ପାଣ୍ଡିଆନ୍‌ଙ୍କ ଘରେ ଆକ୍ରମଣକୁ ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର/କଟକ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ୍‌ ଅଫିସର ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ଘରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ଆଇପିଏସ୍‌ ସଂଘ। ଆଇପିଏସ୍‌ ସଂଘ କାର୍ଯ୍ୟ ନିର୍ବାହୀ ପରିଷଦର ସଦସ୍ୟ ଏଡିଜି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ସଂଘ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି। ଏହା ଏକ ଅତ୍ୟନ୍ତ ଗର୍ହିତ, ଅଶୋଭନୀୟ ଏବଂ ଦୁଃଖଦ ଘଟଣା। କୌଣସି ସରକାରୀ ଅଧିକାରୀଙ୍କ ପରିବାରକୁ ଏଭଳି ଆତଙ୍କିତ କରିବା ଆଦ ଗ୍ରହଣୀୟ ନୁହେଁ ବୋଲି ଡକ୍ଟର ଷଡ଼ଙ୍ଗୀ କହିଛନ୍ତି।

ଏହି ଘଟଣାକୁ ଓଡ଼ିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ମଧ୍ୟ ନିନ୍ଦା କରାଯାଇଛି। ସଂଘର ସଭାପତି ତ୍ରିପତି ବାଲାଜୀ ସାହୁ ଏହାର ପ୍ରତିବାଦ କରିବା ସହ ଏହାଦ୍ୱାରା ଗଣତନ୍ତ୍ର ଦୁର୍ବଳ ହେବ ଏବଂ ଏହାର ଯେଭଳି ପୁନରାବୃତ୍ତି ନଘଟେ ସେ ଦିଗରେ ଦଢ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ଓଡ଼ିଶା ରାଜସ୍ୱ ଅଧିକାରୀ ସଂଘ ମଧ୍ୟ ନିନ୍ଦା କରିଛି। ଏହି ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ପୋଲିସ୍‌ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସଂଘ ଦାବି କରିଛି। ଏହାସହିତ ଗତ କିଛି ମାସ ହେଲା କ୍ରମାଗତ ଭାବରେ ଖୋର୍ଦ୍ଧା, ଜଟଣୀ, କଣାସ, ଗୋପ, ଅସ୍ତରଙ୍ଗ, ଚାନ୍ଦବାଲିରେ କାର୍ଯ୍ୟରତ ରାଜସ୍ୱ ଅଧିକାରୀମାନଙ୍କ ଉପରେ ହେଉଥିବା ମରଣାନ୍ତକ ଆକ୍ରମଣକୁ ନେଇ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ସରକାର ସମସ୍ତ ସରକାରୀ କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବାକୁ ଦାବିକରାଯାଇଛି। ସରକାରଙ୍କ ପକ୍ଷରୁ କୌଣସି ସକରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଅନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବା ନେଇ ସଂଘର ସଂପାଦକ ହିତାଶୁଂ ଶେଖର ସାମଲ କହିଛନ୍ତି। ରାଜ୍ୟ ଓଏଏସ୍‌ ସଂଘ ସଭାପତି ସରୋଜ ସାମଲ ମଧ୍ୟ ଏହାର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେହିଭଳି ସିପିଆଇ(ଏମ୍‌) ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘ ସଭାପତି ଗଙ୍ଗାଧର ସ୍ୱାଇଁ ଓ ସାଧାରଣ ସମ୍ପାଦକ ମାୟାଧର ବାରିକ, ଓଡ଼ିଶା ରାଜ୍ୟ ଅଣଗେଜେଟେଡ଼୍‍ କର୍ମଚାରୀ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ ବ୍ରଜକିଶୋର ନନ୍ଦ, ଓଡ଼ିଶା ରାଜ୍ୟ ଅଣଗେଜେଟେଡ଼୍‍ ସମନ୍ଵୟ ସମିତି ଓ ଏହା ସହିତ ସହବନ୍ଧିତ ବହୁ କର୍ମଚାରୀ ସଂଗଠନ ର ସମ୍ପାଦକ ସୁଧାଂଶୁ ଶେଖର ପତି ଓ ଗଗନ ଭଞ୍ଜ ଏବଂ ଓଡ଼ିଶା ରାଜସ୍ୱ ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ, ଉତ୍ତର ଭୁବନେଶ୍ୱର ଓକିଲ ସଂଘର ଜୟନ୍ତ କୁମାର ମିଶ୍ର, ପ୍ରଦୀପ ମିଶ୍ର, ନନ୍ଦନନ୍ଦନ ଶତପଥୀ ଏହାର ପ୍ରତିବାଦ କରିବା ସହିତ ଏହାର ଯେଭଳି ପୁନରାବୃତ୍ତି ନଘଟେ ସେ ଦିଗରେ ଦୃଢ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର