କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ: ବିଜେଡିର ମହିଳାକାର୍ଡ, ଦୌଡ଼ରେ ଗୋପା ଓ କୁସୁମ

କଣ୍ଟାବାଞ୍ଜି: ପଶ୍ଚିମ ଓଡ଼ିଶାରେ ଏକ ପ୍ରମୁଖ ବିଧାନସଭା କ୍ଷେତ୍ର ଭାବରେ ଚର୍ଚ୍ଚାରେ ରହି ଆସିଥିବା କଣ୍ଟାବାଞ୍ଜିରେ ବିଗତ ଦିନରେ ମୁଖ୍ୟତଃ କଂଗ୍ରେସ ଓ ବିଜେଡି ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହୋଇଛି। ‌ତେବେ ଏଥର ସାଧାରଣ ନିର୍ବାଚନରେ ବିଜେପି ମଧ୍ୟ ଟକ୍କର ଦେବ ବୋଲି ଏହି ଦଳର ନେତାମାନେ ଦୃେଢାକ୍ତି ଦେଖାଉଛନ୍ତି। ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ମହିଳା ପ୍ରାର୍ଥୀଙ୍କୁ ମୈଦାନରେ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି। ଯଦି ଏହି ଚର୍ଚ୍ଚା ଅମୂଳକ ନୁହେଁ ତେବେ, ମହିଳା‌ ପ୍ରାର୍ଥୀ ଜଣକ କିଏ ? କିଏ ହେବ ଦାବିବାର? ଏହି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚ। ଜୋର ଧରିଛି। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ୨ ଜଣ ଆଗ ଧାଡ଼ିର ମହିଳା ନେତ୍ରୀ ଅଛନ୍ତି। ବିଜେଡି ରାଜ୍ୟ ମହିଳା ସାଧାରଣ ସଂପାଦିକା ଗୋପା ମହାନନ୍ଦ ଏବଂ ରାଜ୍ୟ ମହିଳା କମିସନ ସଦସ୍ୟ କୁସୁମ ରଥଙ୍କ ନାମ ଆଲୋଚନାରେ ରହିଥିବା ଜଣାଯାଇଛି। କୁସୁମ ଅନେକ ସମୟରେ ଦଳୀୟ କାର୍ଯ୍ୟକ୍ରମ ତଥା ସଭା ସମିତିରେ ଯୋଗ ଦେବାକୁ ଆସୁଥିବା ଦେଖାଯାଏ। ଶ୍ରୀମତୀ ରଥ ୨୦୧୪ ରେ ଜିଲ୍ଲା ପରିଷଦ ସଦସ୍ୟା, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟା ସହ ଅନେକ ପଦ ପଦବିରେ ଅଛନ୍ତି। ଯଦି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ମହିଳା ପ୍ରାର୍ଥୀ ଦିଆଯାଏ ତେବେ ତାଙ୍କୁ ଟିକଟ୍‌ ମିଳିବ ବୋଲି ସେ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ଗୋପା ମହାନନ୍ଦଙ୍କ ରାଜନୀତି କ୍ୟାରିୟର ଭଲ। ସେ ମଧ୍ୟ ରାଜନୈତିକ ପରିବାରରୁ ଆସିଛନ୍ତି। ସେ ୨୦୦୪ରୁ ୨୦୦୭ରେ ମୁରିବାହାଲ ବ୍ଲକ ଅଧ୍ୟକ୍ଷା, ୨୦୧୨ ରୁ ୨୦୧୭ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଥିଲେ। ଦଳୀୟ ସଂଗଠନରେ ମଧ୍ୟ ସେ ବହୁ ଗୁରୁତ୍ବପୂର୍ଣ୍ଣ ପଦରେ ରହିଛନ୍ତି। ପୂର୍ବରୁ ସେ ଜିଲ୍ଲା ମହିଳା ବିଜୁ ଜନତା ସଭାପତି, ଏସ୍‌ସି ସେଲ ବିଜୁ ଜନତା ଦଳ ସଭାପତି ଥିଲେ। ଶ୍ରୀମତୀ ମହାନନ୍ଦଙ୍କ ବାପା ଉପେନ୍ଦ୍ର ନାଥ ସନାତନ ଆସାମ ଚବୁଆ ନିର୍ବାଚନ ମଣ୍ଡଳୀରେ ୪ ଥର ବିଧାୟକ, ଆସାମ ମଜଦୁର ସଂଘ ସଭାପତି, ଶ୍ବଶୁର ଅଚ୍ଚୁତ ମହାନନ୍ଦ କ୍ୟାବିନେଟ ମନ୍ତ୍ରୀ ଥିଲେ। ତେବେ ଆଉ କିଛି ଦିନ ପରେ ବି‌ଜେଡି କାହାକୁ ପ୍ରାର୍ଥୀ କରିବ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର