୧୬ରୁ ମହାନଦୀ ସୁରକ୍ଷା ସଚେତନତା ଅଭିଯାନ : ସୁଖାଶୋଡ଼ା ଏବଂ ଚିଖିଲିରୁ ନବୀନ ଆରମ୍ଭ କରିବେ

ଭୁବନେଶ୍ୱର : ମହାନଦୀ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେଡି ଆସନ୍ତା ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଡାକରା ଦେଇଛି। ଆଜି ବିଜେଡି କାର୍ଯ୍ୟାଳୟରେ ଦଳର ନେତାମାନେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ ଆସନ୍ତା ୧୬ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଳା ଲଖନପୁର ବ୍ଲକର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖିଲି ଠାରୁ ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ ହେବ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସେଦିନ ସକାଳ ୯ଟାରେ ସୁଖାଶୋଡ଼ାରେ ଏବଂ ୧୦ଟାରେ ଚିଖିଲି ଠାରେ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନର ନେତୃତ୍ୱ ନେବେ। ଏହି ଅଭିଯାନ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଦେଇ ଜଗତସିଂହପୁର ଜିଲ୍ଲାରେ ଶେଷ ହେବ। ୧୫ଟି ଜିଲ୍ଲା ପାଇଁ ନିର୍ଦ୍ଧାରିତ ରୁଟ୍‌ଚାର୍ଟରେ ପଥପ୍ରାନ୍ତ ସଭା, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯିବା ସହ ମହାନଦୀ ସମସ୍ୟା ସଂପର୍କିତ ସତ୍ୟ-ତଥ୍ୟ ପୁସ୍ତିକା ଓ ପ୍ରଚାରପତ୍ର ସର୍ବସାଧାରଣରେ ଦଳ ବଣ୍ଟନ କରାଯିବ।

ଆଜି ବିଜେଡି ନେତାମାନେ କହିଥିଲେ,‘ଜୀବନ ଥିବା ପର୍ଯ୍ୟନ୍ତ ମହାନଦୀ ପାଇଁ ଲଢ଼େଇ ଜାରି ରଖିବି’, ଏଭଳି ଉକ୍ତି ରଖି ମୁଖ୍ୟମନ୍ତ୍ରୀ ତାଙ୍କର ଆବେଗ ଓ ପ୍ରତିବଦ୍ଧତାକୁ ରାଜ୍ୟ ସାମ୍ନାରେ ସ୍ପଷ୍ଟ କରିଛନ୍ତି। ମହାନଦୀ ପାଇଁ ଆରମ୍ଭ କରାଯାଇଥିବା ମହାସଂଗ୍ରାମରେ ଓଡ଼ିଶାର ଦାବି ସଂପୂର୍ଣ୍ଣ ଭାବେ ହାସଲ ନହେବା ପର୍ଯ୍ୟନ୍ତ ଜନଜାଗରଣ ପାଇଁ ଆହ୍ଵାନ ଦେଇଛନ୍ତି। ଏଣୁ ଓଡ଼ିଶାର ଦାବି ହାସଲ ନହେବା ପର୍ଯ୍ୟନ୍ତ ଦଳ ଏଥିରୁ ବିରତ ହେବ ନାହିଁ।

ବିଜେଡି କହିଛି, ମହାନଦୀ ଅବବାହିକା ଅନ୍ତର୍ଗତ ଅନ୍ୟ ଜିଲ୍ଲା ଓ ବ୍ଲକରେ ମଧ୍ୟ ଜନସଚେତନତା କାର୍ଯ୍ୟକ୍ରମ ହେବ। ମହାନଦୀ ଅବବାହିକାର ଉଭୟ ପାର୍ଶ୍ୱରେ ଥିବା ପୂରାତନ ଦେବାଦେବୀ ପୀଠରେ ସମୂହ ଦୀପଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପୀଠରେ ଜଳ ଆଳତି ଏବଂ କଟକର ଗଡ଼ ଗଡ଼େଶ୍ୱରଙ୍କ ପୀଠରେ ଜଳ ଆଳତି କରାଯିବ।

ଓଡ଼ିଶାର ହକ୍‌ ଓ ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଆନ୍ଦୋଳନର ମହାସଂଗ୍ରାମରେ ରାଜ୍ୟର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଂଗଠନ, ସବୁ ରାଜନୈତିକ ଗୋଷ୍ଠୀ ଏବଂ ସର୍ବୋପରି ଓଡ଼ିଶାର ସମଗ୍ର ଜନସାଧାରଣ ସକ୍ରିୟ ଭାବେ ସାମିଲ ହେବା ପାଇଁ ବିଜେଡି ଆହ୍ଵାନ ଦେଇଛି।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, କଟକ ଜିଲ୍ଲା ସଭାପତି ପ୍ରତାପ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର