥିବା ଏହି ବୈଠକ ସଂପର୍କରେ ସୂଚନା ଦେଇ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉଠାଇବା ଲାଗି ଖସଡା ପ୍ରସ୍ତୁତ ହୋଇଛି। ଓଡ଼ିଶାର ସ୍ୱାର୍ଥ ସଂପର୍କିତ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ନିରପେକ୍ଷତା ରଖିବାରେ କିଭଳି ବିଫଳ ହୋଇଛନ୍ତି, ଏକତରଫା ନିଷ୍ପତ୍ତି ନେଉଛନ୍ତି, ଗୃହରେ ତାର ପର୍ଦାଫାଶ କରାଯିବ। ଆସନ୍ତା ସପ୍ତାହରେ ମୁଲତବୀ ନୋଟିସ ଦେବ ବିଜେଡି। ସମଭାବାପନ୍ନ ଦଳ ସହିତ ମିଶି ଉଭୟ ଗୃହରେ ଓଡ଼ିଶା ଦାବି ରଖିବ। କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗ ଉଠିବ।

ସାଂସଦ ପ୍ରତାପ ଦେବ କହିଛନ୍ତି, ସଂସଦରେ ଓଡ଼ିଶା ପ୍ରଭାବୀ ଢଙ୍ଗରେ ଯୁକ୍ତି ରଖିବ। ମହାନଦୀ ପ୍ରସଙ୍ଗକୁ ନେଇ ସଂସଦରେ ଓଡ଼ିଶା ଦୃଢ଼ ମତ ରଖିବ। କେନ୍ଦ୍ରର ନିଷ୍ପତ୍ତିର ଜବରଦସ୍ତ ପ୍ରତିବାଦ କରାଯିବ। ସେହିପରି ରାଜ୍ୟ ସରକାର ରେଳବାଇ କ୍ଷେତ୍ରରେ ଅର୍ଥ ଓ ଜମି ଦେବା ପରେ ବି ପ୍ରକଳ୍ପ ଆଗଉନାହିଁ। କେନ୍ଦ୍ରୀୟ ଉଦାସୀନତା ଜଳ ଜଳ ହୋଇ ଦିଶୁଛି। ଏ କଥା ଉଠାଯିବ।

ବୈଠକରେ ସମ୍ବଲପୁର, ଭୁବନେଶ୍ୱର ଓ ଜଗତସିଂହପୁର ସାଂସଦ ନିଜ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର