ପୁଲିସ ଗାଡ଼ିକୁ ବିଜେପିର ଅଣ୍ଡା ମାଡ଼, ଚୂଡ଼ି ପ୍ରଦର୍ଶନ

କଟକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ କାର୍ଯ୍ୟକ୍ରମ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ସହର ଗସ୍ତ କରି ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚିବା ପୂର୍ବରୁ ଯୋବ୍ରା ନିକଟରେ ବିକ୍ଷୋଭ ପାଇଁ ଉଦ୍ୟମ ରତ ବିଜେପି କର୍ମୀଙ୍କୁ ପୁଲିସ ଘଉଡାଇବାକୁ ଉଦ୍ୟମ କରିଥିଲା। ଏଥିରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏପରିକି କେତେକ ବିଜେପି କର୍ମୀ ପୁଲିସ ଗାଡି ଉପରକୁ ଅଣ୍ଡା ମାଡ଼ କରିଥିଲେ। ପୁଲିସ ବିଜେପି କର୍ମୀଙ୍କୁ ଧରି ନେଇ ଥାନାରେ ଅଟକ ରଖିବା ପରେ ଛାଡି ଦେଇଥିଲା। ସେହିଭଳି ସିଡିଏରେ ମଧ୍ୟ ଯୁବ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପୂର୍ବରୁ ବିରୋଧ ପ୍ରଦର୍ଶନ ପାଇଁ ଉଦ୍ୟମ କରି ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ସେମାନେ ଚୂଡି ଓ କଳା ପତାକା ପ୍ରଦର୍ଶନ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚି ନବ ନିର୍ମିତ ପ୍ରେକ୍ଷାଳୟ, ନର୍ସିଂ କଲେଜ୍‌ ଓ ହଷ୍ଟେଲ ଗୃହର ଉଦ୍‌ଘାଟନ କରିଥିଲେ। ହସ୍ପିଟାଲ ପ୍ରେକ୍ଷାଳୟ ପାଇଁ ୮.୮୩ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ୨ ମହଲା ବିଶିଷ୍ଟ ଏହି କୋଠାର ତଳ ମହଲାରେ ବହୁମୁଖୀ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହିତ ଦେଢ ହଜାର ଜଣଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି । ପରେ ପରେ ମୁଖ୍ୟମନ୍ତ୍ରୀ ଏଠାରେ ୧୫ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ୬ ମହଲା କୋଠା ବିଶିଷ୍ଟ ନର୍ସିଂ କଲେଜର ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ୧୪.୯୬ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ନର୍ସିଂ ଛାତୀନିବାସର ମଧ୍ୟ ଉଦ୍ଘାଟନ କରିଥିଲେ। ୭ ମହଲା ବିଶିଷ୍ଟ ଏହି ଛାତ୍ରୀନିବାସରେ ୧୩୩ଟି ପ୍ରକୋଷ୍ଠ ରହିଥିବା ବେଳେ ୪୦୦ଜଣ ଛାତ୍ରୀମାନଙ୍କ ପାଇଁ ଏଠାରେ ସୁବିଧା ଉପଲବ୍‌ଧ ହୋଇପାରିବ। ଅଢେଇ କୋଟି ଟଙ୍କା ବ୍ୟୟରେ ଏସ୍‌ସିବି ପରିସରରେ ଓ୍ଵାଇଫାଇ ବ୍ୟବସ୍ଥାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

ଏହା ପରେ ମୁଖ୍ୟମନ୍ତ୍ରୀ କଟକ ସେକ୍ଟର-୭ ଠାରେ ନବ ନିର୍ମତ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଲୋକାର୍ପିତ କରିଥିଲେ। ଜାତୀୟ ସହରାଂଚଳ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ କଟକ ମହାନଗର ନିଗମର ପ୍ରାଶାସନିକ ଅନୁମୋଦନରେ ନିର୍ମିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବା ଫଳରେ ସିଡିଏ ସମେତ କଟକ ସହରର ୩ ଲକ୍ଷରୁ ଅଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇପାରିବେ। ୨ ମହଲା ବିିଶିଷ୍ଟ ଏହି ଡାକ୍ତରଖାନାରେ ଓପିଡି, ଜରୁରୀ ଚିକିତ୍ସା, ଏକ୍ସ ରେ, ଅପରେସନ୍‌ ସୁବିଧା ସହିତ ୩୦ଟି ଶଯ୍ୟା ରୋଗୀମାନଙ୍କ ପାଇଁ ଉପ ଲବ୍‌ଧ ରହିବ ବୋଲି ସୂଚନା ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ସହର ପାଇଁ କଟକ ମହାନଗର ନିଗମ ତରଫରୁ ୧୦୮୨.୯୮ ଲକ୍ଷ ଟଙ୍କା ଖର୍ଚ୍ଚରେ ଲାଗିଥିବା ୧୬,୦୬୯ ଟି ଏଲ୍‌.ଇ.ଡି ଆଲୋକୀକରଣ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ପରେ ମୁଖ୍ୟମନ୍ତ୍ରୀ ସନ୍‌ସାଇନ୍‌ ପଡିଆଠାରେ ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀମାନଙ୍କର ୩୮ ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଓ ଉଦଘାଟକ ଭାବେ ଯୋଗ ଦେଇଥିଲେ। ସରକାର ସ୍ୱଚ୍ଛତା, ବୈଷୟିକ ଜ୍ଞାନର ପ୍ରୟୋଗ, ସମ୍ମିଳିତ କାର୍ଯ୍ୟ ଉପରେ ଗୁରୁୁତ୍ୱ ଦେଉଥିବାରୁ ରାଜସ୍ୱ କ୍ଷେତ୍ର କର୍ମଚାରୀମାନେ ଏହାକୁ ଆଧାର କରି ଲୋକଙ୍କ ରାଜସ୍ୱ ମାମଲା ସଂପର୍କିତ ସମସ୍ୟାର ସାମାଧାନ କରିବା ପାଇଁ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଇତି ମଧ୍ୟରେ ରାଜ୍ୟର ସମସ୍ତ ତହସିଲକୁ ଡିଜିଟାଇଜେସନ କରାଯାଇଛି। ରାଜସ୍ୱ କ୍ଷେତ୍ର ଅଧିକାରୀମାନଙ୍କ ବିବିଧ ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତିି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜିର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, କ୍ରୀଡା, ଯୁବ ସେବା ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ, ଜିଲ୍ଳାପାଳ ସୁଶାନ୍ତ ମହାପାତ୍ର, ସିଏମ୍‌ସି କମିଶନର ବିକାଶ ଚନ୍ଦ୍ର ମହାପାତ୍ର, ମେୟର ମୀନାକ୍ଷି ବେହେରା, ଡେପୁଟୀ ମେୟର ଅଜୟ ବାରିକ, ଜିଲ୍ଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ, ପୁଲିସ୍‌ କମିଶନର ୱାଇ.ବି ଖୁରାନିଆ, ଡିସିପି ଅଖିଳେଶ୍ୱର ସିଂହ, ସିଏମସି ସ୍ୱାସ୍ଥ୍ୟ ଷ୍ଟାଣ୍ଡିଂ କମିିଟିର ଅଧ୍ୟକ୍ଷ ରଂଜନ ବିଶ୍ୱାଳ, ଏସସିବି ଅଧୀକ୍ଷକ ଡାକ୍ତର ଶ୍ୟାମା କାନୁନ୍‌ଗୋ, ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ର, ବିଜୁ ଜନତା ଦଳ ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ ନାୟକ, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏମ.ଆର୍‌.ଖାନ୍‌ଙ୍କ ସମେତ ଏସ୍‌ .ସି.ବି.ର ବିଭିନ୍ନ ବିଭାଗୀୟ ମୁଖ୍ୟ ଡାକ୍ତର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଶ୍ୱ କଲ୍ୟାଣ ପଟ୍ଟନାୟକ ଓ ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର